ରାଜଧାନୀରେ ଗର୍ଜିଲେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍: ରାସ୍ତା ଉପରେ ବସି ଦେଲେ ଧାରଣା
1 min read
ପେଟରେ ଭୋକ, ମନରେ କୋହ । ୫ ମାସ ହେଲା ଦୁର୍ଦ୍ଦିନ ଭିତରେ ପରିବାର । ପାର୍ବଣ ଋତୁରେ ବି ଦରମା ନେଇ ମିଳୁନି ଭରସା । ହାଡ଼ଭଙ୍ଗା କାମ ସତ୍ତ୍ବେ ମିଳୁନି ସଠିକ ପାରିଶ୍ରମିକ । ପ୍ରତିବାଦରେ ରାଜରାସ୍ତାରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ । ଗାନ୍ଧୀଙ୍କ ଫଟୋ ଧରି ଧାରଣା ଦେଲା ଜିପିଏଲଏଫ କର୍ମୀ ସଂଘ । ଜୀବିକା ମିସନ ଅଫିସ ଆଗରେ ହଜାର ହଜାର ସଂଖ୍ୟାରେ କମ୍ଯୁନିଟି ସପୋର୍ଟ ଷ୍ଟାଫଙ୍କ ଜୋରଦାର ପ୍ରତିବାଦ । ଦକ୍ଷତା ଭିତରେ ନୁହେଁ, ଫିକ୍ସ ଦରମା ଦେବାକୁ ଦାବି I ୨୦୦୯ ମସିହାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପଞ୍ଚାୟତ ଅଫିସ ପର୍ଯ୍ୟନ୍ତ ଏମାନେ କାର୍ଯ୍ୟରତ ଥିବାବେଳେ ଏବେ ଅଣଦେଖା କରାଯାଉଥିବା ଅଭିଯୋଗ କରିଛି ସଂଘ ।
MBK, CRP, ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର, LSP ର ସମସ୍ତ 6 କମ୍ୟୁନିଟି ସପୋର୍ଟ ଷ୍ଟାଫ ୫ ମାସ ହେଲା ପାଇ ନାହାନ୍ତି ଦରମା । ପୂର୍ବ ସରକାର ସମୟରେ ମିଳୁଥିବା ଫିକ୍ସ ଦରମାକୁ ଅପସାରଣ କରି ଦକ୍ଷତା ଭିତିକ ପାରିଶ୍ରମିକ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ ସମସ୍ତ ଲୋକାଭିମୁଖି ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଗୁରୁ ଦାୟିତ୍ଵ ବହନ କରୁଛନ୍ତି । ସାରା ରାଜ୍ୟରେ ୬୦ ହଜାରରୁ ଅଧିକ ମହିଳା କାର୍ଯ୍ୟରତ ଅଛନ୍ତି । ବିନା ଦରମାରେ ୫ ମାସ ହେଲା ସେମାନେ ଦୟନୀୟ ସ୍ଥିତିରେ ଥିବା ଅଭିଯୋଗ କରିଛନ୍ତି । ଦାବୀ ପୂରଣ ନହେବା ଯାଏଁ ଧାରଣାରୁ ହଟିବେନି ବୋଲି ଚେତାବନୀ ଦେବା ସହ ବିଧାନସଭା ସମୟରେ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ।