ଖୁବ୍ ଶୀଘ୍ର ଇରାନ ବିକଶିତ କରିପାରେ ଆଣବିକ ଅସ୍ତ୍ର, ଚୂଡ଼ାନ୍ତ ପର୍ଯ୍ୟାୟରେ ବିକାଶ ପ୍ରକ୍ରିୟା

1 min read

ନନ୍ଦିଘୋଷ ବ୍ୟୁରୋ: ଖୁବ୍ ଶୀଘ୍ର ଇରାନ ବିକଶିତ କରିପାରେ ଆଣବିକ ଅସ୍ତ୍ର । ବିପଜ୍ଜନକ ଭାବେ ବିକଶିତ ହେଉଥିବା ଆଣବିକ ଅସ୍ତ୍ର ଲାଭ କରିବା ଇରାନ ଲାଗି ଆଉ ବେଶୀ ଦୂର ନୁହେଁ । ଆଣବିକ ପ୍ରସଙ୍ଗରେ ଆଲୋଚନା ଲାଗି ତେହରାନ ଗସ୍ତରେ ଥିବା ଜାତିସଂଘ ଆଣବିକ ତଦାରଖକାରୀ ସଂସ୍ଥାର ମୁଖ୍ୟ ରାଫେଲ ଗ୍ରସି ଏନେଇ ଆଶଙ୍କା ପ୍ରକାଶ କରିଛନ୍ତି ।

ସେ କହିଛନ୍ତି- ଆଣବିକ ଅସ୍ତ୍ର ସଂକ୍ରାନ୍ତ ସମସ୍ତ ବ୍ୟବସ୍ଥା ଇରାନ ହସ୍ତଗତ କରିସାରିଛି । ଖୁବ୍ ଶୀଘ୍ର ଇରାନଏକ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ରରେ ପରିଣତ ହେବ । ଆଣବିକ ଅସ୍ତ୍ର ସମ୍ପର୍କରେ ଇରାନ ମୌଖିକ ଭାବେ ଅଗ୍ରାହ୍ୟ କରୁଥିଲେ ବି ଏହାର ତଦନ୍ତଗତ ପ୍ରମାଣ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି କହିଛନ୍ତି ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥାର ମୁଖ୍ୟ ଗ୍ରସି । ୨୦୧୫ରେ ଆଣବିକ ପ୍ରସଙ୍ଗରେ ଆମେରିକା ଓ ଇରାନ ମଧ୍ୟରେ ଚୁକ୍ତି ହୋଇଥିଲା । ମାତ୍ର ୨୦୧୮ରେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏଥିରୁ ଓହରିଯାଇଥିଲେ । ସେବଠାରୁ ଇରାନ ଆଣବିକ କାର୍ଯ୍ୟକ୍ରମରେ ଲିପ୍ତ ଥିବା ସୂଚନା ମିଳିଛି । ଆମେରିକାର ବାରମ୍ବାର ଚେତାବନୀ ସତ୍ତ୍ବେ ଏହି କାର୍ଯ୍ୟକ୍ରମ ବେସାମରିକ ସ୍ବାର୍ଥ ଲାଗି ଉଦ୍ଦିଷ୍ଟ ବୋଲି କହିଆସୁଛି ଇରାନ । ଓମାନରେ ବସିଥିବା ଆମେରିକା-ଇରାନ ବୈଠକରେ ଏନେଇ ସକାରାତ୍ମକ ଆଲୋଚନା ହୋଇଛି ବୋଲି କୁହାଯାଇଛି । ଏପ୍ରିଲ ୧୯ରେ ତେହରାନରେ ଏହି ପ୍ରସଙ୍ଗରେ ଆଲୋଚନା ହେବ ।