୫ ମାସ ହେଲାଣି ଧରାଶାୟୀ ପୁଞ୍ଜି ବଜାର, ନିବେଶକ ହରାଇଲେଣି ୯୦ ଲକ୍ଷ କୋଟି

ଭୁବନେଶ୍ବର ; ଦେବାଳିଆ ସ୍ଥିତିକୁ ଯାଉଛି ଭାରତ ! ଏପରି ଆଶଙ୍କା କଲେଣି ଅର୍ଥନୀତି ବିଶେଷଜ୍ଞ । ପ୍ରଚାରରେ ବ୍ୟସ୍ତ କେନ୍ଦ୍ର ସରକାର। ଚଳିତ ଆର୍ଥିକ ବର୍ଷର ଶେଷ କ୍ବାର୍ଟରରେ ବି ଅଭିବୃଦ୍ଧି ନିରାଶଜନକ । ପୁଣି ଥରେ ଭାରତୀୟ ବଜାରରେ ଦେଖିବାକୁ ମିଳିଛି ୧୯୯୬ ସମୟର ସ୍ଥିତି । ଲଗାତାର ୫ ମାସ ହେଲାଣି ମାଟି କାମୁଡି ଚାଲିଛି ପୁଞ୍ଜି ବଜାର । ୯୦ ଲକ୍ଷ କୋଟି ଟଙ୍କା ହରାଇଲେଣି ପୁଞ୍ଜି ନିବେଶକାରୀ । ସେପଟେ କୋଭିଡ ପରେ କେନ୍ଦ୍ର ସରକାର ବିଦେଶୀ ପୁଞ୍ଜିକୁ ଆକୃଷ୍ଟ କରିବା ପାଇଁ ଯେପରି ଘୋଷଣା କରିଥିଲେ । ସେଥିରେ ବାସ୍ତବତା ନଥିବା ଅନୁଭବ କଲେଣି ବିଦେଶୀ ସଂସ୍ଥାଗତ ପୁଞ୍ଜି ନିବେଶକାରୀ । ଯେଉଁଥି ପାଇଁ ଏବେ ସବୁଦିନ ଭାରତୀୟ ଷ୍ଟକ ବଜାରରେ ସେମାନେ ତାଙ୍କ ଅଂଶଧନ ବିକ୍ରି କରି ବାହାରି ଯାଉଛନ୍ତି । ସ୍ଥିତି ଏମିତି ହେଲାଣି ଯେ, ବାରମ୍ବାର ବଜାର କ୍ରାସ୍ କରିବାରୁ ପ୍ରଚୁର କ୍ଷତି ସହିଲେଣି ଘରୋଇ ଖୁଚୁରା ନିବେଶକାରୀ । ଏପରିକି ଋଣ କରି ଆଉ ନିବେଶ କରିବାକୁ ସାହାସ ଜୁଟେଇ ପାରୁନାହାନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଜ ଟ୍ରମ୍ପଙ୍କ ଟାରିଫ ଆକ୍ରମଣ ସତ୍ତ୍ବେ ବିଶ୍ବର ଅନ୍ୟ ଷ୍ଟକ୍ ମାର୍କେଟ୍ରେ ନିବେଶକାରୀ ଲାଭବାନ ହେଉଛନ୍ତି । ଯେପରିକି, ସଂଘାଇ, ହଂଗ୍କଙ୍ଗ୍, ୟୁରୋପ ମାର୍କେଟ୍, କୋରିଆର କୋସ୍ପି, ଆମେରିକା ଷ୍ଟକ ମାର୍କେଟ୍ ଡାଓ ଜୋନ୍ସ୍, ନାସଡାକ୍, ଏସ୍.ଆଣ୍ଡ.ପି ଆଦି ମାର୍କେଟ ବୁମ୍ରେ ଚାଲିଛି । କିନ୍ତୁ କାହିଁକି କ୍ଷତିରେ ଭାରତୀୟ ଷ୍ଟକ ମାର୍କେଟ ?  ବିଶେଷଜ୍ଞଙ୍କ ଅଭିଯୋଗ, ଏବେର କେନ୍ଦ୍ର ସରକାରଙ୍କ ନୀତିକୁ ଭରସା କରିପାରୁନାହାନ୍ତି ବିଦେଶୀ ପୁଞ୍ଜି ନିବେଶକାରୀ । କିଛି ମୁଷ୍ଟିମେୟ ପୁଞ୍ଜିପତିଙ୍କ ଫାଇଦା ପାଇଁ କେନ୍ଦ୍ର ସରକାର ଯେପରି ନୀତି ଆପଣାଉଛନ୍ତି, ତାହା ଦେଶର ଅର୍ଥନୀତିକୁ ଭିତରେ ଭିତରେ କଙ୍କାଳସାର କଲାଣି । ବେରୋଜଗାରୀ, ମହଙ୍ଗା ବଜାର ଯୋଗୁ ବେଶୀ ପ୍ରଭାବିତ ହେବାକୁ ଯାଉଛନ୍ତି ମଧ୍ୟବିତ୍ତ ।

ପ୍ରତିଦିନ କ୍ରାସ୍ କରିବାରେ ଲାଗିଛି ମାର୍କେଟ୍। କେତେକାଂଶରେ ଏହା ଜାଣିଶୁଣି କରାଯାଉଛି ବୋଲି ଅଭିଯୋଗ ହୋଇଛି । କ୍ଷୁଦ୍ର ନିବେଶକାରୀଙ୍କୁ ବଜାରରୁ ଆଉଟ୍ କରିବାକୁ ବଡ଼ ପୁଞ୍ଜି ନିବେଶକାରୀ ଏଫ୍ଆଇଆଇଙ୍କ ସହ ମଧୁଚନ୍ଦ୍ରିକା କରି ମାର୍କେଟ୍ ଡାଉନ୍ କରିବାରେ ଲିପ୍ତ ରହୁଛନ୍ତି । ବିଦେଶୀ ପୁଞ୍ଜିନିବେଶକାରୀଙ୍କୁ ଭାରତରେ ନିବେଶ କରିବା ମହଙ୍ଗା ପଡ଼ୁଛି । ଏହାସହିତ ଲଗାତାର ଭାବେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଉଥିବାରୁ ସେମାନେ ଅଧିକ ଲାଭ ପାଉନାହାନ୍ତି । ଅନ୍ୟପଟେ ଚୀନ ସେୟାର ବଜାର ଶସ୍ତା ଥିବାରୁ ବିଦେଶୀ ପୁଞ୍ଜି ନିବେଶକାରୀ ଚୀନ ଷ୍ଟକ୍ ମାର୍କେଟରେ ପୁଞ୍ଜିଲଗାଣ ପାଇଁ ଆଗ୍ରହ ଦେଖାଉଛନ୍ତି । ଏହାସହିତ ଆମେରିକା ଫେଡେରାଲ ରିଜର୍ଭ ସୁଧ ହାର ବୃଦ୍ଧି କରିବାରୁ ଆମେରିକା ବଜାରରେ ବିନିଯୋଗ ପାଇଁ ଆଗଭର ହେଉଛନ୍ତି । ବିଶ୍ବର ଅନ୍ୟ ମାର୍କେଟ୍ ଲାଭରେ ଚାଲୁଥିବା ବେଳେ ଭାରତୀୟ ସେୟାର ବଜାର କ୍ଷତି କରିବା ହିସାବ କିଛି ବୁଝି ହେଉନି । ବିଶ୍ବ ମାନ୍ଦାବସ୍ଥାର ପ୍ରଭାବ କହି କେନ୍ଦ୍ର ସରକାର ଯେପରି ନିଜ ଦାୟିତ୍ବ ଖସାଇ ଚାଲିଛନ୍ତି, ତାର ଗୁମର ଫିଟିବାରେ ଲାଗିଛି ବୋଲି ବିଶେଷଜ୍ଞ ଅଭିଯୋଗ କରିଛନ୍ତି ।  ଆଜି ବି କାରବାର ବନ୍ଦ ହେବାବେଳକୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ, ମିଡ୍କ୍ୟାପ୍, ବ୍ୟାଙ୍କ ନିଫଟି, ନିଫଟି ଷ୍ଟକ୍ ମାର୍କେଟ୍ ୫୯୦.୪୩ ପଏଣ୍ଟ ମାଇନ୍ସରେ ବନ୍ଦ ହୋଇଛି । ପୁଞ୍ଜି ବଜାରର ଖରାପ ସ୍ଥିତି ଆଗାମୀ ଦିନରେ ବଡ଼ ଆର୍ଥିକ ସଂକଟ ଭିତରକୁ ଦେଶକୁ ଠେଲିଦେବ ବୋଲି ଆଶଙ୍କା ବ୍ୟକ୍ତ କଲେଣି ସମୀକ୍ଷକ । ଯାହା ଆର୍ଥିକ ସଂକଟର ପୂର୍ବାଭାସ ବୋଲି ମତ ପ୍ରକାଶ ପାଇଛି ।