‘AI-171 ବିମାନ ଦୁର୍ଘଟଣାରେ ସମ୍ପୂର୍ଣ୍ଣ ସହଯୋଗ କରିବ ଏୟାର ଇଣ୍ଡିଆ’
1 min read
ନନ୍ଦିଘୋଷ ବ୍ୟୁରୋ : AI-171 ବିମାନ ଦୁର୍ଘଟଣାରେ ସମ୍ପୂର୍ଣ୍ଣ ସହଯୋଗ କରିବ ଏୟାର ଇଣ୍ଡିଆ । ଆଜି ଏକ ପ୍ରେସ ବିବୃତ୍ତି ଜାରି କରି ଏହି କଥା କହିଛନ୍ତି ଏୟାରଇଣ୍ଡିଆ ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ କ୍ୟାମ୍ପବେଲ ଓ୍ବିଲସନ । ଦୁର୍ଘଟଣା ପରେ ପ୍ରଥମକରି ନିଜର ପ୍ରତିକ୍ରିୟା ରଖି କ୍ୟାମ୍ପବେଲ କହିଛନ୍ତି ଦୁର୍ଘଟଣା କାରଣ ଖୋଜି ବାହାର କରିବା ପାଇଁ ୪୦ ଜଣ ଇଞ୍ଜିନିୟର ଓ ୧୦୦ ଜଣ କେୟାରଟେକର ଅହମ୍ମଦାବାଦ ଗସ୍ତ କରିଛନ୍ତି । ଇଞ୍ଜିନିୟରମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବେ । କେୟାରଟେକରମାନେ ଆହତ ଓ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହଯୋଗ କରିବେ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରଙ୍କୁ ସହାୟତା କରିବା ପାଇଁ କମ୍ପାନୀ ପକ୍ଷରୁ ଅହମ୍ମଦାବାଦ, ମୁମ୍ବାଇ, ଦିଲ୍ଲୀ ଏବଂ ଲଣ୍ଡନର ଗଟଓ୍ବିକ୍ ବିମାନବନ୍ଦରରେ ସହାୟତା କେନ୍ଦ୍ର ଖୋଲାଯାଇଛି । ଏୟାରଇଣ୍ଡିଆର ମୂଳ କମ୍ପାନୀ ଟାଟା ଗ୍ରୁପ ପକ୍ଷରୁ ସମସ୍ତ ମୃତକଙ୍କ ପରିବାରକୁ ୧ କୋଟି ଲେଖାଏଁ କ୍ଷତିପୂରଣ ରାଶି ଦେବାକୁ ଘୋଷଣା କରାଯାଇଛି । ଯାହାକି ବ୍ରିଟେନ୍ ମୁଦ୍ରାରେ ୮୫ ହଜାର ପାଉଣ୍ଡ । ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ କମ୍ପାନୀ ବହନ କରିବ । ଏପରି ଘଡ଼ିସନ୍ଧି ମୂହୁର୍ତ୍ତରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ପରିବାର ବର୍ଗଙ୍କ ପ୍ରତି ସହାନୁଭୁତି ଜଣାଉଛି । ସକାଳେ ସେ ନିଜେ ଘଟଣାସ୍ଥଳ ଗସ୍ତ କରିଥିଲେ । ଦୁର୍ଘଟଣା ପରବର୍ତ୍ତୀ ଉଦ୍ଧାରକାର୍ଯ୍ୟ ଓ ସମସ୍ତ ପ୍ରକାର ସହାୟତା ପାଇଁ ଗୁଜୁରାଟ ସରକାରଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ଓ୍ବିଲସନ । ଦୁର୍ଘଟଣାର ତଦନ୍ତ ଯେପରି ପୂର୍ଣ୍ଣ ସ୍ବଚ୍ଛତାର ସହ କରାଯିବ ସେ ନେଇ କମ୍ପାନୀ ପ୍ରତିଶ୍ରୁତିବଦ୍ଧ ବୋଲି ସ୍ପଷ୍ଟ କରିଛନ୍ତି ଏୟାର ଇଣ୍ଡିଆ ସିଇଓ । ଏହି ଦୁର୍ଘଟଣାରେ ଜଣଙ୍କୁ ଛାଡ଼ି ବାକି ୨୪୧ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ପ୍ରାଣ ହରାଇଥିବା କ୍ୟାମ୍ପବେଲ ସ୍ପଷ୍ଟ କରିଛନ୍ତି ।