ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣା : ମାଟି ତଳୁ ବାହାରିଲା ମୃତଦେହ…

ଭୁବନେଶ୍ଵର : ଭୁବନେଶ୍ଵର ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣା ଉପରୁ ହଟିଲା ପରଦା। ଭୁବନେଶ୍ଵରରେ କରିଥିଲା ହତ୍ୟା। ପତ୍ନୀକୁ ମାରି ଗାଡ଼ି ଡିକିରେ ପୁରାଇ କେନ୍ଦୁଝର ଘଟଗାଁ ନିକଟ ଏକ ଜଙ୍ଗଲରେ ନେଇ ପୋତିଥିଲା। ପୋତାଯାଇଥିବା ସ୍ଥାନରେ ଜେସିବି ସହାୟତାରେ ଖୋଳି ବାହାର କରିଛି ପୋଲିସ। ହତ୍ୟା ଘଟଣାରେ ଅଭିଯୁକ୍ତ ସ୍ଵାମୀ କନେଷ୍ଟବଳ ଦୀପକ ରାଉତକୁ ଘଟଗାଁ ଥାନାକୁ ନେଇ ଜେକା କରିଥିଲା  କମିଶନରେଟ ପୋଲିସ। ଘଟଗାଁ ଥାନାରେ ଜେରା ପରେ ଶୁଭମିତ୍ରା ସାହୁଙ୍କ ମୃତଦେହ ପୋତା ଯାଇଥିବା ସ୍ଥାନକୁ ନେଇଥିଲା କମିଶନରେଟ ପୋଲିସ। ମୃତଦେହ ପୋତିବାରେ ସହାୟତା କରିଥିବା ଦୀପକଙ୍କ ମାଉସୀ ପୁଅ ଭାଇକୁ ମଧ୍ୟ ପୋଲିସ ଗିରଫ କରିଛି। ତେବେ ପତ୍ନୀ ଶୁଭମିତ୍ରା ସାହୁଙ୍କୁ କାହିଁକି ମାରିଥିଲା ସ୍ଵାମୀ ଦୀପକ ରାଉତ। ବିଭିନ୍ନ ଦିଗକୁ ନେଇ ପୋଲିସ ତନାଘନା କରୁଛି। ଉଭୟଙ୍କ ମଧ୍ୟରେ ୧୦ ଲକ୍ଷ ଟଙ୍କାକୁ ନେଇ ଝଗଡ଼ା ହୋଇଥିଲା। ଝଗଡ଼ାରୁ ନେଇ ମଧ୍ୟ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ। ହତ୍ୟା ପଛରେ ଶୁଭମିତ୍ରାଙ୍କ ନାଁରେ ହୋଇଥିବା ୧ କୋଟି ଟଙ୍କାର ଇନସୁରାନ୍ସ ମଧ୍ୟ ଏକ  କାରଣ ହୋଇପାରେ। ଗତ ଜୁଲାଇ ୨୦୨୪ରେ ଶୁଭମିତ୍ରାକୁ ବିବାହ କରିଥିଲା କନଷ୍ଟେବଲ ଦୀପକ ରାଉତ। ପୂର୍ବରୁ ଦୀପକର ପ୍ରଥମ ସ୍ତ୍ରୀ ଦୁର୍ଘଟଣାରେ ପ୍ରାଣ ହରାଇଥିବାବେଳେ ତାଙ୍କ ନାମରେ ଥିବା କୋଟିଏ ଟଙ୍କାର ବୀମା ଟଙ୍କା ପାଇଥିଲା। ପ୍ରଥମ ସ୍ତ୍ରୀର ମୃତ୍ୟୁ ମାମଲା ଏବେ ବି ସନ୍ଦେହ ଘେରରେ ରହିଛି। ଏହାକୁ ନେଇ ତଦନ୍ତ କରୁଛି ପୋଲିସ। ଘଟଗାଁ ଥାନା ପୋଲିସ ଓ ଭୁବନେଶ୍ଵର ପୋଲିସ ମିଳିତ ଭାବେ ତଦନ୍ତ କରୁଛନ୍ତି। ଭୁବନେଶ୍ଵରରେ ହତ୍ୟା କରାଯାଇଥିବା ସ୍ପଟକୁ ନେଇ ସରଜମିନ ତଦନ୍ତ କରିଥିଲା ପୋଲିସ। ୬ ତାରିଖରେ ଶୁଭମିତ୍ରା ଶେଷଥର ଲାଗି ଅଫିସରେ ଡ୍ୟୁଟି କରିଥିଲେ। ଏହାପରେ ଶୁଭମିତ୍ରା ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଏ ନେଇ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ।