ମିଳିଲାନି ଅନୁମତି, ମଣ୍ଡପରେ ହେବ ଗଣେଶ ବିସର୍ଜନ

କଟକ : ମଣ୍ଡପରେ ହେବ ଗଣେଶ ବିସର୍ଜନ । ନଦୀକୁ ନେବା ସମ୍ଭବ ନଥିବାରୁ ମଣ୍ଡପ କର୍ମକର୍ତ୍ତାଙ୍କ ନିଷ୍ପତ୍ତି । ପବିତ୍ର ଜଳ ସିଞ୍ଚନ କରି ଗଜାନନଙ୍କୁ ଦିଆଯିବ ମେଲାଣି । କଟକ ସହରର ଗଣେଶ ପୂଜା ସରିବା ପରେ ୩ଟି ରବିବାରରେ ପର୍ଯ୍ୟାୟ କ୍ରମେ ଚାଲିଛି ଭସାଣ ଉତ୍ସବ । ତେବେ ସହରର ତିନିଘରିଆ, ନୂଆପଡା ଓ ଖାନନଗରର ୩ଟି ସ୍ଥାନରେ ହୋଇଥିବା ସୁଉଚ୍ଚ ଗଜାନନଙ୍କ ମୂର୍ତ୍ତିର ବିସର୍ଜନକୁ ନେଇ ଚିନ୍ତାରେ ଆୟୋଜକ । ତିନିଘରିଆରେ ୫୮ ଫୁଟ ଉଚ୍ଚର ମୂର୍ତ୍ତି ନିର୍ମାଣ କରାଯାଇଥିବାବେଳେ ଖପୁରିଆ ନୂଆପଡା, ଖାନନଗରରେ ୩୮ ଓ ୨୫ ଫୁଟର ମୂର୍ତ୍ତି ପୂଜା ପାଇଥିଲେ । ଏହି ବିଶାଳ ମୂର୍ତ୍ତି ବିସର୍ଜନ ପାଇଁ ନେବା ଅସମ୍ଭବ ବୋଲି କହିଛି ପ୍ରଶାସନ ।
ଦୁଇବର୍ଷ ତଳେ ଚାଉଳିଆଗଞ୍ଜର ଯୁବକମାନେ ଏଭଳି ୪୫ ଫୁଟ ଉଚ୍ଚର ଗଣେଶ ମୂର୍ତ୍ତି ଗଢିଥିଲେ । ତେବେ ଏହାକୁ ନେଇ ନପାରି ସେହିଠାରେ ଅଗ୍ନୀଶମ ବିଭାଗ ସହାୟତାରେ ସେମାନେ ଜଳସ୍ପ୍ରେ କରି ବିସର୍ଜନ କରିଥିଲେ । ଏବେ ଖାନନଗର, ତିନିଘରିଆ ଗଣେଶ ପୂଜା କମିଟି ମଧ୍ୟ ସେଭଳି ନିଷ୍ପତ୍ତି ନେଇଛନ୍ତି । ପବିତ୍ର ଜଳ ସିଞ୍ଚନ କରି ମୂର୍ତ୍ତିକୁ ସମ୍ମାନର ସହ ବିସର୍ଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏତେ ବଡ ଗଣେଶ ଦେଖିବାକୁ ଭଲ ଲାଗୁଛି ସତ କିନ୍ତୁ ବିସର୍ଜନ କରିବା ସମୟରେ ସମସ୍ୟା ଦେଖାଯାଉଛି । ତେଣୁ ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମଣ୍ଡପରେ ବିସର୍ଜନ କରିବାକୁ କର୍ମକର୍ତ୍ତା ନିଷ୍ପତ୍ତି ନେଇଛନ୍ତି ।