ବାଲାକୋଟ ପରି ଆକ୍ସନ ନୁହେଁ, ଫୁଲ ଆଣ୍ଡ ଫାଇନାଲ କାର୍ଯ୍ୟାନୁଷ୍ଠାନ ଦରକାର: ଫାରୁକ ଅବଦୁଲ୍ଲା

ନନ୍ଦିଘୋଷ ବ୍ୟୁରୋ: ପହଲଗାଓଁ ଆକ୍ରମଣକୁ ନେଇ ସାରା ଦେଶରେ ଅସନ୍ତୋଷର ସ୍ଥିତି । ଜମ୍ମୁ ଓ କାଶ୍ମୀରରେ ବି ସମାନ ସ୍ଥିତି । ସମସ୍ତଙ୍କର ଗୋଟିଏ ଦାବି ପାକିସ୍ତାନ ବିରୋଧରେ ଆକ୍ସନ ନିଅ ଓ ଆତଙ୍କବାଦୀଙ୍କୁ ସମୂଳେ ଶେଷ କର । ଆଉ ଏହାରି ଭିତରେ ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ନରସଂହାରକୁ ନେଇ ପାକିସ୍ତାନକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି, ଏବେ ପାକିସ୍ତାନ ସହ ଆଲୋଚନା କରିବାର କୌଣସି ପ୍ରଶ୍ନ ଉଠୁନି । କାରଣ ସେମାନେ ମାନବକତାର ହତ୍ୟା କରିଛନ୍ତି । ଭାରତ ୧୯୪୭ ମସିହାରୁ ଟୁ ନେଶନ ଥିଓରିକୁ ଖାରଜ କରି ଦେଇଥିଲା । ଆଜି ବି ଏହାକୁ ମାନିବାକୁ ପ୍ରସ୍ତୁତ ନୁହେଁ । କାରଣ ଆମ ଦେଶରେ ହିନ୍ଦୁ, ମୁସଲିମ, ଶିଖ, ଇସାଇ ସମସ୍ତେ ସମାନ ।

ଏଏନଆଇକୁ ଫାରୁକ କହିଛନ୍ତି, ଆମକୁ ଦୁଃଖ ଲାଗୁଛି, ଆଜି ବି ଆମ ପଡ଼ୋଶୀ ମାନବିକତାକୁ ହତ୍ୟା କରୁଛି । ଯଦି ସେ ଭାବୁଛନ୍ତି, ଆମେ ପାକିସ୍ତାନକୁ ଚାଲିଯିବୁ, ଏପରି ଭୁଲ ଦୂର ହେବା ଦରକାର । ୧୯୪୭ରେ ଆମେ ତାଙ୍କ ସହ ଯାଇ ନଥିଲୁ, ଏବେ କାହିଁକି ଯିବୁ । ସେତେବେଳେ ଆମେ ଦୁଇ ଦେଶ ଥିଓରୀକୁ ପାଣିରେ ଫିଙ୍ଗି ଦେଇଥିଲୁ, ଆଜି ବି ଏହାକୁ ମାନିବାକୁ ପ୍ରସ୍ତୁତ ନୁହେଁ । ସେମାନେ ଭାବୁଛନ୍ତି, ଏମିତି କରି ସେ ଆମକୁ ଦୁର୍ବଳ କରିଦେବେ । ହେଲେ ଏଥିରେ ଆମେ ଦୁର୍ବଳ ହେବୁନି, ବରଂ ଆମେ ଅଧିକ ଦୃଢ଼ ହେଉଛୁ ଓ ସେମାନଙ୍କୁ ଉଚିତ ଜବାବ ଦେବୁ ।

ଆଗକୁ ସେ କହିଛନ୍ତି, ପାକିସ୍ତାନ କହୁଛି ଆଲୋଚନା ହେବା ଦରକାର, ହେଲେ କ’ଣ ଆଲୋଚନା ହେବ । ମୁଁ ସବୁବେଳେ ଆଲୋଚନାକୁ ସମର୍ଥନ କରି ଆସିଛି । ମୁଁ ସବୁବେଳେ ଚାହୁଁଥିଲି, ଆଲୋଚନା ହେଉ । ହେଲେ, ମୃତକଙ୍କ ପରିବାରକୁ ଆମେ କି ଉତ୍ତର ଦେବୁ । ଏହା କ’ଣ ତାଙ୍କ ପ୍ରତି ନ୍ୟାୟ ହେବ । ଆଜି ଭାରତୀୟ ବାଲାକୋଟ ପରି ଆକ୍ସନ ଚାହିଁ ନାହାନ୍ତି । ଆଜି ପ୍ରତି ଭାରତୀୟ ଚାହୁଁଛନ୍ତି, ପାକିସ୍ତାନ ବିରୋଧରେ ଏମିତି ଆକ୍ସନ ହେଉ, ଯେମିତି ଭବିଷ୍ୟତରେ ଏମିତି ଘଟଣା ଆଉ ଘଟିବ ନାହିଁ ।