ରାହୁଲ ଗାନ୍ଧିଙ୍କ ଉପରେ ଅଦାଲତ ଲଗାଇଲେ ୨ଶହ ଟଙ୍କାର ଜରିମାନା

1 min read

ନନ୍ଦିଘୋଷ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ୨୦୦ ଟଙ୍କାର ଜରିମାନା ଲଗାଇଲେ ଲକ୍ଷ୍ନୌ କୋର୍ଟ । ଲଗାତାର ଶୁଣାଣିରେ କୋର୍ଟରେ ହାଜର ନହେଉଥିବାରୁ ଏହି ଜରିମାନା ଲଗାଇଛନ୍ତି ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟେଟ୍ । ଏହାଛଡ଼ା ଯେକୌଣସି ପରିସ୍ଥିତିରେ ଏପ୍ରିଲ ୧୪ ତାରିଖରେ କୋର୍ଟରେ ଆଦେଶ ହେବାକୁ ମଧ୍ୟ ଚେତାବନୀ ଦେଇଛି କୋର୍ଟ ।

ବୀର ସାଭରକରଙ୍କ ଉପରେ ମନ୍ତବ୍ୟ ଦେବା ଘଟଣା ନେଇ ଲକ୍ଷ୍ନୌ କୋର୍ଟରେ ଶୁଣାଣି ଚାଲିଥିବା ବେଳେ ବାରମ୍ୱାର ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କୁ ହାଜର ହେବାକୁ କୁହାଗଲେ ସୁଦ୍ଧା ସେ ଆସୁନାହାନ୍ତି । ଏଥିପାଇଁ କୋର୍ଟ ରାହୁଲଙ୍କ ଉପରେ ୨୦୦ଟଙ୍କାର ଜୋରିମାନା ଲଗାଇଛନ୍ତି ।

୨୦୨୨ ମସିହାରେ, ଓକିଲ ନୃପେନ୍ଦ୍ର ପାଣ୍ଡେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଫୌଜଦାରୀ କାର୍ଯ୍ୟବିଧି ସଂହିତା (CRPC) ଧାରା ୧୫୬ (୩) ଅନୁଯାୟୀ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗର ଶୁଣାଣି କରିବା ସମୟରେ, କୋର୍ଟ ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରାଯାଇଥିଲା। ସୂଚନା ମୁତାବକ ଓକିଲ ନୃପେନ୍ଦ୍ର ପାଣ୍ଡେଙ୍କ ଅଭିଯୋଗ ଥିଲା ଯେ, ରାହୁଲ ଗାନ୍ଧୀ ୧୭ ଡିସେମ୍ବର, ୨୦୨୨ରେ ମହାରାଷ୍ଟ୍ରର ଆକୋଲାରେ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ବୀର ସାଭରକରଙ୍କୁ ‘ବ୍ରିଟିଶଙ୍କ ଦାସ’ ଏବଂ ‘ପେନସନଭୋଗୀ’ ବୋଲି କହିଥିଲେ।

କାହିଁକି ହାଜର ହେଲେନି ରାହୁଲ ଗାନ୍ଧୀ ?

୫ ମାର୍ଚ୍ଚ , ୨୦୨୫ରେ ଶୁଣାଣି ସମୟରେ, ରାହୁଲ ଗାନ୍ଧୀଙ୍କ ପକ୍ଷରୁ, ତାଙ୍କ ଓକିଲ ପ୍ରାଂଶୁ ଅଗ୍ରୱାଲ କୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ, ଯେଉଁଥିରେ ସେ ଆଜି ବ୍ୟକ୍ତିଗତ ଭାବରେ ହାଜର ନହେବାର କାରଣ ଦର୍ଶାଇଥିଲେ। ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଦାୟର ଆବେଦନରେ କୁହାଯାଇଛି ଯେ ସେ ବର୍ତ୍ତମାନ ସଂସଦରେ ବିରୋଧୀ ଦଳ ନେତା। ତାଙ୍କର ଜଣେ ବିଦେଶୀ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ପୂର୍ବ ନିର୍ଦ୍ଧାରିତ ସାକ୍ଷାତ ଥିଲା। ଏହା ବ୍ୟତୀତ ଅନ୍ୟ ସରକାରୀ କାମରେ ବ୍ୟସ୍ତ ଥିବାରୁ ସେ କୋର୍ଟରେ ହାଜର ହୋଇପାରିଲେ ନାହିଁ। ସେ କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ କରନ୍ତି ଏବଂ ଜାଣିଶୁଣି କୋର୍ଟରେ ହାଜର ହେବାକୁ ଏଡାଇବାକୁ ଚେଷ୍ଟା କରୁନାହାଁନ୍ତି।

ଲକ୍ଷ୍ନୌ କୋର୍ଟର ନିଷ୍ପତ୍ତି

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅନୁପସ୍ଥିତି ପାଇଁ କୋର୍ଟ ୨୦୦ ଟଙ୍କା ଜରିମାନା ଲଗାଇଛନ୍ତି ଏବଂ ପରବର୍ତ୍ତୀ ଶୁଣାଣିର ତାରିଖ ୧୪ ଏପ୍ରିଲ ୨୦୨୫ ଧାର୍ଯ୍ୟ କରିଛନ୍ତି। କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯଦି ରାହୁଲ ଗାନ୍ଧୀ ଏହି ତାରିଖରେ ମଧ୍ୟ ବ୍ୟକ୍ତିଗତ ଭାବରେ ହାଜର ନ ହୁଅନ୍ତି, ତେବେ ତାଙ୍କ ବିରୁଦ୍ଧରେ ଆହୁରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।