ନିଶ୍ଚିହ୍ନ ହୋଇଗଲାଣି ନିଶ୍ଚିନ୍ତା ପାହାଡ଼: କ୍ରସର ମେସିନରେ ହୋଇଗଲାଣି କ୍ଷତବିକ୍ଷତ

ନିଶ୍ଚିହ୍ନ ହୋଇଗଲାଣି ନିଶ୍ଚିନ୍ତା ପାହାଡ଼ । କ୍ରସର ମେସିନରେ ହୋଇଗଲାଣି କ୍ଷତବିକ୍ଷତ । ଖାଲି ହୋଇଗଲାଣି ଖଣିଜ ପଦାର୍ଥ । ଖଣି ମାଫିଆ ଓ ଅସାଧୁ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ପଦା ହୋଇଗଲାଣି ପାହାଡ଼ । ଦେଢ଼ ଶହ କୋଟି ଟଙ୍କାର ରାଜସ୍ଵ ହରାଇଲେଣି ସରକାର । ଆଉ ଏବେ ପ୍ରଶାସନର ପଶିଛି ଚେତା । କିଏ କେତେ ନେଇଛି ଆଉ କିଏ କେତେ ଲୁଟିଛି ତାର ଖୋଜୁଛି ହିସାବ । ଢେଙ୍କାନାଳ ଜିଲ୍ଲା ଗଁଦିଆ ତହସିଲ ନିହଲ ପ୍ରସାଦ ଥାନା ନିଶ୍ଚିନ୍ତା ପାହାଡରେ ବେଆଇନ ଖଣି ଲୁଟ ଓ ଚୋରା ଚାଲାଣ ଘଟଣା ଏବେ ଜଳଜଳ କରି ପଦାକୁ ଆସିଛି । ପୂର୍ବରୁ ଏହି ଲୁଟକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ବାରଣ ଓ ଜିଲ୍ଲା ପ୍ରଶାସନ ଦେଖାଣିଆ ଭାବେ ଉକ୍ତ ଅଞ୍ଚଳରେ ୧୬୩ ଧାରା ଲାଗୁ କରିଥିଲେ । ହେଲେ ପଥର ଚୋରା ଚାଲାଣରେ ରୋକ ଲାଗିନଥିଲା । କଳା ପଥର ଚୋରିରେ ସଂପୃକ୍ତ ଥିବା ପଥର ବ୍ୟବସାୟୀଙ୍କ ସଂପର୍କରେ ସୂଚନା ପାଇ ଜାତୀୟ ଗ୍ରୀନ ଟ୍ରିବ୍ଯୁନାଲ କଲିକତା ପକ୍ଷରୁ କିଛି କ୍ରସର କମ୍ପାନୀକୁ ନୋଟିସ କରାଯାଇଥିଲା । ରାଜ୍ୟ ସରକାରଙ୍କ ଖଣି ବିଭାଗକୁ ଗତ ୨୪ ଅକ୍ଟୋବର ୨୦୨୪ ମସିହାରୁ ଜବାବ ଦାଖଲ ପାଇଁ ଗ୍ରୀନ ଟ୍ରିବୁନାଲ ପକ୍ଷରୁ ନୋଟିସ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଅତିରିକ୍ତ କାଉନସେଲ ଗତ ୧୬ ଜୁଲାଇ ୨୦୨୫ ସୁଦ୍ଧା ସତ୍ୟପାଠ ଦାଖଲ କରିନାହାନ୍ତି । ଫଳରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଏ ସଂକ୍ରାନ୍ତରେ ୧ ହଜାର ଟଙ୍କାର ଜରିମାନା କରି ଆସନ୍ତା ୨୮ ଅଗଷ୍ଟ ୨୦୨୫ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ନିଶ୍ଚିନ୍ତା ପାହାଡ଼ର ଦୁଇ କିଲୋମିଟର ପରିଧିରେ ପ୍ରାୟ ୧୦ଟି କ୍ରସର କମ୍ପାନୀ ରହିଛି । ଏହି କମ୍ପାନୀ ଗୁଡିକ ସ୍ଥାନୀୟ ପୋଲିସ ଓ ଖଣି କର୍ମଚାରୀଙ୍କୁ ହାତ ବାରିସ କରି ବାରମ୍ବାର ପଥର ଚୋରାଚାଲାଣ କରୁଥିବା ଅଭିଯୋଗ ହୋଇଆସୁଛି । ତେବେ ୧୦ ଟି କ୍ରସର କମ୍ପାନୀ ମଧ୍ଯରୁ ଗୋଟିଏ କ୍ରସର ତଥା ଆରୁନି ଷ୍ଟନ କ୍ରସରକୁ ଛାଡିଦେଲେ ଅନ୍ଯ ୯ଟି କ୍ରସର କମ୍ପାନୀ ଗୁଡିକର କଞ୍ଚାମାଲ ପାଇଁ ନିଜସ୍ଵ କୌଣସି ଉତ୍ସ ନାହିଁ । ତେଣୁ କମ୍ପାନୀ ଗୁଡିକର ଅନୁମତି ପ୍ରତ୍ୟାହାର ପାଇଁ ଢେଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଂଚ ପକ୍ଷରୁ ବହୁବାର ସରକାରଙ୍କ ନିକଟରେ ଦାବି ହୋଇ ଆସୁଛି । ଉକ୍ତ କ୍ରସର କମ୍ପାନୀ ଗୁଡିକର ଅନୁମତି ପ୍ରତ୍ୟାହାର ଯଦି ନହୁଏ ତେବେ ନିଶ୍ଚିନ୍ତା ପାହାଡରୁ ବେଆଇନ ପଥର ଚୋରାଚାଲାଣ ବନ୍ଦ ହୋଇପାରିବ ନାହିଁ ବୋଲି ବୁଦ୍ଧିଜୀବୀ କହିଛନ୍ତି । ଅନ୍ଯପଟେ ଏହା ଉପରେ ଆକ୍ସନ ନିଆଯାଉଛି ବୋଲି କହିଛନ୍ତି ଏସପି ।