ଯୁଦ୍ଧ ପରିସ୍ଥିତିରେ ବିରାମ ପରେ ପୁଣି ଥରେ ଖୋଲିଲା ଏୟାରପୋର୍ଟ

1 min read

ନନ୍ଦିଘୋଷ ବ୍ୟୁରୋ: ପୁଣି ଥରେ ଖୋଲିଲା ଦେଶରେ ବନ୍ଦ ଥିବା ସମସ୍ତ ବିମାନ ବନ୍ଦର । ପାକିସ୍ତାନ ସହ ଯୁଦ୍ଧ ପରିସ୍ଥିତି ପରେ ୩୨ଟି ଏୟାରପୋର୍ଟକୁ ବନ୍ଦ କରାଯାଇଥିଲା । ପୂର୍ବରୁ ଉତ୍ତର, ଉତ୍ତର-ପଶ୍ଚିମ ଫ୍ରଣ୍ଟିଅର ଏହି ସବୁ ବିମାନ ବନ୍ଦର ଗୁଡ଼ିକୁ ୧୫ ମେ’ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ଅସ୍ତ୍ରବିରତି ପରେ ସବୁ ଏୟାରପୋର୍ଟକୁ ତତ୍କାଳ ଖୋଲିବାକୁ ପୁନଃ ନିଷ୍ପତ୍ତି ହୋଇଛି ।

ସ୍ବାଭାବିକ ହେଲା ବିମାନସେବା । ବିମାନବନ୍ଦରରୁ ଉଡିଲା ବିମାନ । ସୀମାରେ ଯୁଦ୍ଧ ସ୍ଥିତି ପରେ ବନ୍ଦ ଥିଲା ୩୨ଟି ଏୟାରପୋର୍ଟ । ଯୁଦ୍ଧ ପରିସ୍ଥିତିରେ ବିରାମ ପରେ ପୁଣି ଥରେ ଖୋଲିଲା ଏୟାରପୋର୍ଟ । ଜୈସଲମର୍, ଜାମନଗର, ଯୋଧପୁର, ଅମ୍ଵାଲା, ଭଟିଣ୍ଡା, ଭୁଜ, ବିକାନେର, ହିଣ୍ଡନ, ଜମ୍ମୁ, କାଣ୍ଡଲା, କୁଲୁ ମନାଲି, ଲେହ, ଲୁଧିଆନା, ନଲିଆ, ପଠାନକୋଟ, ପଟିଆଲା, ପୋର ବନ୍ଦର, ରାଜକୋଟ, ସିମଲା, ସରସୱା, ଉତ୍ତରଲାଇ ଏୟାରପୋର୍ଟ ପୁଣି ଖୋଲିଛି । ଯୁଦ୍ଧ ପରିସ୍ଥିତି ଯୋଗୁଁ ଏ ସବୁ ବିମାନବନ୍ଦର ମେ’ ୧୫ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ସିଜଫାୟାର ପରେ ନୋଟାମ ବା ନୋଟିସ ଟୁ ଏୟାରମେନ ଆଧାରରେ ସବୁ ବିମାନ ବନ୍ଦର ଖୋଲିଛି । ଭୁବନେଶ୍ବର ବିମାନ ବନ୍ଦର ସେତେଟା ପ୍ରଭାବିତ ନ ହୋଇଥିଲେ ବି ଗାଜିଆବାଦକୁ ବିମାନ ସେବା ବନ୍ଦ ରହିଥିଲା । ସେହିପରି ଚଣ୍ଡିଗଡ଼ରୁ ପାଟଣା ଦେଇ ଭୁବନେଶ୍ବରକୁ ବି ବିମାନ ଆସି ପାରୁ ନଥିଲା । ଏୟାରଲାଇନ୍ସ କମ୍ପାନୀ ଆସନ୍ତାକାଲି ଠାରୁ ପୁଣି ଥରେ ଗାଜିଆବାଦକୁ ବିମାନ ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେହିପରି ଦିନେ ଦୁଇ ଦିନ ଭିତରେ ଚଣ୍ଡିଗଡ଼ରୁ ବିମାନ ଆସିବାର ସମ୍ଭାବନା ରହିଛି । ବିମାନ ବନ୍ଦର ଖୋଲିଲା, ଏବେ ଫ୍ଲାଇଟ୍ ଟାଇମିଂ ଏୟାରଲାଇନ୍ସ କମ୍ପାନୀ ସ୍ଥିର କରିବେ ।

ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ୩୨ଟି ବିମାନ ବନ୍ଦର ବନ୍ଦ କରାଯାଇଥିଲା । ଏନେଇ ଯାତ୍ରୀଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା । କେବେ ବିମାନ ଉଡ଼ିବ, ସେନେଇ ଟିକେଟ କରିଥିବା ଯାତ୍ରୀ ଚିନ୍ତାରେ ପଡ଼ିଥିଲେ । ହେଲେ ଏବେ ବିମାନ ସେବା ଆରମ୍ଭ ପରେ ପୁଣି ଆଶ୍ବସ୍ତ ହୋଇଛନ୍ତି ଯାତ୍ରୀ ।