କିଛି ଦେଶ ଅନ୍ୟ ଦେଶ ଉପରେ କ’ଣ ପାଇଁ ଟାରିଫ୍ ଲାଗୁ କରିଥାନ୍ତି, ଏହା ପଛର କାରଣ କ’ଣ ?

ସାରା ବିଶ୍ବରେ ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫକୁ ନେଇ ବଡ଼ ଚର୍ଚ୍ଚା । ଟ୍ରମ୍ପ ଭାରତ ଉପରେ ପ୍ରଥମେ ୨୫ ପ୍ରତିଶତ ଟାରିଫ ଲାଗୁ କରିଥିବା ବେଳେ ପୁଣି ୨୫ ପ୍ରତିଶତ ଲାଗୁ କରିଛନ୍ତି । ଏହାଫଳରେ ଟ୍ରମ୍ପ ଭାରତ ଉପରେ ମୋଟ ୫୦ ପ୍ରତିଶତ ଟାରିଫ ଲଗାଇଛନ୍ତି । ଭାରତ ମଧ୍ୟ ଏହାର ଜବାବ ଦେଇଛି । ଆମେରିକୀୟ ରାଷ୍ଟ୍ରପତିଙ୍କ ଟାରିଫ ନିଷ୍ପତ୍ତି ଅନୁଚିତ, ଅନ୍ୟାୟପୂର୍ଣ୍ଣ ଓ ତର୍କହୀନ ବୋଲି ଭାରତର ବିଦେଶ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ଏବେ ପ୍ରଶ୍ନ ଉଠୁଛି, ଟାରିଫ ଶବ୍ଦର ଅର୍ଥ କ’ଣ ଓ ଦୁନିଆର ଦେଶମାନେ ଏହାକୁ କାହିଁକି ଲଗାନ୍ତି ? ଟାରିଫ ହେଉଛି ଏକ ପ୍ରକାର ଟ୍ୟାକ୍ସ, ଯାହା ଦେଶକୁ ଆମଦାନୀ ହେଉଥିବା ଜିନିଷ ଉପରେ ଲାଗିଥାଏ । ସହଜ ଭାଷାରେ ବୁଝିଲେ ଟାରିଫ ହେଉଛି ଏକ ପ୍ରକାରର ଆର୍ଥିକ ହତିଆର । ନିଜର ଉତ୍ପାଦଗୁଡ଼ିକୁ ବଞ୍ଚାଇବା, ଆୟ ବଢ଼ାଇବା ଓ ଅନ୍ୟ ଦେଶ ଉପରେ ଚାପ ସୃଷ୍ଟି କରିବା ପାଇଁ ଅଲଗା ଅଲଗା ଦେଶ ଏହାକୁ ପ୍ରୟୋଗ କରିଥାନ୍ତି । ତେବେ ଟ୍ରମ୍ପଙ୍କ ଘୋଷଣା ଏକଛତ୍ରବାଦୀ ଓ ପ୍ରତିଶୋଧପରାୟଣ ପରି ପ୍ରତୀୟମାନ ହେଉଛି । କୌଣସି ଦେଶ ପାଇଁ ଟାରିଫ ଲଗାଇବା କାହିଁକି ଜରୁରୀ ହୋଇଥାଏ, ଆସନ୍ତୁ ଏହାକୁ ବୁଝିବା ।
ପ୍ରଥମ କାରଣ: ଯଦି କୌଣସି ଦେଶ ବାହାରୁ ଶସ୍ତା ସାମଗ୍ରୀ ମଗାଏ ଓ ଉକ୍ତ ଦେଶର କମ୍ପାନୀମାନେ ଉକ୍ତ ଦରରେ ସାମଗ୍ରୀ ପ୍ରସ୍ତୁତ କରି ନପାରନ୍ତି, ତେବେ ଟାରିଫ ଲଗାଇ ବିଦେଶ ସାମଗ୍ରୀକୁ ମହଙ୍ଗା କରାଯାଏ ।
ଦ୍ବିତୀୟ କାରଣ: ଦେଶର ବ୍ୟବସାୟ କ୍ଷତିକୁ କମ୍ କରିବା ପାଇଁ ଟାରିଫ ଲଗାଇଥାନ୍ତି । ଯଦି କୌଣସି ଦେଶ ଅଧିକ ସାମଗ୍ରୀ ଆମଦାନୀ କରିଥାଏ ଓ କମ୍ ବିକ୍ରି କରିଥାଏ, ତେବେ ଘାଟା ହୋଇଥାଏ । ଏପରି ଭାବେ ଟାରିଫ ଲଗାଇ ଆମଦାନୀକୁ ହ୍ରାସ କରାଯାଏ, ଫଳରେ ବେପାର ସନ୍ତୁଳିତ ରହିଥାଏ ।
ତୃତୀୟ କାରଣ: ରାଜନୈତିକ କାରଣରୁ ମଧ୍ୟ ଏଭଳି ନିଷ୍ପତ୍ତି ନିଆଯାଇଥାଏ । କୌଣସି ଦେଶ ଯାହାକୁ ନିଜର ଶତ୍ରୁ ଭାବିଥାଏ ଓ ପସନ୍ଦ କରିନଥାଏ, ତା’ ଉପରେ ଆର୍ଥିକ ଚାପ ପକାଇବା ପାଇଁ ଟାରିଫ ଲଗାଇଥାଏ ।
ଚତୁର୍ଥ କାରଣ: କିଛି ଦେଶ ନିଜର ରାଜସ୍ବ ଭରିବା ପାଇଁ ଟାରିଫ ଲଗାଇଥାନ୍ତି । ଏହାଦ୍ବାରା ବହୁମାତ୍ରା ଫଣ୍ଡ ସଂଗ୍ରହ କରାଯାଇଥାଏ ଓ ଦେଶ ଚାଲିଥାଏ ।
ପଞ୍ଚମ କାରଣ: କିଛି ଦେଶ କ୍ବାଲିଟି ପ୍ରଡକ୍ଟକୁ ମେଣ୍ଟେନ କରିବା ପାଇଁ ଏଭଳି ପଦକ୍ଷେପ ଉଠାଇଥାନ୍ତି । ଫଳରେ ଉକ୍ତ ଦେଶର ବଜାରରେ ଅନ୍ୟ ଦେଶର ଖରାପ ସାମଗ୍ରୀ ପହଞ୍ଚି ପାରିନଥାଏ ।