ପାକିସ୍ତାନରେ ଚମତ୍କାର: ୫ ମହଲା କୋଠା ଭୁଶୁଡ଼ି ଗୋଟିଏ ହିନ୍ଦୁ ପରିବାରର ୨୦ ମୃତ, ୩ ମାସ ଶିଶୁକନ୍ୟା ଜୀବିତ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର କରାଚି ସହର ଲିୟାରି ସହରରେ ଭୟଙ୍କର ଘଟଣା । ଭୁଶୁଡ଼ଇ ପଡିଲା ୫ ମହଲାର କୋଠା । କଂକ୍ରିଟ ତଳେ ଚାପି ହୋଇ ୨୭ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଗୋଟିଏ ହିନ୍ଦୁ ପରିବାର ୨୦ ଜଣ ସଦସ୍ୟ ଅଛନ୍ତି । ତେବେ ଏତେ ବଡ଼ ଅଘଟଣରେ ଏକ ଚମତ୍କାର ଦେଖିବାକୁ ମିଳିଛି । ଯେଉଁ ହିନ୍ଦୁ ପରିବାରର ୨୦ ଜଣ ସଦସ୍ୟ ଏହି ଘଟଣାରେ ମୃତ୍ୟୁବରଣ କରିଛନ୍ତି ସେହି ପରିବାରର ଏକ ତିନି ମାସର ଶିଶୁକନ୍ୟାକୁ ଜୀବିତ ଉଦ୍ଧାର କରାଯାଇଛି । ପିଲାଟିକୁ ସାମାନ୍ୟ ଆଘାତ ଲାଗିଥିଲେ ବି ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି । ଏହି ଭୟଙ୍କର ଘଟଣାରେ ଏକ ଶିଶୁକନ୍ୟା ଏମିତି ଜୀବିତ ଉଦ୍ଧାର ହେବା ସମସ୍ତଙ୍କୁ ଚକିତ କରି ଦେଇଛି ।
ଏତେ ବଡ଼ ଅଘଟଣକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି । କେମିତି ଓ କାହା ଅବହେଳାରୁ ଏହି ଅଘଟଣ ଘଟିଲା ତାହା ଏବେ ବଡ଼ ପ୍ରଶ୍ନ ଛିଡ଼ା କରିଛି । କୋଠା ଭୁଶୁଡ଼ିବାକୁ ନେଇ ପ୍ରଶାସନିକ ସ୍ତରରେ କୌଣସି କାରଣ ସ୍ପଷ୍ଟ କରାଯାଇନାହିଁ । ହେଲେ ସିନ୍ଧ ସରକାରଙ୍କ ପକ୍ଷରୁ କୁହାଯାଇଛି ଲିୟାରି ଅଞ୍ଚଳରେ ୨୨ଟି କୋଠା ବିପଦ ସଙ୍କୁଳ ଅବସ୍ଥାରେ ଥିଲା । ଏଥିରୁ ୧୪ଟିକୁ ଖାଲି କରିଦିଆଯାଇଥିଲା । ଏହି କୋଠାଟି ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ଥିଲା । ଏହି କାରଣରୁ କୋଠାଟି ଭୁଶୁଡ଼ି ଥିବା ଅନୁମାନ କରାଯାଉଛି ।
କେମିତି ବଞ୍ଚିଗଲା ତିନି ମାସର ଶିଶୁକନ୍ୟା ?
ଘଟଣାରେ ୨୭ ଜଣ ଲୋକଙ୍କ ଜୀବନ ଯାଇଛି । ହେଲେ ଏକ ତିନି ମାସର ଶିଶୁକନ୍ୟାକୁ ଜୀବିତ ଉଦ୍ଧାର କରାଯାଇଛି । ଉଦ୍ଧାରକାରୀ ଟିମର ସଦସ୍ୟ ମଜହର ଅଲ୍ଲୀ କହିଛନ୍ତି, ଖବର ପାଇବା ପରେ ସେମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଥିଲୁ । ଆମର ପ୍ରଥମ କାମ ଥିଲା ଅଧିକରୁ ଅଧିକ ଲୋକଙ୍କୁ ଧ୍ବଂସସ୍ତୁପରୁ ଜୀବିତ ଉଦ୍ଧାର କରିବା । ଉଦ୍ଧାର କାର୍ଯ୍ୟ ବେଳେ ଏକ ତିନି ମାସର ଶିଶୁକନ୍ୟାକୁ ଜୀବିତ ଓ ସୁସ୍ଥ ଅବସ୍ଥାରେ ଉଦ୍ଧାର କରିଥିଲୁ । ହେଲେ ଶିଶୁକନ୍ୟାର ମାଓ ଓ ତାଙ୍କ ପରିବାରର ବହୁତ ଲୋକଙ୍କ ମୃତଦେହ କିଛି ଦୂରରୁ ଉଦ୍ଧାର କରାଯାଇଥିଲା । ଶିଶୁଟିର ଦେହରେ ଧୂଳି ଲାଗିଥିଲା ଓ ସେ ସାମାନ୍ୟ ଆହତ ହୋଇଥିବା ବେଳେ ନାକରୁ ରକ୍ତ ବାହାରୁଥିଲା । ଏହା ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ କିଛି ଆଘାତ ଲାଗି ନଥିଲା । ମଜହର କହିଛନ୍ତି, କୋଠା ଭୁଶୁଡ଼ିବା ସମୟରେ ଶିଶୁର ମାଆ ତାକୁ ବଞ୍ଚାଇବାକୁ ଦୂରକୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି ।