ଛାତ୍ରୀଙ୍କୁ ପ୍ରେମ ନିବେଦନ କଲେ ପୂର୍ବତନ ଟ୍ୟୁସନ ଶିକ୍ଷକ, ଥାନାରେ ପହଞ୍ଚିଲା ମାମଲା..

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ପୂର୍ବତନ ଟିଉସନ ସାର ପ୍ରେମ ନିବେଦନ କରିବା ସହିତ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଛାତ୍ରୀ ଜଣକ ହାଇସ୍କୁଲରେ ପାଠ ପଢ଼ୁଥିବା ସମୟରେ ସେହି ଅଞ୍ଚଳର ଜଣେ ଟିଉସନ ସାର ତାଙ୍କୁ ଅସଦାଚରଣ କରିବା ସହିତ ପ୍ରେମ ନିବେଦନ କରୁଥିଲେ । ଏପରିକି ସାର ଜଣକ ମୋବାଇଲରେ ମେସେଜ ମଧ୍ୟ ପଠାଉଥିଲେ । ପରେ ଛାତ୍ରୀ ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ସେ ଆଉ ତାଙ୍କ ନିକଟକୁ ପାଠ ପଢିବାକୁ ଯାଇ ନଥିଲେ । ଚଳିତ ମାସ ଅଗଷ୍ଟ ୧୫ ତାରିଖ ଦିନ ସମ୍ପୃକ୍ତ ଛାତ୍ରୀ ଜଣକ କଲେଜ ଯିବା ବାଟରେ ଟିଉସନ ଶିକ୍ଷକ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ଥିବା ଫଟୋ ଭାଇରାଲ କରିଦେବେ ବୋଲି ନାବାଳିକା ଛାତ୍ରୀଙ୍କୁ ଧମକ ଦେଇଥିଲେ ଟିଉସନ ସାର୍ । ଏନେଇ ଛାତ୍ରୀ ଜଣକ ତନ୍ତିଆପାଳ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତନ୍ତିଆପାଳ ସାମୁଦ୍ରିକ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଅସଦାଚରଣ ଅଭିଯୋଗ ଉପରେ ସାମୁଦ୍ରିକ ଥାନା ପୋଲିସ ଏବଂ ଟିଉସନ ଶିକ୍ଷକଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇ ପାରିନାହିଁ।.