ଆସନ୍ତା ୧୩ରେ ଆଣ୍ଡାମାନ ଛୁଇଁବ ମୌସୁମୀ, ମେ ୨୨ ବେଳକୁ ବର୍ଷା ସମ୍ଭାବନା

ଭୁବନେଶ୍ବର : ଆସନ୍ତା ୧୩ରେ ଆଣ୍ଡାମାନ ଛୁଇଁବ ମୌସୁମୀ । ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ୧୩ ତାରିଖ ବେଳକୁ ଛୁଇଁବ ମୌସୁମୀ । ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗରର କିଛି ଅଞ୍ଚଳ ଏବଂ ନିକୋବର ଦୀପପୁଞ୍ଜ ଅଞ୍ଚଳକୁ ୧୩ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ହେଉଛି। ଏହି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ସେପଟେ ରାଜ୍ୟରେ ଲାଗି ରହିଛି କାଳବୈଶାଖୀର ପ୍ରଭାବ। ୮ ତାରିଖ ପର୍ଯ୍ୟନ୍ତ ବର୍ଷିବ, ଭିଜିବ ଓଡ଼ିଶା । କିଛି ଦିନ କାଳବୈଶାଖୀର ପ୍ରଭାବ ଫଳରେ ତାତିରୁ ନିସ୍ତାର ମିଳୁଥିବା ବେଳେ ପୁଣି ରାଜ୍ୟ କୁ ଫେରିବ ତାତି । ୮ ତାରିଖ ପରେ ତାତି ଫେରିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। କିଛି ଦିନ ହେବ କାଳବୈଶାଖିର ତାଣ୍ତବ ଦେଖିବାକୁ ମିଲୁଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୮ ତାରିଖ ଯାଏଁ ରାଜ୍ୟରେ ଏଭଳି କାଳବୈଶାଖି ହେବାର ସମ୍ଭାବନା ରହିଛି। କିନ୍ତୁ ଆହୁରି ୨ ଦିନ ପ୍ରବଳ ବର୍ଷା ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ସତର୍କତା ଜାରି କରାଯାଇଛି । ଭଦ୍ରକ, ବାଲେଶ୍ବର, କେନ୍ଦୁଝର, କୋରାପୁଟ, ମାଲକାନଗିରି, ରାୟଗଡା, ଗଂଜାମ, ମୟୂରଭଞ୍ଜ, ଜଗତସିଂହପୁର, କଟକ, ଢେଙ୍କାନାଳ, ଯାଜପୁର,ସୁନ୍ଦରଗଡ଼, ଖୋର୍ଦ୍ଧା, ପୁରୀ, ଅନୁଗୋଳ, ଦେବଗଡ଼, ନୟାଗଡ଼, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ବିଜୁଳି ଘଡଘଡି ହେବା ସହ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ବି ଜାରି କରାଯାଇଛି। କେତେକ ସ୍ଥାନରେ କୁଆପଥର ବର୍ଷା ହେବାର ଆଶଙ୍କା ରହିଛି। ବର୍ଷା ସମୟରେ ପବନର ବେଗ ୫୦ ରୁ ୬୦ କିମି ରହିବ। ଉପକୂଳ ଓଡ଼ିଶା ସହିତ ନୂଆପଡ଼ା, କଳାହାଣ୍ଡି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଆଦି ଜିଲାର କିଛି କିଛି ସ୍ଥାନରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।