କାଟ୍ରିନା କୈଫଙ୍କ ପ୍ରଥମ ଫିଲ୍ମ: ବୁଡ଼ିଗଲା ଜ୍ୟାକି ସରଫଙ୍କ ପତ୍ନୀଙ୍କ କୋଟି କୋଟି ଟଙ୍କା

ନନ୍ଦିଘୋଷ ବ୍ୟୁରୋ: କାଟ୍ରିନା କୈଫଙ୍କ ନାଁ କିଏ ନ ଜାଣେ । ପିଲାଠୁ ବୟସ୍କ ସମସ୍ତେ ତାଙ୍କ ଫିଲ୍ମ ଦେଖିବାକୁ ପାଗଳ । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ବଲିଉଡ଼ରେ ୨୦ ବର୍ଷରୁ ଅଧିକ ହେବ ରାଜ କରୁଥିବା ଏହି ଅଭିନେତ୍ରୀଙ୍କ ଡେବ୍ୟୁ ଫିଲ୍ମ ମାଟି କାମୁଡ଼ି ଥିଲା । ଆଉ ସବୁଠାରୁ ବଡ଼ କଥା ହେଲା ଫିଲ୍ମରେ ଅମିତାଭ ବଚ୍ଚନ, ଜ୍ୟାକି ସରଫ ଏବଂ ଗୁଲସନ ଗୋବରଙ୍କ ପରି ଦିଗଜ କଳାକାର ଥାଇ ବି ଫିଲ୍ମଟି କେବେ ଆସିଲା ଓ କେବେ ଗଲା କେହି ଜାଣି ପାରି ନଥିଲେ । ଆଉ ଏଥିରେ ଟଙ୍କା ଲଗାଇ ଥିବା ଜ୍ୟାକି ସରଫଙ୍କ ପତ୍ନୀ ଆୟଶା ସରଫ କାଙ୍ଗାଳ ହୋଇଯାଇଥିଲେ । ତେବେ ଆସନ୍ତୁ ଜାଣିବା ପୂରା ଘଟଣା…

ସଂଯୋଗରେ କ୍ୟାଟ୍ରିନା ବଲିଉଡ଼ରେ ଏଣ୍ଟ୍ରି ମାରିଥିଲେ । ଆଉ ପ୍ରଥମ ଫିଲ୍ମ ‘ବୁମ’ ବକ୍ସ ଅଫିସରେ ଚିତ ପଟ୍ଟାଙ୍ଗ ମାରିଥିଲା । ୨୦୦୩ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ କେଜାଦ ଗୁସ୍ତାଦ । ସାଙ୍ଗଙ୍କ ସହ ଭାରତ ବୁଲିବାକୁ ଆସିଥିବା ପରଦେଶୀ କାଟ୍ରିନା ଏକ ଫ୍ୟାଶନ ଶୋ’ରେ ଭାଗ ନେଇଥିଲେ । ଏହି ଶୋ’ରେ ତାଙ୍କ ଉପରେ କେଜାଦଙ୍କ ନଜର ପଡ଼ିଥିଲା । ଆଉ ସଙ୍ଗେ ସଙ୍ଗେ ସେ ‘ବୁମ୍’ ପାଇଁ କାଟ୍ରିନାଙ୍କୁ ସାଇନ କରାଇ ନେଇଥିଲେ । ଜ୍ୟାକିଙ୍କ ପତ୍ନୀ ଆୟଶା ଏଥିରେ ଟଙ୍କା ଲଗାଇଥିଲେ ।

ଫିଲ୍ମରେ କାଟ୍ରିନା ଜଣେ ସୁପର ମଡେଲ ଚରିତ୍ରରେ ନଜରକୁ ଆସିଥିଲେ । ଏପରିକି ନିଜ ବୟସରୁ ୨୮ ବର୍ଷ ବଡ଼ ଗୁଲଶନ ଗୋବରଙ୍କ ସହ ତାଙ୍କର କିସ ସିନ୍ ବି ଥିଲା । ଫିଲ୍ମରେ ବିଗ୍ ବି ଓ ଜ୍ୟାକିଙ୍କ ପରି କଳାକର ଥିଲେ ବି ୫ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ମାତ୍ର ୧.୨୦ କୋଟି ଟଙ୍କା ରୋଜଗାର କରିଥିଲା ।