କାଲି ହଟିଥିଲା, ଆଜି ଦିଘା ମନ୍ଦିରରେ ପୁଣି ଲାଗିଲା ଜଗନ୍ନାଥ ଧାମର ସ୍ଥାୟୀ ଫଳକ

ଦିଘା/ପୁରୀ : କାଲି ହଟିଥିଲା ଜଗନ୍ନାଥ ଧାମ ଫଳକ। ଆଜି ଦେଖିବାକୁ ମିଳିଛି ଜଗନ୍ନାଥ ଧାମ ସ୍ଥାୟୀ ଫଳକ। ଜିଦରେ ଅଟଳ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦିଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମମର ପରିଚୟ ଦେବା ନେଇ ଥମୁନି ବିବାଦ। ମମତାଙ୍କ ଏପରି ନିଷ୍ପତ୍ତି ଏବେ ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି। ପଶ୍ଚିମବଙ୍ଗରୁ ଆରମ୍ଭ କରି ସାରା ଓଡ଼ିଶାରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏପ୍ରିଲ ୩୦ରେ ଦିଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଥର୍ମେୋକୁଲର ଅସ୍ଥାୟୀ ଭାବେ ଧାମ ଫଳକ ଓ ସେଲଫି ପଏଣ୍ଟ ଲଗାଇଥିଲା ଟେଣ୍ଟ ସଂସ୍ଥା। ପ୍ରତିଷ୍ଠା ଉତ୍ସବ ସରିବା ପରେ ଅସ୍ଥାୟୀ ଫଳକ କାଢ଼ି ନେଲା ଟେଣ୍ଟ ମାଲିକ। ଫଳକ ହଟିବା ପରେ ବିଜେପି ନେତା ଅମିଲ ମାଲବ୍ୟ ଫଟୋ ସହିତ ଏକ୍ସରେ ପୋଷ୍ଟ କରିବା ପରେ ଏହି ଖବର ଚାରିଆଡ଼େ ଭାଇରାଲ ହୋଇଥିଲା। ପରେ ରାତାରାତି ପଶ୍ଚିମବଙ୍ଗ ସରକାର ମନ୍ଦିର ସାମନାରେ ଜଗନ୍ନାଥ ଧାମ ଲେଖାଥିବା ଫଳକ ଲଗାଇ ଦେଇଛନ୍ତି। ଏହା ସହିତ ଶ୍ରଦ୍ଧାଳୁଙ୍କ ପାଇଁ ସ୍ଥାୟୀ ସେଲଫି ପଏଣ୍ଟ ପାଇଁ ବ୍ୟବସ୍ଥା କରୁଛନ୍ତି।
ପଶ୍ଚିମବଙ୍ଗ ସରକାରଙ୍କ ଏପରି ନିଷ୍ପତ୍ତି ଆଦୌ ଗ୍ରହଣୀୟ ନୁହେଁ। ଦିଘାରେ ଜଗନ୍ନାଥ ମନ୍ଦିର ହେଉ ଆପତ୍ତି ନାହିଁ। କିନ୍ତୁ କେବେ ବି ଏହା ଧାମ ବୋଲି ପରିଚୟ ସୃଷ୍ଟି କରାନଯାଉ। ଖୋଦ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଭାରତର ୪ ଧାମରୁ ପୁରୀ ଶ୍ରୀକ୍ଷେତ୍ର ଗୋଟିଏ ବୋଲି ମାନ୍ୟତା ଦେଇଥିଲେ। ଏହା ଯୁଗଯୁଗରୁ ପରିଚୟ ପାଇ ଆସିଛି। ଭାରତରେ ଅନେକ ଜଗନ୍ନାଥ ମନ୍ଦିର ରହିଛି, କିନ୍ତୁ ଶ୍ରୀମନ୍ଦିର ଗୋଟିଏ। ସେହିପରି ଯେତେ ଯେଉଁଠି ଜଗନ୍ନାଥ ମନ୍ଦିର ନିର୍ମାଣ ହେଉଛି, ତାକୁ କେଉଁଠି ବି ଶ୍ରୀମନ୍ଦିର ଆଖ୍ୟା ଦିଆଯାଉନି। ଦିଘା ମନ୍ଦିରରେ ଜଗନ୍ନାଥ ଧାମ ଫଳକ ଲଗାଇବାକୁ ନେଇ ପୁରୀରେ ସେବାୟତ ଓ ଜଗନ୍ନାଥ ସଂସ୍କୃତି ଗବେଷଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଗତକାଲି ଏହି ଧାମ ପ୍ରସଙ୍ଗକୁ ନେଇ ଗଜପତି ମଧ୍ୟ ପ୍ରତିକ୍ରିୟା ରଖିଥିଲେ। ଦିଘାକୁ ଧାମ କୁହାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ଆଇନ ମନ୍ତ୍ରୀ କହିଥିଲେ, ଆଇନ ପଦକ୍ଷେପ ନିଆଯିବ। ଏଭଳି ସ୍ଥିତିରେ ଓଡ଼ିଶା ସରକାର ଓ ପଶ୍ଚିମବଙ୍ଗ ସରକାର ଏହାର ସମାଧାନ ପାଇଁ କଣ ବାଟ ବାହାର କରୁଛନ୍ତି, ତାକୁ ସମସ୍ତଙ୍କ ଅପେକ୍ଷା।