ଜୋର ଧରିଲା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଦାବି

1 min read

ନନ୍ଦିଘୋଷ ବ୍ୟୁରୋ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ରହିବେ ନା ଯିବେ। ଏହାକୁ ନେଇ ଚାଲିଲାଣି ସସପେନ୍ସ। ସେପଟେ ସିଦ୍ଦରମୈୟା କହିଛନ୍ତି ସେ ୫ ବର୍ଷ ମୁଖ୍ୟମନ୍ତ୍ରୀ ରହିବେ। ତେଣେ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର କହିଛନ୍ତି ସିଦ୍ଦରମୈୟାଙ୍କୁ ସମର୍ଥନ କରିବା ବ୍ୟତୀତ ତାଙ୍କ ନିକଟରେ ବିକଳ୍ପ ନାହିଁ। କର୍ଣ୍ଣାଟକର କଂଗ୍ରେସ ବିଧାୟକଙ୍କ ସହ ବରିଷ୍ଠ କଂଗ୍ରେସ ନେତା ରଣଦୀପ ସିଂ ସୂର୍ଯେବାଲା ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନେଇ ଚର୍ଚ୍ଚା ବଢିଥିଲା। ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଅଧିକାଂଶ ବିଧାୟକ ଚାହାନ୍ତି ବୋଲି ଜଣେ ବିଧାୟକ କହିବା ପରେ ଏହି ଚର୍ଚ୍ଚା ଜୋର ଧରିଛି। ଏପରିକି ସେ କହିଥିଲେ ଯଦି ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରା ନଯାଏ ତେବେ ଆସନ୍ତା ୨୦୨୮ରେ କଂଗ୍ରେସ କ୍ଷମତାକୁ ଆସି ନପାରେ। ଶିବକୁମାରଙ୍କ ସମର୍ଥକ କହିଛନ୍ତି- ବର୍ତ୍ତମାନ ତୁରନ୍ତ ସିଦ୍ଦରମୈୟା ଇସ୍ତଫା ଦିଅନ୍ତୁ ଓ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ। କଂଗ୍ରେସ ବିଧାୟକ ଇକବଲ ହୁସେନ କହିଛନ୍ତି ଶିବକୁମାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ପ୍ରାୟ ୧୦୦ ବିଧାୟକ ଚାହାଁନ୍ତି। ଶିବକୁମାର ଦଳ ଲାଗି ଅଜସ୍ର ପରିଶ୍ରମ କରୁଛନ୍ତି। ଦଳକୁ ମଜଭୁତ କରିବା ଲାଗି ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ରଣଦୀପ ସୂର୍ଯେବାଲାଙ୍କ ସହ ବୈଠକବେଳେ ଅଧିକାଂଶ କଂଗ୍ରେସ ବିଧାୟକ ଶିବକୁମାରଙ୍କ ସପକ୍ଷରେ କହିଥିବା ସୂଚନା ମିଳିଛି। ପୂର୍ବରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଥିଲେ- ମୁଖ୍ୟମନ୍ତ୍ରୀ ପଦ ନେଇ ନିଷ୍ପତ୍ତି କଂଗ୍ରେସ ହାଇକମାଣ୍ଡ ନେବେ। ତେଣେ ସୂର୍ଯେବାଲା କହିଛନ୍ତି- ରାଜ୍ୟରେ କଂଗ୍ରେସ ସରକାର ପାଞ୍ଚ ବର୍ଷ ଲାଗି ଦୃଢ଼ ରିହବ। ୨୦୨୩ ନିର୍ବାଚନ ବେଳେ କଂଗ୍ରେସର ବିପୁଳ ବିଜୟ ହୋଇଥିଲା ଏବଂ ଶିବକୁମାର ମୁଖ୍ୟମନ୍ତ୍ରୀ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। କିଛି ଦିନର ଘଣ୍ଟାଚକଟା ପରେ ସିଦ୍ଦରମୈୟାଙ୍କ ନାଁରେ ମୋହର ମାରିଥିଲେ ହାଇକମାଣ୍ଡ। ସେପଟେ କର୍ଣ୍ଣାଟକର ସର୍ବାଧିକ କାଳ ରହିଥିବା ମୁଖ୍ୟମନ୍ତ୍ରୀ ଡି. ଦେବରାଜ ଉର୍ସଙ୍କ ରେକର୍ଡ ଭାଙ୍ଗିବା ଲାଗି ସିଦ୍ଦରମୈୟା ଚାହୁଁଥିବା ଚର୍ଚ୍ଚା ଚାଲିଛି। ଦେବରାଜ ଉର୍ସ ସର୍ବାଧିକ ୭ ବର୍ଷ ଶାସନରେ ଥିଲେ।