ବନ୍ଦ ଥିବା ମଦ ଦୋକାନ ଖୋଲିବାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ….

ଭୁବନେଶ୍ୱର : ଓଡ଼ିଶା ହେବନି ମଦମୁକ୍ତ । ଓଲଟି ରାଜ୍ୟରେ ବନ୍ଦ ଥିବା ମଦ ଦୋକାନ ଖୋଲିବେ ସରକାର । ଏହାସହ ୪ଟି ନୂଆ ଠିପିଖୋଲା ମଦ ଦୋକାନ ଓ ୩ଟି ମଦ କାରଖାନା ଖୋଲିବେ ବୋଲି ଇଶାରା ଦେଇଛନ୍ତି । ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାନସଭାରେ ଏପରି ଉତ୍ତର ଦେବା ପରେ ରାଜନୀତି ଜୋର ଧରିଛି । ମଦ ଦୋକାନ ଓ ମଦ ତିଆରି କାରଖାନା ଖୋଲିବେ । ନିର୍ବାଚନ ପୂର୍ବରୁ ନିଶାମୁକ୍ତ ଓଡ଼ିଶା କଥା କେମିତି କହିଲେ ବୋଲି ବିଜେଡି ପ୍ରଶ୍ନ କରିଛି । ମହିଳା ଏଥିରେ ବହୁତ ସମସ୍ୟାରେ ପଡିବେ ବୋଲି ବିଜେଡି ଅଭିଯୋଗ କରିଛି । ସେହିପରି କଂଗ୍ରେସ ଅଭିଯୋଗ କରିଛି ଯେ ଏହା ଦୁର୍ଭାଗ୍ୟଜନକ। ଯୁବ ବିକାଶ କଥା କହୁଛନ୍ତି କିନ୍ତୁ ମଦ ଦୋକାନ ଖୋଲିବାକୁ ଘୋଷଣା କରୁଛନ୍ତି । ଏହା ସରକାରଙ୍କ ଦୋମୁହାଁ ନୀତି । ସ୍କୁଲ ଖୋଲି ପାରୁନାହାଁନ୍ତି । ହେଲେ ମଦ ଦୋକାନ ଖୋଲୁଛି । ଯାହା ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି ବୋଲି କଂଗ୍ରେସ କହିଛି ।
ବିଜେପି ବିଧାୟକ ମଦମୁକ୍ତ ଓଡ଼ିଶା ଚାହୁଁଥିବା ସତ୍ତ୍ବେ ସରକାରଙ୍କ ଉତ୍ତର ଆଗରେ ମୁଣ୍ଡ ନୁଆଇଁଛନ୍ତି । ମଦରୁ ରାଜସ୍ୱ ଆସୁଥିବାରୁ ମଦ ବନ୍ଦ ହେବନି ବୋଲି ବିଜେପି ବାଧ୍ୟ ହୋଇ ସଫେଇ ଦେଇଛି । ହେଲେ ଏହାକୁ ନ ମାନିବାକୁ ବିଜେପି ପରୋକ୍ଷରେ ମତ ଦେଇଛି । ମଦ ଯୋଗୁଁ ସାମାଜିକ ସଂପର୍କ ଖରାପ ହେଉଛି । ପରିବାର ନଷ୍ଟ ହେଉଛି । ବିଜେପି ବି ମଦ ବନ୍ଦ କରିବାକୁ ବାରମ୍ବାର କହୁଛି । ହେଲେ ଏବେ ସରକାର କେବଳ ନିଶାମୁକ୍ତ ଅଭିଯାନ ଗଣଦୌଡରେ ସୀମିତ ରଖିଥିବା ନେଇ ଚର୍ଚ୍ଚା ଜୋର ଧରିଛି ।