ସୁପର -୪ ରେ ଭାରତ : ବିଦାହେବ ପାକିସ୍ତାନ !

1 min read

ନନ୍ଦିଘୋଷ ବ୍ୟୁରୋ : ସୋମବାର ଏସିଆ କପ୍ ୨୦୨୫ରେ ଦୁଇଟି ମ୍ୟାଚ୍ ଖେଳାଯାଇଥିଲା, ପ୍ରଥମ ମ୍ୟାଚ୍ ଗ୍ରୁପ ‘ଏ’ ରୁ ୟୁଏଇ ଏବଂ ଓମାନ ମଧ୍ୟରେ ଥିଲା। ପ୍ରଥମେ ବ୍ୟାଟିଂ କରି ୟୁଏଇ୧୭୨ ରନର ଏକ ବଡ଼ ସ୍କୋର କରିଥିଲା। ଅଧିନାୟକ ମହମ୍ମଦ ୱାସିମ ଏକ ରେକର୍ଡ ଇନିଂସ ଖେଳିଥିଲେ, ସେ ୫୪ବଲରୁ ୩​​ଛକା, ୬ଚୌକା ସହାୟତାରେ ୬୯ ରନ କରିଥିଲେ। ତାଙ୍କ ବ୍ୟତୀତ ଆଲିଶାନ ଶରାଫୁ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ଜବାବରେ, ଓମାନର ଦଳ 130 ରନ କରିପାରିଥିଲା । ୟୁଏଇର ଏହି ବିଜୟ ସୁପର-୪ରେ ଭାରତର ସ୍ଥାନ ନିଶ୍ଚିତ କରିବା ସହ   ପାକିସ୍ତାନ ସୁପର-୪ରେ ସ୍ଥାନ ପାଇବା ଆଶା କ୍ଷୀଣ ହୋଇଛି ।

୧୭୩ ରନର ଟାର୍ଗେଟକୁ ପିଛା କରିବା ସମୟରେ, ଓମାନ ଦଳର କୌଣସି ବ୍ୟାଟସମ୍ୟାନ୍ ବଡ଼ ଇନିଂସ ଖେଳିପାରି ନଥିଲେ। ଆର୍ଯ୍ୟନ୍ ବିଷ୍ଟ ସର୍ବାଧିକ ରନ କରିଥିଲେ, ସେ ୩୨ ବଲ୍ ରେ ୨୪ ରନର ଇନିଂସ ଖେଳିଥିଲେ। ୧୯ ଓଭରରେ ୧୩୦ ରନ କରି ଦଳ ଅଲଆଉଟ  ହୋଇଯାଇଥିଲା । ଏହା ଉଭୟ ଦଳ ପାଇଁ କର ବା ମର ମ୍ୟାଚ୍ ଥିଲା, ଯାହାକୁ ଜିତି ୟୁଏଇ ସୁପର-୪ ଯିବାର ଆଶାକୁ ଉଜ୍ଜୀବିତ ରଖିଛି।

ଭାରତୀୟ କ୍ରିକେଟ୍ ଦଳ ଏସିଆ କପ୍ ୨୦୨୫ର ପ୍ରଥମ ମ୍ୟାଚ୍‌ରେ ୟୁଏଇକୁ ପରାସ୍ତ କରିଥିଲା। ଭାରତ ୟୁଏଇକୁ 57 ରନ୍‌ରେ ଆଉଟ୍ କରି ମାତ୍ର 27 ବଲ୍‌ରେ ଲକ୍ଷ୍ୟ ହାସଲ କରିଥିଲା। ଏହା ପରେ ଭାରତ ପାକିସ୍ତାନକୁ 7 ୱିକେଟ୍‌ରେ ପରାସ୍ତ କରିଥିଲା, ଭାରତ ସମ୍ପୂର୍ଣ୍ଣ ମ୍ୟାଚ୍‌ରେ ନିଜର ପ୍ରାଧାନ୍ୟ ବିସ୍ତାର କରିଥିଲା। ଭାରତ ଗ୍ରୁପ୍‌ ‘A’ର ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ଅଛି। 2ଟି ବିଜୟ ସହିତ, ଦଳର ନେଟ୍ ରନ୍‌ ରେଟ୍ +୪.୭୯୩ । ଭାରତ ସୁପର-4ରେ ପହଞ୍ଚିଥିବା ପ୍ରଥମ ଦଳ।

ଏବେ ଗ୍ରୁପ୍ A ର ପରବର୍ତ୍ତୀ ମ୍ୟାଚ୍ ପାକିସ୍ତାନ ବନାମ ୟୁଏଇ । ଯେଉଁ ଦଳ ଏହି ମ୍ୟାଚ ଜିତିବ , ସେ ଦଳ ସୁପର-୪ରେ ପହଞ୍ଚିବାରେ ଦ୍ୱିତୀୟ ଦଳ ହେବ ।  UAE ବନାମ ପାକିସ୍ତାନ ମ୍ୟାଚ୍ ବୁଧବାର, ୧୭ ସେପ୍ଟେମ୍ବରରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।