spot_img

Latest Posts

ପାହାଡ ଉପରେ ଟ୍ରାଫିକ୍ ଜାମ୍ !

ନନ୍ଦିଘୋଷ ବ୍ୟୁରୋ: ସେପ୍ଟେମ୍ବର ଶେଷ ସପ୍ତାହରେ ଉତ୍ତରାଖଣ୍ଡର ଉଚ୍ଚ ହିମାଳୟ ଅଞ୍ଚଳରେ ଆରମ୍ଭ ହୋଇଥିଲା ତୁଷାରପାତ । ଯାହାଫଳରେ ଏବେ ସେଠାକୁ ପର୍ଯ୍ୟଟକଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି । ଲୋକମାନେ ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଏବଂ ହେମକୁଣ୍ଡ ସାହିବ ବ୍ୟତୀତ ଆଦି କୈଳାଶ, ଓମ୍ ପର୍ବତ ମୁନସ୍ୟାରୀ ସମେତ ଉତ୍ତରାଖଣ୍ଡର ଅନ୍ୟାନ୍ୟ ସ୍ଥାନଗୁଡିକୁ ମଧ୍ୟ ପରିଦର୍ଶନ କରୁଛନ୍ତି । ଆଉ ପର୍ଯ୍ୟଟକଙ୍କ ପ୍ରବଳ ଆଗମନ ଯୋଗୁଁ ଗତ ଶୁକ୍ରବାର, ଶନିବାର ଏବଂ ରବିବାର ପର୍ବତ ଉପରେ ଅନେକ କିଲୋମିଟର ପର୍ଯ୍ୟନ୍ତ ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଥିଲା । ପ୍ରବଳ ତୁଷାରପାତ ଯୋଗୁଁ ଆଦି କୈଳାଶ ଏବଂ ଓମ୍ ପର୍ବତକୁ ଯାଉଥିବା ରାସ୍ତା ମଧ୍ୟ ଜାମ୍ ହୋଇଯାଇଥିଲା । ଫଳରେ ୧୪,୫୦୦ ଫୁଟ ଉପରେ ତୀର୍ଥଯାତ୍ରୀ ଏବଂ ଯାନବାହନର ବୃଦ୍ଧି ଯୋଗୁଁ ରାସ୍ତାରେ ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ଅନେକ ଯାତ୍ରୀ ଘଣ୍ଟା ଘଣ୍ଟା ଧରି ଜାମ୍ ରେ ଫସି ରହିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଭିଡିଓ ନିର୍ମାତା କହୁଛନ୍ତି ଯେ, ଆଦି କୈଳାଶ ଯିବା ରାସ୍ତାର ପ୍ରାୟ ଦେଢରୁ ଦୁଇ କିଲୋମିଟର ପର୍ଯ୍ୟନ୍ତ ଟ୍ରାଫିକ ଜାମ୍ ଦେଖିବାକୁ ମିଳିଥିଲା ।

ଯଦି ଦେଖିବା ଗତ ୩ ବର୍ଷ ମଧ୍ୟରେ ଆଦି କୈଳାଶ ଏବଂ ଓମ୍ ପର୍ବତକୁ ଯାଉଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ତିନି ଗୁଣା ବଢିଯାଇଛି । ୨୦୨୩ ମସିହାରେ ୧୦,୦୭୯ ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀ ଆଦି କୈଳାଶ ପରିଦର୍ଶନ କରିଥିଲେ । ସେହିପରି ୨୦୨୪ ମସିହାରେ ୨୯,୪୨୩ ପର୍ଯ୍ୟଟକ ଆଦି କୈଳାଶ ପରିଦର୍ଶନ କରିଥିଲେ ଏବଂ ୨୦୨୫ ମସିହାରେ ୩୧,୫୫୮ ତୀର୍ଥଯାତ୍ରୀ ପରିଦର୍ଶନ କରିଥିଲେ । ଆଉ ୨୦୨୬ରେ ଏପର୍ଯ୍ୟନ୍ତ ୬୧,୯୫୦ ପର୍ଯ୍ୟଟକ ପରିଦର୍ଶନ କରିଛନ୍ତି । ତେବେ ଏଭଳି ସ୍ଥିତିରେ ଭାରି ତୂୁଷାରପାତ ପରିସ୍ଥିତିକୁ ଆହୁରି ଚ୍ୟାଲେଞ୍ଜିଂ କରିଦେଇଛି । ଗୋଟିଏ ଗାଡି ଅଟକି ଯିବାରୁ ପରେ ତା‘ ପଛକୁ ପଛ ଅନ୍ୟ ଗାଡିଗୁଡିକ ବି ଅଟକି ଯାଇଥିଲା । ଫଳରେ ଟ୍ରାଫିକ ଜାମ୍ ର ଭୟଙ୍କର ସ୍ଥିତି ଉପୁଜିଥିଲା । ତେଣୁ ପରିସ୍ଥିତିକୁ ଦେଖି ଯାତ୍ରୀଙ୍କୁ ସତର୍କ ରହିବାକୁ ଏବଂ ପ୍ରଶାସନର ପରାମର୍ଶ ପାଳନ କରିବାକୁ କୁହାଯାଇଛି ।

Latest Posts

Don't Miss