ବଲାଙ୍ଗୀରରୁ ପ୍ରତିଦିନ ବେଆଇନ ଭାବେ ଚାଲାଣ ହେଉଛନ୍ତି ହଜାର ହଜାର ଶ୍ରମିକ
1 min read
ବଲାଙ୍ଗୀର ; ସରିଲା ନୂଆଁଖାଇ, ଏବେ ପେଟ ପାଇଁ ଚିନ୍ତା । ରାଜ୍ଯରେ ମିଳୁନି କାମଧନ୍ଦା, ଦାଦନ ଯିବାକୁ ସଜବାଜ । ବଲାଙ୍ଗୀରରେ ବେଧଡ଼କ ଚାଲିଛି ଶ୍ରମିକ ଚାଲାଣ । ସବୁ ଜାଇ ଆଖି ବୁଜି ଦେଇଛି ଜିଲ୍ଲା ଶ୍ରମ ବିଭାଗ । ଜିଲ୍ଲାର ୧୪ ଟି ବ୍ଲକ ଅଞ୍ଚଳରୁ ଲକ୍ଷାଧିକ ଶ୍ରମିକ କାମଧନ୍ଦା ନପାଇ ଦାଦନ ସର୍ଦ୍ଦାର ଜରିଆରେ ବାହାର ରାଜ୍ୟକୁ ଚାଲାଣ ହେଉଛନ୍ତି । ବଙ୍ଗୋମୁଣ୍ଡା, ତୁରେକେଲା, ବେଳପଡା, ଖପ୍ରାଖୋଲ, ମୁରିବାହାଲ ଓ ଟିଟିଲାଗଡ ବ୍ଲକ ଅଞ୍ଚଳର ଶ୍ରମିକମାନେ କାମ କରିବାକୁ ବାହାରିଛନ୍ତି I ତେବେ ଚଳିତବର୍ଷ କେତେଜଣ ଦାଦନ ଶ୍ରମିକ ଗଲେଣି ତଥ୍ୟ ଜିଲ୍ଲା ଶ୍ରମବିଭାଗ ବିଭାଗ ପାଖରେ ନାହିଁ । ସର୍ଦ୍ଦାର ଜରିଆରେ ଖୁଲମଖୁଲା ଲକ୍ଷାଧିକ ଶ୍ରମିକ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ଟାସ୍କଫୋର୍ସ ଦ୍ୱାହି ଦେଇ ପ୍ରଶାସନ ସବୁ ଜାଣି ଚୁପ ରହିଥିବା ଅଭିଯୋଗ ହୋଇଛି ।
କାମଧନ୍ଦା ଅନ୍ୱେଷଣରେ ବଇନା ନେଇଥିବା ଶ୍ରମିକମାନେ ଦାଦନ ଯିବାକୁ ଗୋଡ଼ ଟେକି ବସିଛନ୍ତି I ମୁଣ୍ଡ ପିଛା ୪୦ରୁ ୫୦ ହଜାର ଟଙ୍କା ଦେଇ ଶ୍ରମିକଙ୍କୁ ନେଉଛନ୍ତି ଶର୍ଦ୍ଦାର । କଣ୍ଟାବାଞ୍ଜି, ଟିଟିଲାଗଡ଼, ହରିଶଙ୍କର ରେଳ ଷ୍ଟେସନରୁ ହାଇଦ୍ରାବାଦ, ତେଲେଙ୍ଗାନା, ତ୍ରିପୁରା ଭଳି ବଡ଼ ବଡ଼ ସହରରେ ଥିବା ଇଟାଭାଟିକୁ ଦାଦନ ଖଟିବାକୁ ଯିବେ ଶ୍ରମିକ I ପ୍ରତିଦିନ ରେଳରେ ହଜାର ହଜାର ଶ୍ରମିକ ବାହାର ରାଜ୍ଯକୁ ଚାଲାଣ ହେଉଥିବାବେଳେ ଗୋଟିଏ ବି ଶ୍ରମିକ ଯାଇ ନାହାନ୍ତି ବୋଲି କହିଛନ୍ତି ଜିଲ୍ଲା ଅତିରିକ୍ତ ଶ୍ରମ କମିଶନର I ଟାସ୍କଫୋର୍ସ କାଗଜପତ୍ରରେ ଦାଦନ ଶ୍ରମିକ ରୋକୁଥିବା କହୁଥିବା ବେଳେ ବେଆଇନ ଭାବେ ଦାଦନ ଶ୍ରମିକ ଚାଲାଣ ହେଉଥିବା ଚର୍ଚ୍ଚା ଜୋର ଧରିଛି I