ରାଜଧାନୀ ଭିତରେ ପଶିଲା ହାତୀ, ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ କରାଯାଉଛି ସଚେତନ

ନନ୍ଦିଘୋଷ ବ୍ୟୁରୋ: ବାଜୁଛି ଡାକବାଜି ଯନ୍ତ୍ର । ମାଇକ ଯୋଗେ ଲୋକଙ୍କୁ ସଚେତନ କରୁଛି ବନ ବିଭାଗ । ଜଙ୍ଗଲ ନିକଟକୁ କେହି ଯାଆନ୍ତୁ ନାହିଁ । ଭୟଭୀତ ବି ହୁଅନ୍ତୁ ନାହିଁ । ହାତୀର ଉପରେ ତୀକ୍ଷ୍ନ ନଜର ରଖିଛନ୍ତି ବନ କର୍ମଚାରୀ । ଗୋଟେ ପଟେ ବିଧାନସଭା, ଅନ୍ୟ ପଟେ ହାତୀ ଆତଙ୍କ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ସାଜିଛି । ଖୋର୍ଦ୍ଧା ପଟୁ ହାତୀ ପଲରୁ ଅଲଗା ହୋଇ ରାଜଧାନୀ ମୁହାଁ ହୋଇଛି ଦନ୍ତା । ବନ ବିଭାଗ ପାଖରେ ଖବର ପହଞ୍ଚିବା ମାତ୍ରେ ତାକୁ ସହର ଭିତରକୁ ପଶିବାକୁ ଦିଆଯାଇନାହିଁ । ସେପଟେ ଖୋର୍ଦ୍ଧା ପଟୁ ଦନ୍ତା ହାତୀ ଦୁଇଦିନ ହେବ ଆସିବା ପରଠାରୁ ତମାମ ଅଞ୍ଚଳରେ ଖେଳିଯାଇଛି ଆତଙ୍କ । ହାତୀଟି ଜନବସତିକୁ ପଶି ଆସୁଥିବାରୁ ଘରୁ ଗୋଡ଼ କାଢ଼ିବାକୁ ଡରୁଛନ୍ତି ଲୋକେ । ରାଜଧାନୀର ଏମ୍ସ ହସ୍ପିଟାଲ ପାଖରେ କାଜୁ ଜଙ୍ଗଲରେ ବଡ଼ି ଭୋରରୁ ପଶି ଥିଲା ହାତୀ । ଏବେ ହାତୀକୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।
ବନ ବିଭାଗ ଓ ଗ୍ରାମବାସୀଙ୍କ ପକ୍ଷରୁ ମିଳିତ ଭାବେ ହାତୀକୁ ଘଉଡ଼ାଇବାକୁ ଚାଲିଛି ଉଦ୍ୟମ । ସେପଟେ ବଡ ବଡ ଟାୱାର ଉପରୁ ହାତୀର ଗତି ବିଧି ଉପରେ ତୀକ୍ଷ୍ନ ନଜର ରଖିଛି ବନ ବିଭାଗ । ବାଇନାକୂଳର ସାହାଯ୍ୟରେ ଛାତ ଉପରୁ ନଜର ରଖିଛି ଟିମ୍ । ହାତୀକୁ ଚନ୍ଦକା କି ଖୋର୍ଦ୍ଧା ପଟକୁ ଫେରେଇ ନେବା ପାଇଁ ପୁରା ପ୍ରସ୍ତୁତ ବନବିଭାଗ ।