ଆଉ ଦିନକ ପରେ ଗଣେଶ ପୂଜା: ଧରାବତରଣ କରିବେ ଅଗ୍ରପୂଜ୍ୟ ଗଜାନନ

ଆଉ ଦିନକ ପରେ ଗଣେଶ ପୂଜା । ଧରାବତରଣ କରିବେ ଅଗ୍ରପୂଜ୍ୟ ଗଜାନନ । ପୂଜା ପାଇଁ ତାଳଚେରରେ ଉତ୍ସାହର ମାହୋଲ । ରାସ୍ତାରେ ବନ୍ଧା ସରିଲାଣି ଲାଇଟଗେଟ । କାରିଗର ମାନେ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଥିବା ବେଳେ ମଣ୍ଡପ କର୍ମକର୍ତ୍ତା ମାନେ ଜୋରସୋରରେ ପ୍ରସ୍ତୁତି କାର୍ଯ୍ୟ ଆଗେଇ ନେଇଛନ୍ତି । ଚଳିତ ଥର ଶହେରୁ ଉର୍ଦ୍ଧ୍ଵ ପୂଜା ମଣ୍ଡପରେ ପୂଜା ପାଇବେ ପ୍ରଭୁ ବିଘ୍ନବିନାଶକ । ୨୭ ତାରିଖରୁ ପୂଜା ଆରମ୍ଭ ହେଉଥିବା ବେଳେ ୧୦ ଦିନ ଧରି ସମସ୍ତ ପୂଜା ମଣ୍ଡପରେ ପୂଜା ପାଇବେ ଗଜାନନ ।

ତାଳଚେରର ଗଣପର୍ବ ଗଣେଶ ପୂଜା ହୋଇଥିବାରୁ ବିଭିନ୍ନ ପୂଜା କମିଟି ମଧ୍ୟରେ ପ୍ରତିଯୋଗିତା ଲାଗି ରହିଥାଏ । ଏଥିପାଇଁ ପୂଜା କମିଟିର ତୋରଣ ଓ ମୂର୍ତ୍ତି ଗୁଡିକୁ ଭିନ୍ନ ଭିନ୍ନ ଢଙ୍ଗରେ ପରିବେଷଣ କରାଯାଇଥାଏ । ଯାହାକୁ ଦେଖିବାକୁ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ଯାହାକୁ ଦୃଷ୍ଟିରେ ରଖି ପୋଲିସ, ପ୍ରଶାସନ ଓ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତବର୍ଷ ଭଷାଣି ପୂର୍ବ ଦିନ ୪ ଟନ ବିଶିଷ୍ଟ ଲଡୁକୁ ନିଲାମ କରିବାକୁ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ପୂଜାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଆଠ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।