ସରିଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା: ମେ ମାସରେ ଆସିବ ଫଳାଫଳ

ଭୁବନେଶ୍ବର: ସରିଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ଚଳିତବର୍ଷ ସାରା ରାଜ୍ୟରେ ୫ ଲକ୍ଷ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଦେଇଛନ୍ତି ପରୀକ୍ଷା । ଗତ ୨୧ ତାରିଖରୁ ୩ ହଜାର ୧୩୩ ଟି କେନ୍ଦ୍ରରେ ଚାଲିଥିଲା ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା । କପି ଓ ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ବୋର୍ଡ ପକ୍ଷରୁ ହୋଇଥିବା ବ୍ଯବସ୍ଥା ଏଥର ସଫଳ ହୋଇଛି । କାଁ ଭାଁ ଘଟଣାକୁ ଛାଡ଼ି ଚଳିତବର୍ଷ ସୁରୁଖୁରୁରେ ଏଗଜାମ ସରିଥିବା କହିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ୧୯ ତାରିଖରୁ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ । ଏହା ପରେ ମେ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ରେଜଲ୍ଟ ବାହାରିବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି । ତେବେ ଚଳିତବର୍ଷ ବିଜ୍ଞାନ ପ୍ରଶ୍ନପତ୍ରର ଫିଜିକାଲ ସାଇନ୍ସ ପ୍ରଶ୍ନପତ୍ରରେ ସାଂଘାତିକ ତ୍ରୁଟି ଦେଖିବାକୁ ମିଳିଥିଲା । ୨୫ ମାର୍କ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ମିଳିଥିଲା ୨୧ ମାର୍କର ପ୍ରଶ୍ନ । ତେବେ ଏନେଇ ସରକାର ଅବଗତ ଅଛନ୍ତି । ବିଭାଗ ପକ୍ଷରୁ ତର୍ଜମା କରଯାଉଛି ଏବଂ ଆବଶ୍ୟକ ପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଛାତ୍ରଛାତ୍ରୀଙ୍କ ପାଇଁ ଯାହା ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ଶେଷ ଦିନରେ ତୃତୀୟ ଭାଷା ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ତେବେ ଚଳିତ ବର୍ଷ ପ୍ରଶ୍ନ ଭଲ ଥିବାରୁ ଭଲ ରେଜଲ୍ଟ ନେଇ ସମସ୍ତେ ଆଶାବାଦୀ ଅଛନ୍ତି । ତେଣୁ ପରୀକ୍ଷା ହଲରୁ ବାହାରିବା ପରେ ସମସ୍ତଙ୍କ ମୁହଁରେ ହସ ଦେଖିବାକୁ ମିଳିଥିଲା । ଶେଷ ଦିନରେ ଅବିର ଖେଳି ଖୁସି ମନାଇଥିଲେ ଛାତ୍ରଛାତ୍ରୀ । ପରସ୍ପରକୁ ଅବିର ଲଗାଇ ଆଗାମୀ ହୋଲି ପାଇଁ ଶୁଭେଚ୍ଛା ଦେବା ସହ ପରୀକ୍ଷାରେ ଭଲ ରେଜଲ୍ଟ ପାଇଁ ପରସ୍ପରକୁ ବଧାଇ ଜଣାଇଥିଲେ । ଭଲ କରିଥିବାରୁ ଖାତା ଠିକରେ ଦେଖାହେବ ଓ ସେମାନେ ଭଲ ଫଳ ପାଇଁ ଉପର ଶ୍ରେଣୀରେ ନାମ ଲେଖାଇବାକୁ ଆଶା ରଖିଛନ୍ତି ଛାତ୍ରଛାତ୍ରୀ ।

ନଜର ପକାନ୍ତୁ