ତଳକୁ ତଳକୁ ଯାଉଛି ରାଜ୍ୟ ଏମଏସଏମଇ, ଉଠିବାରେ ସହଯୋଗ କରୁନାହାନ୍ତି ବଡ଼ ଶିଳ୍ପ ସଂସ୍ଥା
1 min read
ନନ୍ଦିଘୋଷ ବ୍ୟୁରୋ: ରାଜ୍ୟର ଏମଏସଏମଇ କ୍ଷେତ୍ରକୁ ବଡ଼ ଶିଳ୍ପ ସଂସ୍ଥାମାନେ ସହଯୋଗ କରୁନାହାନ୍ତି । ଖୋଲା ମଞ୍ଚରେ ଏଭଳି ବଡ଼ ଅଭିଯୋଗ ଆଣିଛନ୍ତି ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଖାଲି ଅଭିଯୋଗ ନୁହେଁ, ଶିଳ୍ପ ମନ୍ତ୍ରୀଙ୍କୁ ଏ ପ୍ରସଙ୍ଗରେ ତୁରନ୍ତ ତଦାରଖ କରିବାକୁ କହିଛନ୍ତି ଗୋକୁଳାନନ୍ଦ । ରାଜ୍ୟର ଶିଳ୍ପ ଗୁଡିକ କାହିଁକି ରାଜ୍ୟର ଏମଏସଏମଇ ସାମଗ୍ରୀ କିଣୁ ନାହାଁନ୍ତି ବୋଲି ଶିଳ୍ପ ମନ୍ତ୍ରୀ ପ୍ରଶ୍ନ କରନ୍ତୁ ବୋଲି ଦାବି କରିଛନ୍ତି ଏମଏସଏମଇ ମନ୍ତ୍ରୀ । ସେପଟେ ଶିଳ୍ପ ମନ୍ତ୍ରୀ ମଧ୍ୟ ଏହା ଉପରେ ଉତ୍ତର ରଖିଥିବା ବେଳେ କ୍ଷୁଦ୍ର ମଧ୍ୟମ ଶିଳ୍ପ ସଂଘ ମଧ୍ୟ ଓଡ଼ିଶାରେ ଚାଲିଥିବା ଏହି ଅସହଯୋଗ କଥା ଉଠାଇଛନ୍ତି ।
ଓଡ଼ିଶାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ସହଯୋଗ ମିଳୁନାହିଁ । ଯାହାକୁ ନେଇ ଖୋଲା ମଞ୍ଚରେ ଶିଳ୍ପ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଓଡିଶା ଆସେମ୍ବଲି ଅଫ ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ-ଓସମୀର ୪୦ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ମଞ୍ଚ ଉପରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କୁ ଏମଏସଏମଇ ମନ୍ତ୍ରୀ ଏଭଳି ପ୍ରଶ୍ନ କରିଛନ୍ତି । ଶିଳ୍ପ ବିଭାଗର ବଡ଼ ଭାଇର ଭୂମିକା ରହିଛି । ରାଜ୍ୟର ଏମଏସଏମଇକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି । କିନ୍ତୁ ବଡ଼ ଶିଳ୍ପ ଦେଉଛନ୍ତି କ’ଣ ବୋଲି ପ୍ରଶ୍ନ କରିଛନ୍ତି ଏମଏସଏମଇ ମନ୍ତ୍ରୀ । ରାଜ୍ୟରେ ବଡ଼ ଶିଳ୍ପ ଓଡ଼ିଶାର ଏମଏସଏମଇରୁ କିଛି କିଣୁ ନାହାଁନ୍ତି ବୋଲି ବଡ଼ ଅଭିଯୋଗ ଆଣିଛନ୍ତି । ଏପରିକି ସେମାନଙ୍କର ଜିଏସଟି ଚେକ କରନ୍ତୁ ବୋଲି ଶିଳ୍ପ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ଓଡିଶାରୁ କେତେ ସାମଗ୍ରୀ ଆଣୁଛ ଓ ବାହାରୁ କେତେ ଆଣୁଛ ଓ କାହିଁକି ଆଣୁଛ ବୋଲି ଶିଳ୍ପ ମନ୍ତ୍ରୀଙ୍କୁ ପ୍ରଶ୍ନ କରନ୍ତୁ ବୋଲି କହିଛନ୍ତି ଗୋକୁଳାନନ୍ଦ ମଲ୍ଲିକ ।
ଓଡିଶା ଆସେମ୍ବଲି ଅଫ ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜ-ଓସମୀ ମଧ୍ୟ ସମାନ ଅଭିଯୋଗ ଆଣିଛି । ରାଜ୍ୟରେ ଏମଏସଏମଇ କ୍ଷେତ୍ରକୁ ବଡ଼ ଶିଳ୍ପ ସହଯୋଗ କରୁନାହାନ୍ତି ବୋଲି କହିଛି ଓସମୀ । ସରକାର ଯଦି ରାଜ୍ୟର ଏମଏସଏମଇ ସାମଗ୍ରୀ କିଣନ୍ତେ ରାଜ୍ୟର ଏମଏସଏମଇ କ୍ଷେତ୍ର ବହୁ ସମୃଦ୍ଧି ହୁଅନ୍ତା । ବଡ଼ ଶିଳ୍ପ ଛୋଟ ଶିଳ୍ପକୁ ସହଯୋଗ କରିବା ଦରକାର । ଯାହା ଫଳରେ ରାଜ୍ୟର ସାମଗ୍ରିକ ପ୍ରଗତି ହୋଇପାରିବ ବୋଲି କହିଛି ସଂଘ । ସେପଟେ ଏମଏସଏମଇ ମନ୍ତ୍ରୀଙ୍କ ଖୋଲା ମଞ୍ଚରେ ଆହ୍ୱାନର ଉତ୍ତର ରଖିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ । ଏକ୍ଷେତ୍ରରେ ଶିଳ୍ପ ବିଭାଗ କାମ କରୁଛି ଓ ଏମଏସଏମଇ ବଢ଼ିବା ପାଇଁ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ।