spot_img

Latest Posts

ଜାମ୍ମୁ ଓ କାଶ୍ମୀର ବାଦଲଫଟା ବର୍ଷା: ବର୍ତ୍ତମାନ ସୁଦ୍ଧା ୨୨୦ରୁ ଅଧିକ ନିଖୋଜ, ମୃତକଙ୍କ ସଂଖ୍ୟା ୬୫ରୁ ଅଧିକ

ଧ୍ବଂସସ୍ତୂପ ତଳୁ ଚାଲିଛି ଜୀବନ ଖୋଜା। ଜାମ୍ମୁ ଓ କାଶ୍ମୀରର କିସ୍ତୱାରରେ ଘଟିଥିବା ବାଦଲଫଟା ବର୍ଷାରେ ବର୍ତ୍ତମାନ ସୁଦ୍ଧା ୨୨୦ରୁ ଅଧିକ ନିଖୋଜ ଥିବାବେଳେ ମୃତକଙ୍କ ସଂଖ୍ୟା ୬୫ରୁ ଅଧିକ ହୋଇଛି। ମୃତକଙ୍କ ସଂଖ୍ୟା ଅଧିକ ହେବା ଆଶଙ୍କା ରହିଛି। ୧୭୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଛନ୍ତି ସିଆଇଏସଏଫର ୨ ଯବାନ। ବିଭିନ୍ନ ବିପଦସଙ୍କୁଳ ସ୍ଥାନରୁ ଶତାଧିକ ବିପନ୍ନଙ୍କୁ ଉଦ୍ଧାର କରାଯାଇଛି। ଚୋସିଟି ଗ୍ରାମ ସମେତ କିଛି ଅଞ୍ଚଳ ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି। ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଚେଲ ମାତା ଯାତ୍ରା ପଥରେ ଏହି ଆକସ୍ମିକ ବିପର୍ଯ୍ୟୟ ଆସିବାରୁ ଅନେକ ଭକ୍ତଙ୍କ ଜୀବନ ଯାଇଛି। ସ୍ଥାନୀୟ ଅଞ୍ଚଳରେ ମେଗା ରେସ୍କ୍ୟୁ ଅପରେସନ ଜାରି ରହିଛି। ଜାମ୍ମୁ ଓ କାଶ୍ମୀର ବିଧାନସଭାର ବିରୋଧୀ ଦଳ ନେତା ସୁନିଲ ଶର୍ମା କହିଛନ୍ତି ବାଦଲଫଟା ବର୍ଷା ଯେଉଁ ସ୍ଥାନରେ ଘଟିଛି ସେହି ସ୍ଥାନରେ ୧୨୦୦ରୁ ଅଧିକ ଲୋକ ଥିଲେ। କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ସହ ଉଦ୍ଧାର କାର୍ଯ୍ୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା।

ଏହି ଘଟଣାରେ ଶୋକବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିସ୍ତୱାରରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ପ୍ରଶାସନ, ପୋଲିସ, ଆର୍ମି, ଏନଡିଆରଏଫ ଓ ଏସଡିଆରଏଫ ନିୟୋଜିତ ଅଛନ୍ତି। ସେହିପରି ହ୍ବାଇଟ ନାଇଟ କର୍ପସର ୩୦୦ ଯବାନ ବି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେଠାରେ ମେଡିକାଲ କ୍ୟାମ୍ପ ବି କରାଯାଇ ଲୋକଙ୍କ ଚିକିତ୍ସା କରାଯାଉଛି। କିସ୍ତାୱାଡ଼ ସହରଠାରୁ ୯୦ କିଲୋମିଟର ଦୂର ଚୋସିତିରେ ଏହି ଅଘଟଣ ଘଟିଥିଲା। ଅନେକ ଦୋକାନ ଓ ସିକ୍ଯୁରିଟି ପୋଷ୍ଟ ବି ମାଟିରେ ମିଶିଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥମୁଭର ମୁତୟନ କରାଯାଇ ଉଦ୍ଧାର କାର୍ଯ୍ୟ କରାଯାଉଛି। ଉଦ୍ଧାର ହୋଇଥିବା ଶବଗୁଡିକର ଚିହ୍ନଟ ପ୍ରକ୍ରିୟା ବି ଜାରି ରହିଛି। ବାଦଲ ଫଟା ବର୍ଷାରେ ଅନେକ ଘର, ସରକାରୀ କାର୍ଯ୍ଯାଳୟ, ୩ଟି ମନ୍ଦିର, ୪ଟି ୱାଟର ମିଲ, ୩୦ ମିଟର ବ୍ରିଜ ମାଟିରେ ମିଶିଛି।

Latest Posts

Don't Miss