ଜମି ବିବାଦରୁ ଦୁଇ ପରିବାର ମଧ୍ୟରେ ସଂଘର୍ଷ: ଜଣେ ମୃତ

ନନ୍ଦିଘୋଷ ବ୍ୟୁରୋ: ଜମି ବିବାଦରୁ ଦୁଇ ପରିବାର ମଧ୍ୟରେ ସଂଘର୍ଷ। ଏଥିରେ ଜଣକର ମୃତ୍ୟୁ ହୋଇଛି। ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ଯରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିବାରୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି। ନୟାଗଡ଼ ସଦର ଥାନା ଦୁର୍ଦ୍ଦୁରା ଗାଁରେ ଘଟିଛି ଏହି ଘଟଣା। ମୃତକ ହେଲେ ବାବୁ ସ୍ବାଇଁ । ଦୁର୍ଦ୍ଦୁରା ଗାଁର ଦୁଃଖିଶ୍ଯାମ ବଡତିଆ ଏବଂ ଭ୍ରମର ବଡତିଆ ଦୁଇଭାଇ । ଭ୍ରମର ନିଜର ଗୋଟିଏ ଯାଗାକୁ ଗାଁର ବାବୁ ସ୍ବାଇଁଙ୍କୁ ବିକ୍ରି କରିବାକୁ କଥା ଦେଇଥିଲେ। ସେହି ଜାଗାକୁ ସାନଭାଇ ଦୁଃଖିଶ୍ଯାମ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହାକୁ ନେଇ ଦୁଃଖିଶ୍ଯାମ ଏବଂ ତାଙ୍କର ଦୁଇପୁଅ ମାରଣାସ୍ତ୍ର ଧରି ଆକ୍ରମଣ କରିବାରୁ ଘଟଣାସ୍ଥଳରେ ବାବୁ ସ୍ବାଇଁଙ୍କର ମୃତ୍ଯୁ ହୋଇଛି। ତାଙ୍କ ସାନଭାଇ ଅମର ଗୁରୁତର ଆହତ ହୋଇଛନ୍ତି । ଆକ୍ରମଣ ପ୍ରତିଆକ୍ରମଣରେ ଭ୍ରମର ଏବଂ ଦୁଃଖିଶ୍ଯାମଙ୍କ ପରିବାରର ୫ଜଣ ଗୁରୁତର ଆହତ ହୋଇଛନ୍ତି । ଅମର ସ୍ବାଇଁ , ଭ୍ରମର ବଡତିଆ ଏବଂ ମନୋଜ ବଡତିଆଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି। ସଦରଥାନା ଆଇଆଇସି ଏବଂ ନୟାଗଡ ଏସଡିପିଓ ମେଡିକାଲରେ ପହଞ୍ଚି ଗୁରୁତରଙ୍କୁ ପଚରାଉଚରା କରିଛନ୍ତି।