ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବଙ୍କ ପତ୍ନୀ, ପୁଅ ଓ ଝିଅ

ନନ୍ଦିଘୋଷ ବ୍ୟୁରୋ: ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି ପରିବାର । ଆଜି ନବ ଦାସଙ୍କ ପତ୍ନୀ ମୀନତି ଦାସ, ପୁଅ ବିଶାଳ ଓ ଝିଅ ଦୀପାଳି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଲୋକସେବା ଭବନରେ ଭେଟି ବାପାଙ୍କ ମୃତ୍ୟୁର ତଦନ୍ତ ନେଇ ଆଲୋଚନା କରିଛନ୍ତି । ଏହି ବୈଠକରେ ପୋଲିସ ଡିଜିପି ୱାଇ.ବି. ଖୁରାନିଆ ଓ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ । ପୂର୍ବରୁ ବିଜେପି ନବ ଦାସଙ୍କ ହତ୍ୟାର ସିବିଆଇ ତଦନ୍ତ ପାଇଁ ଦାବି କରିଆସୁଥିଲା, ତଥା ପରିବାରକୁ ଆକ୍ଷେପ କରିଆସୁଥିଲା । ଏପରିକି ପରିବାର ପକ୍ଷରୁ ଲିଖିତ ଅନୁରୋଧ ପାଇଁ ଚାପ ପକାଯାଉଥିଲା । ରାଜ୍ୟ ସରକାର ଚାହିଁଲେ ନିଜ ଆଡୁ ସିବିଆଇ ତଦନ୍ତ ପାଇଁ ଉଦ୍ୟମ କରିପାରିଥାନ୍ତେ । କିନ୍ତୁ ପରିବାର ପକ୍ଷରୁ ଅନୁରୋଧ ପାଇଁ କୁହାଯାଉଥିଲା । ଫଳରେ ଆଜି ପୂରା ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ଜଣାଇଛନ୍ତି । ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ । ଏଥିସହିତ ସେ ଆଶା କରିଛନ୍ତି ଯେ ସରକାର ନିରପେକ୍ଷ ତଦନ୍ତ କରିବେ ।