ମୁର୍ଶିଦାବାଦ ହିଂସା ପଛରେ ISI ଓ ବାଂଲାଦେଶୀ ଆତଙ୍କବାଦୀ ଗୋଷ୍ଠୀଙ୍କ ହାତ? ଗୁଇନ୍ଦା ସଂସ୍ଥାକୁ ମିଳିଲା ବଡ଼ ସୁରାକ୍
1 min read
ମୁର୍ଶିଦାବାଦ: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ହୋଇଥିବା ହିଂସାକାଣ୍ଡ ପଛରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ ବାଂଲାଦେଶୀ ଆତଙ୍କୀଙ୍କ ହାତ ଥିବା ନେଇ ସନ୍ଦେହ କରାଯାଉଛି । ଏହାକୁ ନେଇ ରାଜ୍ୟ ଓ କେନ୍ଦୀୟ ଯାଞ୍ଚ ଏଜେନ୍ସିଙ୍କୁ ଘଟଣା ସମ୍ବନ୍ଧରେ କିଛି ତଥ୍ୟ ମିଳିଛି । ଏହି ଅଶାନ୍ତି ପଛରେ ଖାସ୍ ପ୍ଲାନିଂ ରହିଥିଲା ବୋଲି କୁହାଯାଉଛି । ଓ୍ବାକଫ ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ପ୍ରୋତ୍ସାହିତ କରିବା ସହ ଛାତ୍ର ବେଶରେ ଯୁବକଙ୍କୁ ଅନୁପ୍ରେବେଶ କରାଯାଇଥିବା କୁହାଯାଉଛି । ସୂତ୍ର ମୁତାବକ, କଟ୍ଟରପନ୍ଥୀ ’ବାହାର ତତ୍ତ୍ବ’ର ଚିହ୍ନଟ ପୂର୍ବରୁ ହୋଇସାରିଛି ।
ପଶ୍ଚିମବଙ୍ଗର ଗୁଇନ୍ଦା ସଂସ୍ଥା ମୁତାବକ, ବାଂଲାଦେଶରେ ହସୀନା ସରକାରର ପତ୍ତନ ପରେ ଢାକାରେ ଲୁଟ-ହତ୍ୟା ଓ ପୋଲିସ ଉପରେ ଆକ୍ରମଣ ଘଟଣା ଦେଖିବାକୁ ମିଳିଥିଲା । ବଙ୍ଗରେ ଆଇଏସଆଇ ଏଜେଣ୍ଟଙ୍କ ଆଗମନକୁ ନେଇ ମଧ୍ୟ କିଛି ସ୍ଥାନରୁ ଅଭିଯୋଗ ଆସିଥିଲା । ସୀମାବର୍ତ୍ତୀ କ୍ଷେତ୍ରରେ ରାଷ୍ଟ୍ରବିରୋଧୀ ଶକ୍ତିମାନେ ’ଟ୍ରେନିଂ’ ଦେଉଥିବା ମଧ୍ୟ କୁହାଯାଉଛି । ଉକ୍ତ ଟ୍ରେନିଂକୁ ଅଶାନ୍ତିକୁ ସୃଷ୍ଟି କରୁଥିବା ଯୁବକମାନେ ସମର୍ଥନ କରୁଥିବା କୁହାଯାଉଛି । ତେଣୁ ଏବେ ପ୍ରଶ୍ନ ଉଠୁଛି ଏମାନେ ସବୁ କିଏ? ଆତଙ୍କବାଦୀ ସଂଗଠନ ଏବିଟି ପକ୍ଷରୁ ପରିଚାଳିତ ଅବୈଧ ବା ଖାରଜ ହୋଇଥିବା ମଦରସାର ପ୍ରଡକ୍ଟ ବୋଲି ଉତ୍ତର ଆସୁଛି । ଏଥିରେ ଅଧିକାଂଶ ୧୮ ବର୍ଷରୁ କମ୍ ବୟସର ଯୁବକ ରହିଛନ୍ତି । ଭାରତ ଓ ପଶ୍ଚିମବଙ୍ଗର ଆଭ୍ୟନ୍ତରୀଣ ସ୍ଥିତିକୁ ବିଗାଡ଼ିବାକୁ ଯୋଜନା କରାଯାଇଥିଲା । ମୁର୍ଶିଦାବାଦ ସୀମାରେ ଥିବା କିଛି ଖାରଜ ମଦରସାକୁ ଟାର୍ଗେଟ କରାଯାଇଥିଲା । ଏକ ବଡ଼ ଧରଣର ଅରାଜକତା ସୃଷ୍ଟି କରିବା ନେଇ ଯୋଜନା ଥିଲା । ତେବେ ବାଂଲାଦେଶୀଙ୍କ ଅନୁପ୍ରବେଶ ନେଇ ସୀମା ସୁରକ୍ଷା ବଳ କିପରି ଖବର ପାଇ ପାରିଲା ନାହିଁ, ତାହା ଏବେ ଏକ ବଡ଼ ପ୍ରଶ୍ନ ।