ବିଜୁବାବୁଙ୍କୁ ଅସମ୍ମାନର କଡ଼ା ଜବାବ ଦେଲେ ରାଜ୍ୟବାସୀ: ରାଜ୍ୟ ସରକାରଙ୍କ ମନମୁଖୀ ଶାସନ ବିରୋଧରେ ଏକାଠି ହେଲେ ଜନତା

1 min read

ଭୁବନେଶ୍ବର: ପଞ୍ଚାୟତିରାଜ ଦିବସରେ ବରପୁତ୍ରଙ୍କୁ ଭୁଲିଗଲେ ରାଜ୍ୟ ସରକାର। ହୋଇଗଲେ ଦାୟିତ୍ବହୀନ। କ୍ୟାଲେଣ୍ଡରରେ ଛୁଟି ଘୋଷଣା କରି ସୁଦ୍ଧା କଲେନାହିଁ ଛୁଟି ଘୋଷଣା। ଟଲମ୍ୟାନ ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ବିରୋଧରେ ଆଜି ସାରା ରାଜ୍ୟରେ ବିଜୁ ଜନତା ଦଳର ଗର୍ଜନ। କୋଟି ଓଡ଼ିଆଙ୍କ ହୃଦୟର ନେତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦରେ ଆନ୍ଦୋଳନ କରୁଛନ୍ତି ବିଜେଡି କର୍ମୀ ଓ ନେତା। ଏହାକୁ ନେଇ ରାଜ୍ୟର ବିିଭିନ୍ନ ଜିଲ୍ଲାର ସହରମାନଙ୍କରେ ବିଜୁପ୍ରେମୀମାନେ ଏକାଠି ହୋଇ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି ।

ଖୋର୍ଦ୍ଧା: ଖୋର୍ଦ୍ଧା ବେଗୁନିଆ ବଜାରରେ ଆଜି ପ୍ରତିବାଦ କରାଯାଉଥିବାବେଳେ ସେହି ବାଟ ଦେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ପ୍ରତିବାଦର ସମ୍ମୁଖୀନ ହୋଇଥିଲେ । ବିଜେଡି ନେତା ଏବଂ କର୍ମୀ ମନ୍ତ୍ରୀଙ୍କୁ ଅଟକାଇ ଗାଡ଼ି ଆଗରେ ରାଜ୍ୟ ସରକାର ବିଜୁ ପଟ୍ଟନାୟକଙ୍କ ପ୍ରତି ମନୋଭାବ ନିଷ୍ପତ୍ତି ବିରୋଧରେ ଛି ଛି ନାରାବାଜି କରିଥିଲେ। କିଛି ସମୟ ପାଇଁ ମନ୍ତ୍ରୀଙ୍କ ପାଇଲଟ ଗାଡ଼ି ସହ ତାଙ୍କ ଗାଡ଼ି ମଧ୍ୟ ରାସ୍ତାରେ ଅଟକି ଯାଇଥିଲା । ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା । ପରେ ପରେ ପୋଲିସ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇ ବେଗୁନିଆ ଅତିକ୍ରମ କରାଇଥିଲା।

ଗଜପତି: ବିଜୁ ବାବୁଙ୍କ ଅବମାନନା ସମଗ୍ର ଓଡ଼ିଆ ଜାତିକୁ ବ୍ୟଥିତ କରିଛି। ସାରା ଓଡ଼ିଶାରେ ଏହାର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଗଜପତିରେ ମଧ୍ୟ ଏହାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ହେଉଛି। ପାରଳା ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ନେତୃତ୍ବରେ ଜିଲ୍ଲା ବିଜେଡିର ଶତାଧିକ ନେତା ଓ କର୍ମୀ ପାରଳାଖେମୁଣ୍ଡି କଲେଜ ଛକରେ ପ୍ରତିବାଦ କରିଛନ୍ତି।

ଅନୁଗୋଳ: ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ବିଜେପିର ଅସମ୍ମାନ ପ୍ରସଙ୍ଗ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ସମୁଖରେ ପ୍ରତିବାଦ କରିଛି ବିଜେଡି । ଛେଣ୍ଡିପଦାର ପୂର୍ବତନ ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଛେଣ୍ଡିପଦା ବିଜୁ ଜନତା ଦଳର ଶତାଧିକ କର୍ମ ଏକାଠି ହୋଇ ବ୍ଳକ ମୁଖ୍ୟ ଫାଟକ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ସରକାର କେବଳ ରଙ୍ଗ ବୋଳି ଲୋକଙ୍କୁ ଠକୁଛନ୍ତି l ଏହା ବିରୋଧରେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ବିଜେଡି ନେତା କହିଛନ୍ତି ।

କଳାହାଣ୍ଡି: ଆଜି କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଟିତ ଏହି ପ୍ରତିବାଦ ସଭାରେ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ନର୍ଲା ବିଧାୟକ ମନୋରମା ମାହାନ୍ତିଙ୍କ ସମେତ ଅନେକ ନେତା ଓ କର୍ମୀ ଉପସ୍ଥିତ ଥିଲେ। ସରକାର ନେଇଥିବା ନିଷ୍ପତ୍ତିକୁ ପରିବର୍ତ୍ତନ ନକଲେ ଆସନ୍ତା ବିଧାନସଭାରେ ଗୃହ ଅଚଳ କରି ଦିଆଯିବ ବୋଲି ବିଜେଡି କହିଛି ।

ବ୍ରହ୍ମପୁର: ବ୍ରହ୍ମପୁରରେ ମଧ୍ୟ ବିଜେଡି ପକ୍ଷରୁ ବିକ୍ଷୋଭ କରାଯାଇଛି।। ଗୋପାଳପୁର ନିର୍ବାଚନମଣ୍ଡଳି ଅନ୍ତର୍ଗତ ରଙ୍ଗେଈଲୁଣ୍ଡା ବ୍ଲକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେହିପରି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ମୁଖ୍ଯ ଫାଟକ ଆଗରେ ମଧ୍ୟ ପ୍ରତିବାଦ ହୋଇଛି।

ସିମୁଳିଆ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ପଞ୍ଚାୟତରାଜ ଦିବସ ପାଳନ କରାନଯିବାକୁ ନେଇ ତେଜୁଛି ଅସନ୍ତୋଷ । ସିମୁଳିଆ ବ୍ଲକ ସମ୍ମୁଖରେ ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ କରିବା ଓଡିଶା ଲୋକ ମାନଙ୍କ ପ୍ରତି କୁଠାରଘାତ । ବିଜୁ ପଟ୍ଟନାୟକ କେବଳ ଓଡିଶା ନୁହେଁ ବିଶ୍ୱ ର ଜଣେ ଅଦ୍ୱିତୀୟ ନେତା, ଏହାର ଜବାବ ଓଡିଶା ବାସି ବହୁ ଶୀଘ୍ର ଦେବେ ବୋଲି ଉପସ୍ଥିତ ନେତୃମଣ୍ଡଳୀ ମାନେ ପ୍ରକାଶ କରିଥିଲେ l ଏଥିରେ ସିମୁଳିଆ ନିର୍ବାଚନ ମଣ୍ଡଳୀ ର 59 ଗୋଟି ପଞ୍ଚାୟତ ର ଅନେକ ସରପଞ୍ଚ, ସମିତି ସଭ୍ୟସଭ୍ୟା, ଜିଲ୍ଲାପରିଷଦ ସମେତ ଅନେକ ବିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ l

ହିନ୍ଦୋଳ:୫ ଦଫା ଦାବି ନେଇ ବିଜେଡିର ବିକ୍ଷୋଭ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଢେଙ୍କାନାଳର ପୂର୍ବତନ ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେ ବହୁ ବିଜେଡି କର୍ମୀ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ହାତୀ ଉପଦ୍ରଵରୁ ସୁରକ୍ଷା, କଳକାରଖାନାର ମନାମାନୀ, ବହୁଳ କୋଇଲା ବ୍ୟବହାର ପରେ କମ୍ପାନୀମାନଙ୍କ ପାଉଁଶ ପୋଖରୀ ନଥିବା, ପାଉଁଶ ଏବଂ କ୍ରସର ଗୁଣ୍ଡରୁ ସୁରକ୍ଷା, ବ୍ଲକରେ ବିକାଶ କାର୍ଯ୍ୟରେ ପିସି କାରବାର ବନ୍ଦ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଦେବଗଡ଼: ପଞ୍ଚାୟତ ଦିବସର ତାରିଖ ପରିବର୍ତ୍ତନ କରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ପ୍ରଦର୍ଶନ କରିଥିବା ରାଜ୍ୟ ସରକାରଙ୍କ ବିରୋଧରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ବିଜେଡି ସଭାପତି ଚିତ୍ତରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିବାଦ ସଭାରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ସମେତ ଶତାଧିକ ଦଳୀୟ ପୁରୁଷ ଓ ମହିଳା କର୍ମୀ ନିୟୋଜିତ ହୋଇଥିଲୋ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି କରାଯାଇଥିବା ଅସମ୍ମାନକୁ ତୀବ୍ର ବିରୋଧ କରିବା ସହ ଆଗାମୀ ଦିନରେ ବିଜେପି ସରକାର ବିରୁଦ୍ଧରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ରାଜରାସ୍ତାରେ ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦିଆଯାଇଛି।

ନଜର ପକାନ୍ତୁ