ନ୍ୟାସନାଲ ହେରାଲ୍ଡ ଜମି ବିବାଦ ମାମଲା: ସୋନିଆ ଓ ରାହୁଲଙ୍କୁ ସମନ ଜାରି କରିବାକୁ ମନା କଲେ ଦିଲ୍ଲୀ କୋର୍ଟ

1 min read

ନନ୍ଦିଘୋଷ ବ୍ୟୁରୋ: ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିବାକୁ ମନା କଲେ ଦିଲ୍ଲୀର ଏକ କୋର୍ଟ । ନ୍ୟାସନାଲ ହେରାଲ୍ଡ ଜମି ମାମଲାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିବାକୁ ମନା କଲେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ । ମାମଲାରେ ଗତ ଏପ୍ରିଲ ୯ ତାରିଖରେ ଚାର୍ଜସିଟ ଦାଖଲ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଡକ୍ୟୁମେଣ୍ଟ ସଂଶୋଧନ ପାଇଁ ତିନି ଦିନର ସମୟ ଦେଇଥିଲେ କୋର୍ଟ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ED ଦ୍ୱାରା ଦାଖଲ କରାଯାଇଥିବା ଦଲିଲରେ ତ୍ରୁଟି ଥିବା ଦର୍ଶାଇ କୋର୍ଟ ଶୁକ୍ରବାର ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟମାନଙ୍କ ପାଇଁ ନୋଟିସ ଜାରି କରିବାର ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି । ଆସନ୍ତା ମେ’ ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଇଡି ପକ୍ଷରୁ ଉପସ୍ଥିତ ଅତିରିକ୍ତ ସଲିସିଟର ଜେନେରାଲ ଏସଭି ରାଜୁ ନୋଟିସ ଜାରି କରିବାକୁ କୋର୍ଟଙ୍କ ନିକଟରେ ଦାବି କରିଥିଲେ । ନ୍ୟାସନାଲ ହେରାଲ୍ଡ ମାମଲାରେ ୯୮୮ କୋଟି ଅର୍ଥ ହେରଫେର ମାମଲାରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଏବଂ ରାହୁଲଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ।

ସେପଟେ ବିରୋଧୀ ଦଳ ନେତା ରାହଲୁ ଗାନ୍ଧୀଙ୍କୁ ଆଉ ଏକ ମାମଲାରେ କୋର୍ଟ ନୋଟିସ କରିଛନ୍ତି । ସ୍ଵାଧୀନତା ସଂଗ୍ରାମୀ ଭିଡି ସାବରକରଙ୍କ ଉପରେ ମନ୍ତବ୍ୟ ନେଇ ମାନହାନି ମାମଲାରେ ପୁଣେ କୋର୍ଟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ସମନ ପଠାଇଛନ୍ତି । ସାବରକରଙ୍କ ଜଣେ ସମ୍ପର୍କୀୟ ରାହୁଲଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବା ପରେ ରାହୁଲଙ୍କୁ ଆସନ୍ତା ୯ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲଣ୍ଡନରେ ଏକ ଭାଷଣ ସମୟରେ ରାହୁଲ ଦେଇଥିବା ବୟାନରୁ ଏହି ମାମଲା ରୁଜୁ ହୋଇଛି । ଯେଉଁଥିରେ ସେ ସାବରକରଙ୍କ କାର୍ଯ୍ୟ ଓ ବିଚାରଧାରାକୁ ସମାଲୋଚନା କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ଐତିହାସିକ ବ୍ୟକ୍ତିତ୍ଵଙ୍କ ଉପରେ ମନ୍ତବ୍ୟ ସମ୍ପର୍କରେ ସୁପ୍ରିମକୋର୍ଟ କଂଗ୍ରେସ ନେତା ରାହୁଲଙ୍କୁ କୋର୍ଟ ଚେତାବନୀ ଦେଇଥିଲେ । ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନ ଦେବା ଓ ଦେଶର ସ୍ୱାଧୀନତାରେ ସେମାନଙ୍କର ଅବଦାନର ନେଇ ଗୁରୁତ୍ୱାରୋପ କରିଥିଲେ ପୁଣେ କୋର୍ଟ ।