ଶୁଣନ୍ତୁ ବୈଭବ ସୂର୍ଯ୍ୟବଂଶୀଙ୍କ ସଂଘର୍ଷର କାହାଣୀ ; କ୍ରିକେଟର ହେବା ସହଜ ନଥିଲା

ନନ୍ଦିଘୋଷ ବ୍ୟୁରୋ : ସଂଘର୍ଷରୁ ମିଳେ ସଫଳତା । ଏହାକୁ ସତ ପ୍ରମାଣିତ କରିଛନ୍ତି ୧୪ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ । ଆଇପିଏଲରେ ବଡ ସଫଳତା ପରେ ନିଜର ସଂଘର୍ଷ ଜୀବନର କାହାଣୀ ନିଜ ପ୍ରଶଂସକଙ୍କ ନିକଟରେ ସେୟାର କରିଛନ୍ତି । ସେ କହିଛନ୍ତି ଜୀବନ ଯାତ୍ରା ଏତେ ସହଜ ନୁହେଁ ବୈଭବଙ୍କ କ୍ରିକେଟର ହେବାର ସ୍ବପ୍ନ ପୂରଣ କରିବା ପାଇଁ ତାଙ୍କ ମା’ ଦୈନିକ ୩ଘଣ୍ଟା ଶୁଅନ୍ତି ଏବଂ ବାବା ନିଜର କାମ ଛାଡିଦେଇଛନ୍ତି । କଠିନ ପରିସ୍ଥିତିରେ ଘର ଚାଲୁଥିବା ବେଳେ ବୈଭବଙ୍କ କ୍ରିକେଟର ହେବାର ସ୍ବପ୍ନ ମଉଳି ନଥିଲା ।

ପରିବାରର ତ୍ୟାଗ ଏବଂ ନିଜର ପରିଶ୍ରମ ପାଇଁ ସେ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି । ସେ କହିଛନ୍ତି ଆଜି ଯାହା ବି ସେ ହେଇଛନ୍ତି ତାଙ୍କ ବାପା ଓ ମାଆଙ୍କ ପାଇଁ । ତାଙ୍କ ଖେଳ ଅଭ୍ୟାସ ପାଇଁ ତାଙ୍କ ମା’ ପ୍ରତିଦିନ ରାତି ୧୧ଟାରେ ଶୋଇ ରାତି ୨ଟାରୁ ଉଠିଥାଆନ୍ତି । କେବଳ ୩ଘଣ୍ଟା ପାଇଁ ସେ ଶୋଇଥାଆନ୍ତି । ପୁଣି ମୋ ପାଇଁ ଖାଇବା ପ୍ରସ୍ତୁତ କରନ୍ତି । ବାପା କାମ ଛାଡିଦେଲେ, ମୋ ବଡ ଭାଇ ବାପାଙ୍କ କାମ ସମ୍ଭାଳିଲେ ଏବଂ ସେହିଥିରୁ ଆମର ଘର ଚଳେ । ବାପାଙ୍କର ମୋ ଉପରେ ଗଭୀର ବିଶ୍ବାସ ଥାଏ  । ସେ ସବୁବେଳେ ମୋ ଆତ୍ମବିଶ୍ବାସ ବଢାଇଥାଆନ୍ତି । ବାପା ସବୁବେଳେ କୁହନ୍ତି, ତୁ କରିପାରିବୁ ..ତୁ କରିପାରିବୁ ..ଭଗବାନ ଦେଖୁଛନ୍ତି ପରିଶ୍ରମୀ ଲୋକଙ୍କୁ ସଫଳତା ନିଶ୍ଚୟ ମିଳେ । ଏହି ଶବ୍ଦ ଗୁଡିକ ସେହି ସର୍ବକନିଷ୍ଠ ଖେଳାଳୀ ବୈଭଙ୍କର ଅଟେ ଯିଏ ଗତକାଲି ଆଇପିଏଲରେ ଚମକିଛନ୍ତି । ମାତ୍ର ୩୫ବଲରେ ଶତକ ହାସିଲ କରି ରେକର୍ଡ ସୃଷ୍ଟି କରିଛନ୍ତି । ସେ ପ୍ରମାଣିତ କରିସାରିଛନ୍ତି ଟାଲେଣ୍ଟ ଥିଲେ ସବୁକିଛି ସମ୍ଭବ ହୋଇପାରେ । ସେ ବହୁଦିନ ଧରି ପରିଶ୍ରମ କରୁଥିଲେ । ଆଜି ଏହାର ଫଳ ମିଳିଛି ଯେଉଁଥିପାଇଁ ସେ ବହୁତ ଖୁସୀ ଅଛନ୍ତି । ଏଥିପାଇଁ ସେ ଟିମ ସମେତ ନିଜ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି ।

ଟ୍ରାଏଲ ସମୟରେ ବୈଭବଙ୍କ ସହ କ’ଣ ହୋଇଥିଲା ?

ବୈଭବ ଏକ ସାକ୍ଷାତକାରରେ କହିଥିଲେ ଯେ, ଯେତେବେଳେ ସେ ରାଜସ୍ଥାନ ରୟାଲ୍ସ ପାଇଁ ଟ୍ରାଏଲ ଦେବାକୁ ଯାଇଥିଲେ ସେଠାରେ ବିକ୍ରମ ସାର ଏବଂ ରୋମୀ ସାର ଥିଲେ । ରୋମୀ ସାର ଟିମର ମ୍ୟାନେଜର ଥିଲେ । ମୁଁ ଟ୍ରାଏଲରେ ଭଲ ଖେଳ ପ୍ରଦର୍ଶନ କରିଥିଲି । ସେତେବେଳେ ସେ କହିଥିଲେ ଟିମରେ ନେବାକୁ ଚେଷ୍ଟା କରିବେ । ଯେତେବେଳେ ମୁଁ ଟିମରେ ଖେଳିବାକୁ ସୁଯୋଗ ପାଇଲି ଆଗ ତାଙ୍କୁ ଫୋନ କରି ଧନ୍ୟବାଦ ଜଣାଇଥିଲି । ସେ ମୋତେ ଶୁଭେଚ୍ଛା ଜଣାଇବା ସହିତ ରାହୁଲ ଦ୍ରାବିଡଙ୍କ ସହ କଥା କରାଇଥିଲେ ।

ସିନିୟର ଖେଳାଳୀଙ୍କ ସାହାଯ୍ୟ

ମୋତେ ସିନୟର ଖେଳାଳୀ ମାନେ ବହୁତ ସାହାଯ୍ୟ କରୁଥିଲେ । କୋଚିଙ୍ଗ ଷ୍ଟାଫ ମାନେ ମଧ୍ୟ ବହୁତ ସାହାଯ୍ୟ କରୁଥିଲେ । ସଞ୍ଜୁ ଭାଇ, ରିୟାନ ଭାଇ ଏବଂ ନୀତିଶ ଭାଇ ମୋତେ ପ୍ରସ୍ତୁତ କରୁଥିଲେ । ସେମାନେ ମୋର ଆତ୍ମବିଶ୍ବାସ ବଢାଇଥିଲେ ଯେ, ମୁଁ କରିପାରିବି । ଯାହାଫଳରେ ମୋର ଆତ୍ମବିଶ୍ବାସ ବୃଦ୍ଧି ପାଇଥିଲା ।

ମୁଁ ବେଶୀ ଚିନ୍ତା କରେ ନାହିଁ

୩୫ବଲରେ ଶତକ ହାସିଲ କରିଥିବା ବୈଭବ କହିଛନ୍ତି ଯେ, ଆଇପିଏଲରେ ଏହା ମୋର ପ୍ରଥମ ଶତକ  । ମ୍ୟାଚ ପୂର୍ବରୁ ବହୁତ ଅଭ୍ୟାସ କରିଥିଲି ଯାହାର ଫଳାଫଳ ଆଜି ମିଳିଲା । ମୁଁ ବଲକୁ ଦେଖି ଖେଳେ ଏବଂ ଅନ୍ୟ କୌଣସି ବିଷୟରେ ଚିନ୍ତା କରେ ନାହିଁ । ଆଇପିଏଲରେ ଶତକ ବନେଇବା ଆଶା ମୋର ପୂରଣ ହେଇଗଲା । ଏବେ ମୁଁ ବହୁତ ଖୁସୀ ।