୧୧ ନୂଆ ସର୍ତ୍ତ ସହ IMFର ଚେତାବନୀ, ପାକିସ୍ତାନ ଉପରକୁ ମାଡ଼ି ଆସୁଛି ଯୁଦ୍ଧଠୁ ବି ବଡ଼ ସଙ୍କଟ

1 min read

ନନ୍ଦିଘୋଷ ବ୍ୟୁରୋ: ଆତଙ୍କିସ୍ତାନ ପାକିସ୍ତାନ ଉପରେ ମାଡ଼ି ଆସୁଛି ଆଉ ଏକ ବଡ଼ ସଙ୍କଟ । ଭାରତର ଆକ୍ରମଣ ଭୟରେ ଥର ଥର କମ୍ପୁଥିବା ପାକିସ୍ତାନର ନିଦ ହଜାଇଲା ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ (IMF) । ଭାରତ-ପାକ ଯୁଦ୍ଧ ଭିତରେ ପାକିସ୍ତାନକୁ ମୋଟ ଆକାରର ଋଣ ଦେଇ ସାରା ବିଶ୍ବରେ ନିଜର ଇମେଜ ଖରାପ କରିଥିବା IMF ବି ବୁଝି ସାରିଛି ଦେଇଥିବା ଟଙ୍କା ବୁଡ଼ିବାକୁ ଯାଉଛି । ସେଥିପାଇଁ ପରବର୍ତ୍ତି କିସ୍ତି ଦେବା ପୂର୍ବରୁ IMF ପାକିସ୍ତାନ ଉପରେ ଲଗାଇଛି ୧୧ଟି ନୂଆ ସର୍ତ୍ତ । ଏହାସହ ପାକିସ୍ତାନକୁ କଡ଼ା ଚେତାବନୀ ମଧ୍ୟ ଦେଇଛି । ଏହି ୧୧କୁ ମିଶାଇ ପାକିସ୍ତାନ ଉପରେ ମୋଟ ୫୦ ସର୍ତ୍ତ ଲଗି ସାରିଛି । ଯାହା ଆତଙ୍କବାଦୀଙ୍କ ପ୍ରେମରେ ଉବୁଟୁବୁ ପାକିସ୍ତାନ ପକ୍ଷେ ପୂରଣ କରିବା କାଠିକର ପାଠ ହୋଇପାରେ ।

ଭାରତ ସହ ଉତ୍ତେଜନା ସ୍ଥିତି ସୃଷ୍ଟି କରିବାରୁ ଦୂରେଇ ରହିବାକୁ ପାକିସ୍ତାନକୁ ଚେତବାନୀ ଦେଇଛି IMF । ଭାରତ ସହ ଉତ୍ତେଜନା ଆର୍ଥିକ, ବାହ୍ୟ ଓ ସଂସ୍କାର କାମକୁ ପ୍ରତିହତ କରିପାରେ ବୋଲି IMF କହିଛି । ସେହିପରି ନୂଆ ସର୍ତ୍ତରେ ସଂସଦରେ ୧୭,୬୦୦ ବିଲିୟନ ପାକିସ୍ତାନ ଟଙ୍କାର ନୂଆ ବଜେଟକୁ ମଞ୍ଜୁରୀ ଦେବା, ବିଜୁଳି ବିଲରେ ଋଣ ପରିଶୋଧ ସରଚାର୍ଜ ବୃଦ୍ଧି ଓ ୩ ବର୍ଷର ଅଧିକ ପୁରୁଣା କାର କିଣା ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବାକୁ କୁହାଯାଇଛି ।

IMF ଦ୍ବାରା ଶନିବାର ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି, ଭାରତ ସହ ଉତ୍ତେଜନା ସ୍ଥିତି ବୃଦ୍ଧି ପାଇଲେ ଆର୍ଥିକ, ବାହ୍ୟ ଓ ସଂସ୍କାର କାମ ଉପରେ ପ୍ରଭାବ ପଡ଼ିପାରେ । ଗତ ଦୁଇ ସପ୍ତାହ ମଧ୍ୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ହେଲେ ସେୟାର ବଜାର ସାମାନ୍ୟ ରହିଛି । IMF ରିପୋର୍ଟ ଅନୁସାରେ ଆସନ୍ତା ଆର୍ଥିକ ବର୍ଷରେ ପାକିସ୍ତାନର ପ୍ରତିରକ୍ଷା ବଜେଟ ୨୪୧୪ ବିଲିୟନ ଟଙ୍କା ଦର୍ଶାଯାଇଛି । ଯାହା ୨୫୨ ବିଲିୟନ ବା ୧୨ ପ୍ରତିଶତ ଅଧିକ । ଭାରତ ସହ ଯୁଦ୍ଧ ସ୍ଥିତି ଯୋଗୁଁ ପାକିସ୍ତାନ ୨୫୦୦ ବିଲିୟନ ଅର୍ଥାତ ୧୮ ପ୍ରତିଶତ ଅଧିକ ପ୍ରତିରକ୍ଷା ବଜେଟ କରିବାକୁ ସଙ୍କେତ ଦେଇସାରିଛି ।

IMF ପାକିସ୍ତାନ ଉପରେ ନୂଆ ୧୧ଟି ସର୍ତ୍ତ ଲଗାଇଛି । ଏହାକୁ ମିଶାଇ ପାକିସ୍ତାନ ଉପରେ ମୋଟ ୫୦ ସର୍ତ୍ତ ଲାଗୁ ହୋଇଛି । ନୂଆ ସର୍ତ୍ତରେ ଆଗାମୀ ଆର୍ଥିକ ବର୍ଷ ବଜେଟ ପାଇଁ ସଂସଦ ମଞ୍ଜୁରୀ ଦରକାର । IMF ଅନୁସାରେ ପାକିସ୍ତାନର ପୂରା ବଜେଟ ୧୭, ୬୦୦ ବିଲିୟନ ଟଙ୍କା । ଏଥିରୁ ୧୦,୭୦୦ ବିଲିୟନ ଟଙ୍କା ବିକାଶ କାର୍ଯ୍ୟରେ ବିନିଯୋଗ ହେବ । ପ୍ରଦେଶକୁ ନେଇ ମଧ୍ୟ IMF ନୂଆ ସର୍ତ୍ତ ଲାଗୁ କରିଛି । ଏଥିରେ ସଙ୍ଘୀୟ ବ୍ୟବସ୍ଥାରେ ବ୍ୟାପକ ଯୋଜନା ମାଧ୍ୟମରେ କୁଷି ଆୟକର ଆଇନ ଲାଗୁ କରାଯିବ । ଯେଉଁଥିରେ ରିଟର୍ଣ୍ଣ ପ୍ରକ୍ରିୟାକରଣ, କରଦାତା ଚିହ୍ନଟ ଓ ପଞ୍ଜିକରଣ, ସଂଚାର ଅଭିଯାନ ଓ ଅନୁପାଳନ ସୁଧାର ଯୋଜନା ପାଇଁ ପରିଚାଳନା ମଞ୍ଚ ସ୍ଥାପନ କରିବାକୁ ପଡ଼ିବ ।