spot_img

Latest Posts

ମହାନଦୀ ଜଳ ବିବାଦକୁ ନେଇ ସର୍ବଦଳୀୟ ବୈଠକ ଡାକିବାକୁ ନବୀନଙ୍କ ଦାବି, ସମର୍ଥନ କଲା କଂଗ୍ରେସ

ଭୁବନେଶ୍ବର : ମହାନଦୀ ପାଇଁ ହୋଇଛି କି ରୁଦ୍ଧ ଦ୍ବାର ଡିଲ ? ଓଡ଼ିଶାର ଜଳ ଅଧିକାରକୁ କରି ଦିଆଯାଉଛି କି ଗୌଣ ? ରାଜ୍ୟ ସରକାର ଆଇନଗତ ଲଢ଼େଇରୁ ଓହିରି ଯାଇଛନ୍ତି କି ? ଯଦି ଓହରି ନାହାନ୍ତି ତେବେ ତୁରନ୍ତ ଡାକନ୍ତୁ ସର୍ବଦଳୀୟ ବୈଠକ।  ଛତିଶଗଡ ସହ କେଉଁ ପ୍ରକାର ବୁଝାମଣା ହୋଇଛି ତାହା ସ୍ପଷ୍ଟ କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ରାଜ୍ୟ ସରକାର ଆଇନଗତ ଲଢେଇ ଲଢିବେ ନା ନାହିଁ ତାହା ମଧ୍ୟ ସ୍ପଷ୍ଟ କରିବାକୁ ଦାବି କରିଛନ୍ତି ନବୀନ। ଦୁଇ ରାଜ୍ୟ ମଧ୍ୟରେ ଆପୋଷ ବୁଝାମଣା ଜରିଆରେ ମହାନଦୀ ବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଏଭଳି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଅଗଷ୍ଟ ୨ ତାରିଖରେ ଟ୍ରିବ୍ୟୁନାଲରେ ପରବର୍ତ୍ତୀ ଶୁଣାଣି ଥିବାରୁ, ସରକାର ଏବେଠୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦାବି ହୋଇଛି। ସରକାର ରାଜ୍ୟବାସୀ ଓ ରାଜନୈତିକ ଦଳଙ୍କୁ ବିଶ୍ବାସକୁ ନେବା ଦରକାର। କାରଣ ମହାନଦୀ କେବଳ ଏକ ନଦୀ ନୁହେଁ, ଏହା ରାଜ୍ୟର ଆତ୍ମା। ତେଣୁ ମହାନଦୀ ବିବାଦରେ ସରକାର ସ୍ବଚ୍ଛତା ଅବଲମ୍ବନ କରିବା ଉଚିତ ବୋଲି କହିଛନ୍ତି ନବୀନ। ଜଳ ବିବାଦ ନେଇ ନବୀନ ଉଦବେଗ ପ୍ରକାଶ କରିବା ପରେ ଶାସକ ବିଜେପିକୁ ଘେରିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ। ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ଛତିଶଗଡ଼ ମହାନଦୀ ଜଳ ଛାଡୁନାହିଁ। ଓଡ଼ିଶାରେ ଅଣମୌସୁମୀ ସମୟରେ ଦେଖାଦେଉଛି ଜଳ ସଙ୍କଟ। ଛତିଶଗଡ, ଓଡ଼ିଶା ଓ କେନ୍ଦ୍ରରେ ବିଜେପି ସରକାର ଥିଲେ ମଧ୍ୟ କାହିଁକି ସମସ୍ୟାର ସମାଧାନ ହେଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ। ଏହାସହ ମହାନଦୀ ଜଳ ବିବାଦର ସମାଧାନ ପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି, ସେନେଇ ସର୍ବଦଳୀୟ ବୈଠକ ଡାକି ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ।

ତତ୍କାଳୀନ ରାଜ୍ୟ ସରକାରଙ୍କ ପିଟିସନ ଆଧାରରେ ୨୦୧୮ ଜାନୁଆରୀ ୨୩ ତାରିଖରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଜେଡିର ନିୟମିତ ଦାବି ଯୋଗୁ ମାର୍ଚ୍ଚ ୧୨ ତାରିଖରେ ଟ୍ରିବ୍ୟୁନାଲ ଗଠନ କରିଥିଲେ କେନ୍ଦ୍ର କ୍ୟାବିନେଟ। ହେଲେ ଏବେ ଦେଖିବାକୁ ମିଳୁଛି ଯେ, ବିଜେଡି ଯେଉଁ  ଆଇନଗତ ଲଢେଇ ଆରମ୍ଭ କରିଥିଲା, ତାକୁ ଦୁର୍ବଳ କରିଦେବାକୁ ଚେଷ୍ଟା କରାଯାଉଛି । ରାଜ୍ୟବାସୀଙ୍କୁ ବିଶ୍ବାସକୁ ନନେଇ ରାଜ୍ୟ ସରକାର କେଉଁ ପ୍ରକାର ଆପୋଷ ବୁଝାମଣା କରୁଛନ୍ତି ତାହା ମଧ୍ୟ ସ୍ପଷ୍ଟ କରୁନାହାନ୍ତି । ରାଜ୍ୟ ସ୍ବାର୍ଥକୁ ରୁଦ୍ଧ ଦ୍ବାର ଡିଲରେ ପାଣିଚିଆ କରାଯାଉଛି କି ବୋଲି ନବୀନ ପ୍ରଶ୍ନ କରିବା ସହ, ଏନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ ଉତ୍ତର ଦେବାକୁ ଦାବି କରିଛନ୍ତି। ଅନ୍ୟପଟେ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ଯେ, ଏବେ ଟ୍ରିପଲ ଇଞ୍ଜିନ ସରକାର ଅଛି । ଆମେ ଏହା ଉପରେ ନଜର ରଖିଛୁ। ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା ସରିଛି ବୋଲି କହିଛନ୍ତି ମନ୍ତ୍ରୀ ରବି ନାୟକ। ସୋସିଆଲ ମଡିଆରେ ମହାନଦୀ ପ୍ରସଙ୍ଗରେ ଓଡ଼ିଶାର ହକକୁ ନ୍ୟୁନ କରିବାକୁ ହେଉଥିବା ଉଦ୍ୟମକୁ ନେଇ ବର୍ଷିଛନ୍ତି ନବୀନ। ମହାନଦୀ ଓଡ଼ିଶାର ଜୀବନରେଖା। ତେଣୁ ତୁରନ୍ତ ବିଜେପି ସରକାର ଭିତିରି ବୁଝାମଣା ନୁହେଁ, ବରଂ ରାଜ୍ୟର ସ୍ବାର୍ଥକୁ ଗୁରୁତ୍ବ ଦେବାକୁ ଦାବି କରିଛନ୍ତି ନବୀନ ପଟ୍ଟନାୟକ।

Latest Posts

Don't Miss