ସରକାରଙ୍କ ପ୍ରତିଶୃତି ପାଲଟିଲା ପାଣିର ଗାର : ନିୟନ୍ତ୍ରଣକୁ ଆସିଲାନି ଦରଦାମ

ନନ୍ଦିଘୋଷ ବ୍ୟୁରୋ: ଯେତେ କହିଲେ ହେଲା ନାହିଁ । ରାଜ୍ଯ ବିଜେପି ସରକାରକୁ ବର୍ଷେ ପୂରିବାକୁ ଯାଉଛି । ଏଯାଏଁ ନା ଦରଦାମ ନିୟନ୍ତ୍ରଣ ହେଲା ନା ଉତ୍ପାଦନ ବଢ଼ିଲା । ଆଗକୁ ଦରଦାମ ସ୍ଥିତି ଆହୁରି ଅଣାୟତ୍ତ ହେବାକୁ ଯିବା ପୂର୍ବରୁ ରାଜ୍ୟ ବ୍ୟବସାୟୀ ମହାସଂଘ ଓଡ଼ିଶାରେ ଏକ ଜାତୀୟସ୍ତରୀୟ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି । ଆସନ୍ତା ୨୫ ଓ ୨୬ ତାରିଖରେ ହେବାକୁ ଥିବା ସମ୍ମିଳନୀରେ ସାରା ଦେଶର ବିଭିନ୍ନ ରାଜ୍ୟର ବ୍ୟବସାୟୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ରାଜ୍ୟର ଖାଉଟିଙ୍କ ସମେତ ବିଭିନ୍ନ ବର୍ଗର ସମସ୍ୟା ଓ ସମାଧାନ ନେଇ ନିଷ୍ପତ୍ତି ହେବ।
ନିୟନ୍ତ୍ରଣକୁ ଆସିଲାନାହିଁ ଦରଦାମ୍ । ବଢ଼ାଯାଇପାରିଲାନାହିଁ ଚାଷୀଙ୍କ ଉତ୍ପାଦନ । ସରକାରଙ୍କ ପ୍ରତିଶୃତି ପାଲଟିଲା ପାଣିର ଗାର । ଆଗକୁ ସ୍ଥିତି ଆହୁରି ବିଗିଡ଼ିବା ପୂର୍ବରୁ ରାଜ୍ୟ ବ୍ୟବସାୟୀ ମହାସଂଘ ବଡ଼ ପଦକ୍ଷେପ ହାତକୁ ନେଇଛି । ବାରମ୍ବାର ଦାବି ଓ ପ୍ରସ୍ତାବ ଦିଆଯିବା ସତ୍ତ୍ୱେ ମଧ୍ୟ ସରକାର କିଛି କରିପାରିଲେନାହିଁ । ଆସନ୍ତା ୨୫ ଓ ୨୬ ତାରିଖ ଦୁଇଦିନ ଧରି ଓଡ଼ିଶାରେ ଜାତୀୟ ସ୍ତରୀୟ ସମ୍ମିଳନୀ କରିବାକୁ ନିଷ୍ପତ୍ତି ନେଇଛି ମହାସଂଘ ।
ଏହି ସମ୍ମିଳନୀରେ ଦେଶର ବିଭିନ୍ନ ରାଜ୍ୟରୁ ବ୍ୟବସାୟିକ ପ୍ରତିନିଧିମାନେ ଯୋଗଦେବେ । ସମ୍ମିଳନୀରେ ଖାଉଟିଙ୍କ ସମସ୍ୟା, ଉତ୍ପାଦନ ସମସ୍ୟା ଓ ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ସଠିକ ମୂଲ୍ୟ ପ୍ରଦାନ ନେଇ ଆଲୋଚନା ହେବ ଓ ନିଷ୍ପତ୍ତି ମଧ୍ୟ ନିଆଯିବ। ଏହି ସମ୍ମିଳନୀରେ ବହୁ ସାଂସଦ ଯୋଗଦେବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହିବାକୁ ବ୍ୟବସାୟୀ ମହାସଂଘ ନିମନ୍ତ୍ରଣ କରିଛି । ସରକାର ରାଜ୍ୟର ବୃହତ୍ତର ସ୍ୱାର୍ଥ ରକ୍ଷା ପାଇଁ ନିଜେ ଏହି ସମ୍ମିଳନୀରେ ସାମିଲ ହେବାକୁ ଦିଆଯାଇଛି ଆହ୍ୱାନ।
ସରକାର ନିଜେ କିଛି କରୁନାହାନ୍ତି ବରଂ ବ୍ୟବସାୟୀଙ୍କ ଉପରେ ବାରମ୍ବାର ଚାପ ସୃଷ୍ଟି କରାଯାଉଥିବା ଅଭିଯୋଗ ଆଣିଛି ମହାସଂଘ । ଓଡ଼ିଶାରେ ବ୍ୟବସାୟର ସୁଯୋଗ ଥିଲେ ମଧ୍ୟ ବ୍ୟବସାୟୀ ନିରୁତ୍ସାହିତ। ସରକାର ଗୋଟିଏ ଦେଶ ଗୋଟିଏ ନିୟମ କହୁଥିଲେ ମଧ୍ୟ ବ୍ୟବସାୟୀଙ୍କ ଉପରେ ୩୦ ଦିନରେ ୩୦ ପ୍ରକାର ଲାଇସେନ୍ସ ଲଗାଉଥିବା ଅଭିଯୋଗ ହୋଇଛି । ବହୁ ଗୁପ୍ତ ଚାର୍ଜ ମଧ୍ୟ ଲଗାଯାଉଛି।
ତେଣୁ ଦେଶର ବ୍ୟବସାୟୀ ମାନେ ଓଡ଼ିଶାରେ ଏକାଠି ହୋଇ ରାଜ୍ୟର ସମସ୍ୟା ସମାଧାନ ନେଇ ଆଲୋଚନା କରିବେ। ଏପରିକି ଚାଷୀଙ୍କ ସାମଗ୍ରୀ କିଣିବା ପାଇଁ ମିଳିତ କର୍ମଶାଳା କରାଯିବ । ସେପଟେ ବ୍ୟବସାୟୀଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହ ସରକାରଙ୍କୁ କଡ଼ା ସମାଲୋଚନା କରିଛି ଓଡ଼ିଶା ସିଟିଜେନ୍ସ ଫୋରମ । କେବଳ କଥା କହି ଭଣ୍ଡଉଥିବା ରାଜ୍ୟ ସରକାରଙ୍କୁ ଆଗାମୀ ନିର୍ବାଚନରେ ଲୋକେ ଜବାବ ଦେବେ ବୋଲି ଫୋରମ ଚେତାବନୀ ଦେଇଛି ।
ରାଜ୍ୟ ବିଜେପି ସରକାରକୁ ବର୍ଷେ ପୂରିବାକୁ ଯାଉଥିଲେ ମଧ୍ୟ ଏ ଯାଏ କିଛି କରାଯାଇ ନାହିଁ । ତେଣୁ ଏହି ଜାତୀୟ ସ୍ତରୀୟ ବୈଠକରେ ଚିଠା ପ୍ରସ୍ତୁତ ହେବ ଓ କେନ୍ଦ୍ର ରାଜ୍ୟ ସରକାରଙ୍କୁ ଦିଆଯିବ ବୋଲି କୁହାଯାଇଛି।