ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ନୂଆ ଷ୍ଟ୍ରାଟେଜି

ନନ୍ଦିଘୋଷ ବ୍ୟୁରୋ : ଆଗାମୀ ନିର୍ବାଚନ ନୂଆ ଢାଞ୍ଚାରେ ଲଢ଼ିବ କଂଗ୍ରେସ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ଦଳ। ପଞ୍ଚାୟତ ନିର୍ବାଚନର ସଫଳତାକୁ ପ୍ରାର୍ଥୀତ୍ବର ମାନଦଣ୍ଡ କରାଯିବ। ସେଥିପାଇଁ ପୂର୍ବ ନିର୍ବାଚନରେ ଯେଉଁ ପ୍ରାର୍ଥୀମାନେ ୧୦ ପ୍ରତିଶତରୁ ଅଧିକ ଭୋଟ ପାଇଛନ୍ତି ସେମାନଙ୍କୁ ଦିଆଯାଇଛି ଗୁରୁତ୍ୱପୂର୍ଣ୍ଣ ଟାସ୍କ। ସମୟ ଦିଆଯାଇଛି ୬ ମାସ। ଲୋକଙ୍କ ପାଇଁ କାମ କରିବାକୁ ଦିଆଯାଇଛି ଟାର୍ଗେଟ ଓ ଗାଇଡ଼ଲାଇନ। ପ୍ରତି ମାସରେ ହେବ ସମୀକ୍ଷା। ୨୦ ଦିନ ରାଜନୈତିକ ଓ ସାଙ୍ଗଠନିକ କାର୍ଯ୍ୟ କରିବେ ପ୍ରାର୍ଥୀ। ପ୍ରତି ମାସରେ ଦେବେ ରିପୋର୍ଟ। ୬ ମାସରେ ପିସିସି କରିବ ସମୀକ୍ଷା। ଏହି ଆଧାରରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। କାମ ଦେଖିବା ପରେ ନିଷ୍ପତ୍ତି ନିଆଯିବ ସେମାନଙ୍କୁ ନେତୃତ୍ୱ ମିଳିବ ନା ନାହିଁ। ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଭାରୀ ଓ ପିସିସି ସଭାପତି ଏହି ଷ୍ଟ୍ରାଟେଜି କରିଛନ୍ତି।

ନିର୍ବାଚନମଣ୍ଡଳୀ ସ୍ତରରେ ଭୋଟ ଚୋରି, ସମ୍ବିଧାନ ବଞ୍ଚାଅ ଓ ରାହୁଲ ଗାନ୍ଧିଙ୍କ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବେ ଏହି ନେତାମାନେ। ସ୍ଥାନୀୟ ସମସ୍ୟାକୁ ନେଇ ଲୋକଙ୍କ ସହ ଯୋଡ଼ି ହୋଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପଂଚାୟତ ନିର୍ବାଚନରେ ଭୋଟ ପ୍ରତିଶତ ବଢାଇବା ପାଇଁ କାର୍ଯ୍ୟ ଆରମ୍ଭ କରିବାକୁ ମଧ୍ୟ ନିର୍ଦେଶ ରହିଛି। ଦଳର ଆଦେଶ-ରାଜ୍ୟ ଓ କେନ୍ଦ୍ର ବିଜେପି ସରକାରର ବିଫଳତାକୁ ଘରେ ଘରେ ପହଞ୍ଚାଇ ଜନମତ ସୃଷ୍ଟି କର। କଂଗ୍ରେସ ଯେଉଁ ଲଢେଇ କରୁଛି, ସେ କଥା ଲୋକଙ୍କ ପାଖରେ ପହଞ୍ଚାଅ। ହାରିବା ପରେ ବି ପ୍ରାର୍ଥୀଙ୍କ କେତେ ଲୋକପ୍ରିୟତା ରହିଛି ତାହା ପରଖିବ ଦଳ। ଲୋକଙ୍କ ପାଇଁ ନିର୍ବାଚନ ମଣ୍ଡଳୀ ସ୍ତରରେ ଲଢେଇ ବେଳେ ସରକାରୀ ଦଳ ପକ୍ଷରୁ ଅସୁବିଧା ଭୋଗିଲେ ପିସିସିର ଟିମ ସମ୍ପୃକ୍ତ ପ୍ରାର୍ଥୀଙ୍କ ପଛରେ ଛିଡା ହେବ। ଏଥିପାଇଁ ଖୁବ ଶୀଘ୍ର ଟିମ ଗଠନ ହେବ। ପୂର୍ବ ନିର୍ବାଚନରେ ୬୫ରୁ ଅଧିକ କଂଗ୍ରେସ ବିଧାୟକ ପ୍ରାର୍ଥୀ ୧୦ ପ୍ରତିଶତରୁ ଅଧିକ ଭୋଟ ପାଇଛନ୍ତି। ୧୦ ପ୍ରତିଶତରୁ କମ ଭୋଟ ପାଇଥିବା ପ୍ରାର୍ଥୀମାନଙ୍କୁ ମଧ୍ୟ ଅଲଗା ଟାସ୍କ ଦେବ ଦଳ। ସେମାନଙ୍କର ସାମର୍ଥ୍ୟ ମଧ୍ୟ ପରଖାଯିବ।