ବଜ୍ରପାତ ପ୍ରତିହତ କରିବାକୁ ତାଳଗଛ ଲଗାଇବା ନେଇ ନବୀନଙ୍କ ନିଷ୍ପତ୍ତିକୁ ଆଗକୁ ନେଲେ ରାଜ୍ୟ ସରକାର

1 min read

ନନ୍ଦିଘୋଷ ବ୍ୟୁରୋ: ଗୋଟିଏ ଦିନରେ ବଜ୍ରପାତରେ ଚାଲିଗଲା ୧୪ ଜଣଙ୍କ ଜୀବନ । ୬ ଜଣ ଗୁରୁତର ହୋଇଛନ୍ତି । କୋରାପୁଟ, ଗଞ୍ଜାମ, ଯାଜପୁର, କଟକ ଭଳି ଜିଲ୍ଲାରୁ ଏଭଳି ଖବର ଆସିଛି । ବଜ୍ରପାତକୁ ୨୦୧୫ରୁ ରାଜ୍ୟ ସରକାର ବିପର୍ଯ୍ୟୟ ଭାବେ ଘୋଷଣା କରିବା ସହ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ବ୍ୟବସ୍ଥା କରିଛନ୍ତି । ହେଲେ ଏହା ଯଥେଷ୍ଟ ନୁହେଁ, କ୍ଷତିପୂରଣ ଅଧିକ ମିଳିବା ଦରକାର ବୋଲି କଂଗ୍ରେସ କହିଛି । ଏପଟେ ବଜ୍ରପାତ ମୃତ୍ୟୁ ରୋକିବାକୁ ଅଧିକ ତାଳ ଗଛ ଲଗାଇବା ଉପରେ ଗୁରୁତ୍ବ ଦେଇଛି ଜଙ୍ଗଲ ବିଭାଗ । ୨୦୨୩ରୁ ନବୀନ ସରକାର ତାଳଗଛ ଲଗାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ଆଗକୁ କାଳବୈଶାଖୀର ସମ୍ଭାବନା ଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି ।

ଓଡିଶାରେ ୨୦୨୩ ସେପ୍ଟେମ୍ବର ୨ ତାରିଖରେ ଗୋଟିଏ ଦିନରେ ୩୯ ହଜାରରୁ ଅଧିକ ଥର ବିଜୁଳି ମାରିବା ପରେ ତତ୍କାଳୀନ ନବୀନ ସରକାର ୧୯ ଲକ୍ଷ ତାଳ ଗଛ ରୋପଣ ପାଇଁ ନିଷ୍ପତ୍ତି ନେଇଥିଲେ । ଓଡ଼ିଶା ବଜ୍ରପାତ ପ୍ରବଣ ରାଜ୍ୟ ହୋଇଥିବାରୁ ୨୦୧୫ରେ ରାଜ୍ୟ ସରକାର ଏହାକୁ ପ୍ରାକୃତିକ ବିପର୍ଯ୍ୟୟ ତାଲିକାରେ ସାମିଲ କରିବା ସହ ୪ ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ଅନୁକମ୍ପା ରାଶିର ବ୍ୟବସ୍ଥା କରିଥିଲେ । ଏହାକୁ ୧୦ ଲକ୍ଷ କରିବାକୁ କଂଗ୍ରେସ ଦାବି କରିଛି । ୧୯ ଲକ୍ଷ ତାଳ ଗଛ ଲଗାଇବାକୁ ନବୀନ ସରକାରଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଥିବା ବେଳେ ଆହୁରି ତାଳଗଛ ଲଗାଇବାକୁ ସ୍ଥିର କରିଛି ଜଙ୍ଗଲ ବିଭାଗ । ଏବର୍ଷ ତାଳଗଛ ଲଗାଇବା ପାଇଁ ୫ରୁ ୬ କୋଟି ଖର୍ଚ୍ଚ ହେବ ବୋଲି ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ କହିଛନ୍ତି ।

୨୦୧୯-୨୦ରେ ବଜ୍ରପାତରେ ୨୦୭ ଜଣଙ୍କ ଜୀବନ ଯାଇଥିବା ବେଳେ ୨୦-୨୧ରେ ୧୫୬ ଜଣ, ୨୨-୨୩ରେ ୩୦୬ ଜଣ, ୨୩-୨୪ରେ ୨୭୨ ଏବଂ ୨୦୨୪-୨୫ରେ ୨୦୧ ଜଣଙ୍କ ଜୀବନ ନେଇଛି ବଜ୍ରପାତ । ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ବଜ୍ରପାତ ଜନିତ ମୃତ୍ୟୁ ଘଟିଛି । କୃଷକ, ଗାଈ ଚରାଳି, ମତ୍ସ୍ୟଜୀବୀ, ଶ୍ରମିକ ବଜ୍ରପାତର ଅଧିକ ଶିକାର ହେଉଛନ୍ତି । ନବୀନ ସରକାର ଅମଳରେ ରାଜ୍ୟରେ ଡପଲର ରାଡ଼ାର ସ୍ଥାପନ ହୋଇଥିବାରୁ ଆଗୁଆ ସତର୍କ ସୂଚନା ମିଳିପାରୁଛି । ବଜ୍ରପାତରୁ ମଣିଷ ଜୀବନ ବଞ୍ଚାଇବାକୁ ଅଧିକ ତାଳଗଛ ଲଗାଇବାକୁ ନବୀନ ସରକାର ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତି ନେଇଥିଲେ । ବିଜେପି ସରକାର ଏହାକୁ କାର୍ଯ୍ୟକାରୀ କରିଛନ୍ତି । ଅଧିକ ତାଳଗଛ ଲଗାଇବା ଉପରେ ମଧ୍ୟ ଗୁରୁତ୍ବ ଦେଇଛନ୍ତି ।

ସେପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ହେବାର ଥିବାରୁ ୧୫ ଜିଲ୍ଲା ପାଇଁ ପାଣିପାଗ ବିଭାଗ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଉପକୂଳ ଓଡ଼ିଶା ସହ ଦକ୍ଷିଣରେ ମଧ୍ୟ ଏହାର ପ୍ରଭାବ ରହିବ । ତେବେ ବଜ୍ରପାତ ଘାତକ ସାବ୍ୟସ୍ତ ହେଉଥିବାରୁ ଏଥିପ୍ରତି ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।