ସାପ କାମୁଡ଼ାର ଅଜବ ଚିକିତ୍ସା: ରୋଗୀ ପିଠିରେ କଂସା ଥାଳି ରଖି ବାହାର କରାଯାଉଛି ବିଷ

ନନ୍ଦିଘୋଷ ବ୍ୟୁରୋ: ସାପ କାମୁଡାର ଅଜବ ଚିକିତ୍ସା । କଂସା ଥାଳି ବାହାର କରୁଛି ବିଷ । ଏଭଳି ଏକ ଚାଞ୍ଚଲ୍ୟ କର ଖବର ଆସିଛି ଖରିଆରରୁ । ଜଣେ କି ଦୁଇ ଜଣ ନୁହନ୍ତି, ଆଜି ପର୍ଯ୍ୟନ୍ତ ୧୦ ହଜାର ଲୋକ ଏହି ଚିକିତ୍ସା ପରେ ସୁସ୍ଥ ହୋଇଥିବା ଦାବି ହେଉଛି । ଗୁଣିଆମାନଙ୍କୁ ବନ ବିଭାଗ ତରଫରୁ ସ୍ନେକ୍ ହ୍ୟାଣ୍ଡଲର୍ ସାର୍ଟିଫିକେଟ ଦିଆଯିବା ଦ୍ଵାରା ସାଧାରଣ ଲୋକେ ସେମାନଙ୍କୁ ବିଶ୍ୱାସ କରିବା ପାଇଁ ବାଧ୍ୟ ହେଉଛନ୍ତି । ତେବେ ଏପରି ଅନ୍ଧବିଶ୍ବାସରୁ ଦୂରେଇ ରହି ହସ୍ପିଟାଲରେ ଚିକିତ୍ସା କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଏକବିଂଶ ଶତାବ୍ଦୀରେ ମଣିଷର ଅଜବ ବିଶ୍ବାସ । ସାପ କାମୁଡ଼ିରେ ତନ୍ତ୍ରମନ୍ତ୍ର, ଝଡ଼ାଫୁଙ୍କା ଭରସା । ମଣିଷ ପିଠିରେ କଂସା ଥାଳି ରଖି ଝାଡି ଦେଲେ ବାହାରୁଛି ବିଷ । ଅନ୍ଧବିଶ୍ବାସ ପଛରେ ଜୀବନ ବାଜି ନଲଗାଇବାକୁ ବିଶେଷଜ୍ଞଙ୍କ ପରାମର୍ଶ ।  ଖରିଆର ଝିତ୍ରୀଧୋଡ଼ା ଗାଁର ଦେବାର୍ଚ୍ଚନ ସତନାମୀ । ଦେବାର୍ଚ୍ଚନା ଜଣେ ସର୍ପଗାରେଡି । ଷଷ୍ଠ ଶ୍ରେଣୀରୁ ଶିଖିଛନ୍ତି ବିଦ୍ୟା । ସାପ କାମୁଡ଼ା ରୋଗୀଙ୍କୁ ମନ୍ତ୍ରପାଠ କରି ଥାଳି ଲଗାଇ ବିଷ ହରଣ କରିବା ପରେ ଚେତା ଫେରିଲେ ତାକୁ ମନ୍ତ୍ର ପାଣିରେ ଗାଧେଇ ଦିଅନ୍ତି ଦେବାର୍ଚ୍ଚନା । କଥାବାର୍ତ୍ତା କରିବା ପରେ ଛାଡ଼ନ୍ତି । ଜଣେ କି ଦୁଇଜଣ ନୁହେଁ ତାଙ୍କର ଏହି ଚିକିତ୍ସା ଦ୍ବାରା ୧୦ ହଜାରରୁ ଅଧିକ ରୋଗୀ ସୁସ୍ଥ ହୋଇଥିବା ସେ କହିଛନ୍ତି ।

ତେବେ ଏସବୁ ଉପରେ ବିଶ୍ବାସ ନ କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ସାପ କାମୁଡ଼ିଲେ ହସ୍ପିଟାଲକୁ ଯାଇ ଆଣ୍ଟି ଭେନମ ନେବାକୁ ସେ ପରାମର୍ଶ ଦେଇଛନ୍ତି । ସାପ କାମୁଡ଼ିଲେ ମନ୍ଦିରରେ ପାଣି ଢାଳିବା, ଝାଡଫୁଙ୍କା, ପାଟିରେ ବିଷ ବାହାର କରିବା, କପଡା ବାନ୍ଧିବା ଓ ଅଙ୍ଗୁଡ଼ି କାଟି ଦେବା ମରଣକୁ ଡାକିଥାଏ । ଗୋଲଡେନ ଆୱରରେ ଡାକ୍ତରଖାନାରେ ରୋଗୀ ନପହଞ୍ଚିଲେ, କିମ୍ବା ଅଧିକ ସମୟ ନଷ୍ଟ କଲେ ବିଷ ସଞ୍ଚରଣ ଅଧିକ ହୋଇଥାଏ । ତେଣୁ ଅନ୍ଧବିଶ୍ବାସ ଦୂରେଇ ରହି ଡାକ୍ତରଖାନା ଯାଇ ଚିକିତ୍ସା କରିବାକୁ ପରାମର୍ଶ ଦେଇଛନ୍ତି  ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ।