ବିରୋଧୀ ଦଳରେ ଥିବା ବେଳେ ବିଜେପି ଦେଇଥିଲା ପ୍ରତିଶ୍ରୁତି, ସରକାରକୁ ଆସିବା ପରେ ପ୍ରତାରଣା ଅଭିଯୋଗ

1 min read

ଭୁବନେଶ୍ବର : ନିର୍ବାଚନ ପୂର୍ବରୁ ଗୋଟେ କଥା, ସରକାରକୁ ଆସିବା ପରେ ଆଉ ଗୋଟିଏ କଥା । ଏବେ ବିଜେପି ସରକାରଙ୍କ କାନରେ ପଡୁନି ଶିକ୍ଷକଙ୍କ ଆକୁଳ ଚିତ୍କାର ।  ସେତେବେଳେ ବିଜେପି ବିରୋଧୀ ଦଳରେ ଥିଲା, ଏବେ ରାଜ୍ଯରେ ଡବଲ ଇଞ୍ଜିନ ସରକାର । ସମସ୍ତ ପ୍ରତିଶୃତି ପୂରଣ କରିବା ପାଇଁ ସକ୍ଷମ ଥାଇ ମଧ୍ୟ ଶିକ୍ଷକଙ୍କ ଦାବି ପୂରଣ ହେଉନାହିଁ । ଫଳରେ ଏବେ ଗାନ୍ଧୀ ମାର୍ଗରେ କନିଷ୍ଠ ଶିକ୍ଷକଙ୍କ ଗର୍ଜନ କରିଛନ୍ତି । ଡବଲ ଇଞ୍ଜିନ ସରକାରଙ୍କ ଉପରେ ବର୍ଷିଛନ୍ତି । ଗୋଟିଏ ପଟେ ନିଯୁକ୍ତି ପତ୍ର ବଣ୍ଟନ, ଆଉ ଗୋଟିଏ ପଟେ ଶିକ୍ଷକଙ୍କୁ ହତାସ କରାଯାଉଥିବା ଅଭିଯୋଗ ହୋଇଛି । ଖରା ଓ ଗୁଳିଗୁଳିଙ୍କୁ ଖାତିର ନ କରି ପ୍ରତିବାଦ କରିଛନ୍ତି ଶିକ୍ଷକ । କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ ଚାକିରି ଓ NEP ଆଧାରରେ  ବାଲବାଟିକାରେ କନିଷ୍ଠ ଶିକ୍ଷକ ଓ ଶିକ୍ଷଯତ୍ରୀ ମାନଙ୍କୁ ବୋଝ ନ ଦେଇ ନୂଆ ନିଯୁକ୍ତି ଦେବାକୁ ଦାବି ହୋଇଛି।

ଉତ୍ତରପ୍ରଦେଶ ଭଳି କେତେକ ରାଜ୍ୟରେ କେନ୍ଦ୍ରୀୟ ହାରରେ ଦରମା ଦିଆଯାଉଥିବା ବେଳେ ଓଡ଼ିଶାରେ ଏବେ ମଧ୍ୟ ଯୋଜନଭିତ୍ତୀକ ପ୍ରଥାର ପ୍ରଚଳନ ଚାଲିଛି। ହିମାଚଳରେ ପ୍ରାଥମିକ ଶିକ୍ଷକମାନଙ୍କର ଦରମା ସବୁଠାରୁ ଅଧିକ ୫୯,୭୭୦ ଟଙ୍କା ରହିଥିବା ବେଳେ ଓଡିଶାରେ ସର୍ବନିମ୍ନ ୧୬୦୦୦ ଟଙ୍କା । ତାଲିମ୍ ସମୟରେ ପ୍ରତିବର୍ଷ ଗୋଟିଏ ଲେଖାଏଁ ବୋର୍ଡ ପରୀକ୍ଷା ଦେବା ପରେ ପୁନଶ୍ଚ ଦୁଇ ଦୁଇଟି ପ୍ରବେଶିକା ଜରିଆରେ ବର୍ତ୍ତମାନ ନିଯୁକ୍ତି ଦିଆଯାଉଛି।ସେପଟେ ସମୟ ଅନୁସାରେ ସମସ୍ୟାର ସମାଧାନ ହେବ । ବ୍ୟତିବ୍ୟସ୍ତ ହୋଇ ସ୍କୁଲ ବନ୍ଦ କରି ରାଜରାସ୍ତାରେ ନ ବସିବା ପାଇଁ କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ । ବୋଝ ଉପରେ ଲଳିତା ବିଡା ପରି ପୁଣି ଶିଶୁବାଟିକା ପରି ଏକ ଶ୍ରେଣୀକୁ ଆଣି ଯୋଡି ଦେଇ ତାର ସମସ୍ତ ଭାର ପ୍ରାଥମିକ ଶିକ୍ଷକଙ୍କ ଉପରେ ଲଦି ଦେଇଛନ୍ତି। ହେଲେ ଏହି ଶ୍ରେଣୀରେ ଶିକ୍ଷାଦାନ ପାଇଁ ରାଜ୍ୟ ସରକାରଙ୍କ ଶିକ୍ଷକ ଆବଶ୍ୟକ ବୋଲି ଅନୁଭୂତ ହେଲା ନାହିଁ କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି  ଶିକ୍ଷକ ।