ଶିଶୁ ବାଟିକା ଖୋଲି ଏବେ ବାଉଳି ହେଉଛନ୍ତି ରାଜ୍ୟ ସରକାର

ନନ୍ଦିଘୋଷ ବ୍ୟୁରୋ: କହି କହି ମାନିଲେନି । ବିନା ଭିତ୍ତିଭୂମି ଓ ଶିକ୍ଷକ ନିଯୁକ୍ତିରେ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକା ଖୋଲିଲେ । ଏବେ ସହରାଞ୍ଚଳରୁ ଶିକ୍ଷକ ନେଇ ଗ୍ରାମାଞ୍ଚଳରେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଲେ । ଯାହାକୁ ନେଇ ଶିକ୍ଷକଙ୍କଠାରୁ ଆରମ୍ଭ କରି ଅଭିଭାବକ ସମସ୍ତେ ରାଜ୍ୟ ବିଜେପି ସରକାରଙ୍କ ଅପରିଣାମ ନିଷ୍ପତ୍ତିକୁ କଡା ସମାଲୋଚନା କରିଛନ୍ତି । ସେପଟେ ସମ୍ପୂର୍ଣ୍ଣ ସାକ୍ଷରତା ଅଭିଯାନର କହିବା କଥା ଘରୋଇ ସ୍କୁଲରେ ଶିକ୍ଷା ଅଧିକାର ଆଇନ ବଳରେ ପିଲାଙ୍କୁ ପାଠ ପଢିବାରୁ ଚକ୍ରାନ୍ତ କରି ବଞ୍ଚିତ କରିବା ପରେ ଏବେ ସରକାରୀ ସ୍କୁଲକୁ ମଧ୍ୟ ବରବାଦ କରାଯାଉଛି ।

ଜାତୀୟ ଶିକ୍ଷା ନୀତିର ଅଗ ମୂଳ ନଜାଣି ଏକ ତରଫା ନିଷ୍ପତ୍ତି ନେବା ପଡୁଛି ମହଙ୍ଗା । ଫଳ ସ୍ବରୂପ ଓଡ଼ିଶାରେ ଶୈକ୍ଷିକ ବାତାବରଣ ବିପର୍ଯ୍ୟସ୍ତ ମୁହାଁ । ଏବେ ବି ଆବଶ୍ୟକୀୟ ଶିକ୍ଷକ ଓ ଭିତ୍ତିଭୂମି ଯୋଗାଇ ପାରୁନାହାନ୍ତି ନୂଆ ସରକାର । ଏନେଇ ବାରମ୍ବାର ଅଭିଯୋଗ ପରେ ସହରାଞ୍ଚଳ ଶିକ୍ଷକଙ୍କୁ ଗ୍ରାମାଞ୍ଚଳକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଯାହାକୁ ନେଇ ପ୍ରଶ୍ନ ଉଠାଇଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ରାଜ୍ୟର ୪୫ ହଜାର ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକା ତିନି ଖୋଲିଥିବାରୁ ଜଣେ ଲେଖାଏଁ ଶିକ୍ଷକ ନିଯୁକ୍ତି କରାଗଲେ ଅତି କମରେ ୪୫ ହଜାର ଶିକ୍ଷକ ଆବଶ୍ୟକ । କିନ୍ତୁ ଏହି ନିଯୁକ୍ତି ତ ଦୂରର କଥା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରାଜ୍ୟରେ ଏକ ଲକ୍ଷରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡିଛି । ଏବେ ବିରୋଧ ଓ ଦାବି ପରେ ସହରାଞ୍ଚଳରୁ ଗ୍ରାମାଞ୍ଚଳକୁ ଶିକ୍ଷକ ନେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଏହାଦ୍ୱାରା ସମସ୍ୟାର ସମାଧାନ ହେବ ନାହିଁ ବୋଲି ରୋକଠୋକ ଜଣାଇ ଦେଇଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ।

ସେପଟେ ସହରାଞ୍ଚଳରୁ ଶିକ୍ଷକ ଗ୍ରାମାଞ୍ଚଳକୁ ନେଲେ ସହରାଞ୍ଚଳ ପିଲା କେମିତି ପାଠ ପଢିବେ ବୋଲି ପ୍ରଶ୍ନ ଉଠାଇଛି ଓଡିଶା ଅଭିଭାବକ ମହାସଂଘ । ଏମିତି ତ ସହରାଞ୍ଚଳର ସରକାରୀ ସ୍କୁଲ ଗୁଡିକର ଅବସ୍ଥା ଦୁର୍ବଳ । ଏବେ ଆହୁରି ଦୁର୍ବଳ କରିବାର ପ୍ରୟାସ ଚାଲିଛି ବୋଲି ଅଭିଯୋଗ ଆଣିଛି ଅଭିଭାବକ ମହାସଂଘ । ଶିକ୍ଷକ ନିଯୁକ୍ତି ନ କରି ଭିତ୍ତିଭୂମି ନ ସଜାଡି ସରକାର ଶିଶୁବାଟିକାରେ ଆଡମିଶନ କାହିଁକି କଲେ ବୋଲି ପ୍ରଶ୍ନ କରିଛି ମହାସଂଘ । ସରକାରୀ ସ୍କୁଲର ବ୍ୟବସ୍ଥାକୁ ସମ୍ପୂର୍ଣ ମାରିଦିଆଯାଇ ଘରୋଇ ସ୍କୁଲକୁ ସଶକ୍ତ କରାଯାଉଥିବା ଅଭିଯୋଗ ହୋଇଛି । ସେପଟେ ଘରୋଇ ସ୍କୁଲରେ ଶିକ୍ଷା ଅଧିକାର ଆଇନ ବଳରେ ପିଲାଙ୍କୁ ପାଠ ପଢିବାରୁ ବଞ୍ଚିତ କରାଯାଉଥିବା ଅଭିଯୋଗ ଆଣିଛି ସମ୍ପୂର୍ଣ୍ଣ ସାକ୍ଷରତା ଅଭିଯାନ ।

ପାରଦର୍ଶୀ ପୋର୍ଟାଲରେ ଷଡ଼ଯନ୍ତ୍ର କରି ଗରିବ ପିଲାଙ୍କୁ ଘରୋଇ ସ୍କୁଲରେ ଆଡମିଶନରୁ ବଞ୍ଚିତ କରାଯାଇଥିବା ଅଭିଯୋଗ ସହ ଆନ୍ଦୋଳନ ଜାରି ରହିଛି । କିନ୍ତୁ ଏସବୁକୁ ଭୃକ୍ଷେପ ନ କରି ଏବେ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ମଧ୍ୟ ଦୁର୍ବଳ କରାଯିବାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି ।