ଓଡ଼ିଆ ନବବର୍ଷରେ ସାରା ଓଡ଼ିଶା ଚଳଚଞ୍ଚଳ: ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ଥିବା ପୂଜାସ୍ଥଳୀରେ ଭକ୍ତଙ୍କ ଭିଡ଼

ଭୁବନେଶ୍ବର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ପଣା ସଂକ୍ରାନ୍ତି । ପରମ୍ପରାର ପ୍ରତୀକ ତଥା ଓଡିଆ ନବବର୍ଷ । ଗାଁ ଠୁ ସହର ସବୁଠି ଉତ୍ସବର ମାହୋଲ । ସବୁଠି ଚାଲିଛି ପଣା ବଣ୍ଟନ । ପଣା ସଂକ୍ରାନ୍ତିରେ ଚଳଚଞ୍ଚଳ ପୂଜାସ୍ଥଳୀ । କେନ୍ଦୁଝରର ଆରାଧ୍ୟ ଦେବୀ ମାଆ ତାରିଣୀଙ୍କ ପୀଠରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି ମହାବିଷୁବ ସଂକ୍ରାନ୍ତି । ମାଆଙ୍କୁ ସୁନା ବେଶରେ ଦର୍ଶନ କରି କୃତାର୍ଥ ମଣିଛନ୍ତି ଭକ୍ତ । ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ । ମଣିବାବାଙ୍କ ଦର୍ଶନ ନିମନ୍ତେ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା ।
ଏପଟେ ପଣା ସଂକ୍ରାନ୍ତି ଓ ଝାମୁଯାତ୍ରା ପାଇଁ ଚଳଚଞ୍ଚଳ ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ଝଙ୍କଡ ଶାରଳାଙ୍କ ପୀଠ । ମାଆଙ୍କୁ ଦର୍ଶନ କରି ଧନ୍ୟ ମଣିଛନ୍ତି ଭକ୍ତ । ଆଜିର ଦିନରେ ମାଆ ନିଜେ ରତ୍ନ ସିଂହାସନ ପରିତ୍ୟାଗ କରି ଗାଁ ଦାଣ୍ଡକୁ ଆସିଥାନ୍ତି ବୋଲି ରହିଛି ବିଶ୍ଵାସ । ବାସୁଦେବପୁର ବ୍ଲକର ବିନାୟକପୁର ମାଆ ଆଙ୍କୁଡେଶ୍ବରୀଙ୍କ ପୀଠରେ ଭକ୍ତଙ୍କ ଗହଳିଚହଳି । ସୁଦୂର କୋଲକାତାରୁ ଛୁଟିଆସିଛନ୍ତି ଶ୍ରଦ୍ଧାଳୁ । ଖୋର୍ଦ୍ଧା ଜରିପୁଟ ତନ୍ତମୁଣ୍ଡିଆ ହନୁମାନ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ । ପ୍ରଭୁଙ୍କୁ ଦର୍ଶନ କରି ହନୁମାନ ଚାଳିଶା ପାଠ କରିଛନ୍ତି ଶ୍ରଦ୍ଧାଳୁ । ଆଜିର ଦିନରୁ ନୂଆ ପାଞ୍ଜି ପ୍ରଚଳନ ହୋଇଥାଏ ।