ଗଜପତି ଜିଲ୍ଲାରେ ବିଲୁପ୍ତ ହେବାକୁ ବସିଲେଣି ବିରଳ ବନ୍ୟପ୍ରାଣୀ

ଗଜପତି : ଗଜପତି ଜିଲ୍ଲାରେ ସକ୍ରିୟ ଜଙ୍ଗଲ ତସ୍କର । ବଳି ପଡୁଛନ୍ତି ନିରୀହ ପଶୁ । ବିଲୁପ୍ତ ହେବାକୁ ବସିଲେଣି ବିରଳ ବନ୍ୟପ୍ରାଣୀ । କ୍ଷୁଣ୍ଣ ହେବାରେ ଲାଗିଛି ପରିବେଶ ସନ୍ତୁଳନ । ବୁଦ୍ଧିଜୀବୀଙ୍କ ମହଲରେ ଚିନ୍ତା ।  ତଥ୍ୟ ମୁତାବକ ୨୦୨୩ ରୁ ୨୦୨୫ ମଧ୍ୟରେ ଚନ୍ଦ୍ରଗିରି ବନାଞ୍ଚଳରେ ୩ଟି, ମହେନ୍ଦ୍ର ବନାଞ୍ଚଳରେ ୩ଟି, ରା. ଉଦୟଗିରି, ରାମଗିରି ଏବଂ ଦେବଗିରି ବନାଞ୍ଚଳରେ ଗୋଟିଏ ଲେଖାଏଁ ପଶୁ ହତ୍ୟା ମାମଲା ରୁଜୁ ହୋଇଛି । ଯେଉଁଥିରେ ୨୯ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ । ତଦନ୍ତ ସମୟରେ ଏମାନଙ୍କ ସହ ବିଭିନ୍ନ ରାଜ୍ୟର ଦଲାଲମାନଙ୍କ ଲିଙ୍କ ଥିବା ଜଣାପଡ଼ିଛି ।

‎ ପଶୁ ଶିକାର ଘଟଣାକୁ ଅନୁଧ୍ୟାନ କଲେ ଦୁଇଟି ପ୍ରମୁଖ କାରଣ ସ୍ପଷ୍ଟ ହେଉଛି । ବିଶେଷ କରି ବନ୍ୟପ୍ରାଣୀଙ୍କ ମାଂସକୁ ପାରମ୍ପରିକ ଖାଦ୍ୟ ଭାବେ ନେଇ ପଶୁ ହତ୍ୟା କରାଯାଉଥିବା ବେଳେ ପଶୁର ମାଂସ, ଚମଡା ଆଦି ବିକି ଅର୍ଥ ଆଦାୟ କରିବାକୁ ଶିକାର ମଧ୍ୟ କରାଯାଉଛି । ଖାଲି ସେତିକି ନୁହଁ ସୀମାବର୍ତ୍ତୀ ଜିଲ୍ଲା ହୋଇଥିବାରୁ ଆନ୍ତଃରାଜ୍ୟ ଜଙ୍ଗଲ ତସ୍କର ପଶୁର ଚମଡା, ଦାନ୍ତ, ମାଂସ ଆଦି ଏଠାରୁ ବାହାର ରାଜ୍ୟକୁ ଚାଲାଣ କରିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି । ଗତ କିଛି ଦିନ ପୂର୍ବେ ଏକ ଆନ୍ତଃରାଜ୍ୟ ଜଙ୍ଗଲ ତସ୍କର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବନବିଭାଗ । ଏହି ଗ୍ୟାଙ୍ଗ ମଧ୍ୟରେ ଗଜପତି ଜିଲ୍ଲା ମୋହନା ଥାନା ଗୋଛାଗୁଡ଼ାର ୭ ଜଣ ଶିକାରୀ ରହିଛନ୍ତି । ସେମାନଙ୍କ ନିକଟରୁ ଗୋଟିଏ ବାଘ ଛାଲ, ୨ଟି ବାଘ ଦାନ୍ତ, ଗୋଟିଏ ଧନୁ ତୀର, ୪ଟି ଫାଶ ଜବତ କରିଛି ବନବିଭାଗ । ପଶୁ ଶିକାର ରୋକିବା ପାଇଁ ଗ୍ରାମାଞ୍ଚଳରେ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଆବଶ୍ୟକ ରହିଛି।