ଦୂଷିତ ହେଉଛି ପୁରୀ ତୀର୍ଥ ପୁଷ୍କରିଣୀ, ତୁରନ୍ତ ପଦକ୍ଷେପ ନେବାକୁ ଦାବି

ପୁରୀ : ବାରମ୍ବାର ଚିଠି ସତ୍ତ୍ବେ ଚେତୁନି ପ୍ରଶାସନ । ଦୂଷିତ ହେଉଛି ପୁରୀ ତୀର୍ଥ ପୁଷ୍କରିଣୀ ଜଳ । ପୁଣି ସଚେତନ କଲା କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ତୀର୍ଥ ପୁଷ୍କରିଣୀ ଜଳ ଗାଧୋଇବା ଅନୁପଯୁକ୍ତ । କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପୁରୀ ପୌରପାଳିକାକୁ ଲେଖିଥିବା ଚିଠି ଲେଖିବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ନରେନ୍ଦ୍ର, ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ, ଶ୍ବେତଗଙ୍ଗା ଓ ପାର୍ବତୀ ସାଗର ତୀର୍ଥ ପୁଷ୍କରିଣୀର ଜଳ ପ୍ରଦୂଷିତ । ଜଳର ଗୁଣାତ୍ମକ ମାନ ‘ଖ’ ଶ୍ରେଣୀର ମାନଦଣ୍ଡ ପୂରଣ କରୁଥିଲେ ତାହା ଗାଧୋଇବା ଉପଯୋଗୀ । ହେଲେ ପୁରୀର ସମସ୍ତ ତୀର୍ଥ ପୁଷ୍କରିଣୀ ଏବେ ସମ୍ପୂର୍ଣ୍ଣ ପ୍ରଦୂଷିତ ହୋଇଥିବା ଚିଠି ଲେଖି ପୌର ପ୍ରଶାସନକୁ ଅବଗତ କରିଛି ବିଭାଗ । ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ସ୍ନାନ ଓ ବୁଡ଼ ପକାଇବାକୁ ଆସୁଥିବାବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ କଡ଼ା ସମାଲୋଚନା କରିଛନ୍ତି ସେବାୟତ ଓ ଉତ୍କଳ ବିଦ୍ୱତ ପରିଷଦର ଅଧ୍ଯକ୍ଷ ।
୨୦୨୨ ରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ଓଡ଼ିଶାର ଥିବା ବିଭିନ୍ନ ପୋଖରୀ, ନାଳ ଏବଂ ହ୍ରଦ ସହ ପୁଷ୍କରିଣୀ ଜଳର ମାନ ପରୀକ୍ଷା କରାଯାଉଛି । ହେଲେ ଗତ ୨୦୨୨ ରୁ ୨୦୨୪ ପର୍ଯ୍ୟନ୍ତ ବୋର୍ଡ଼ ଦ୍ବାରା ପୁରୀରେ ଥିବା ପଞ୍ଚତୀର୍ଥ ପୁଷ୍କରିଣୀର ଜଳର ମାନ ପରୀକ୍ଷା କରାଯାଇ ଏହା ଗାଧୋଇବା ପାଇଁ ଅନୁପଯୁକ୍ତ ଥିବା ଦର୍ଶାଯାଇଛି । ରିପୋର୍ଟ ଅନୁସାରେ ପାଣିରେ ଡିଜଲଭ୍ଡ ଅକ୍ସିଜେନ୍, ବାୟୋ କେମିକାଲ ଅକ୍ସିଜେନ୍ ଡିମାଣ୍ଡ, ଟୋଟାଲ କଲିଫର୍ମ, ଫେକାଲ୍ କଲିଫର୍ମର ମାନ ବହୁତ ତଳେ ରହିଛି । ପାଣିରେ ପୂଜା ସାମଗ୍ରୀ ପକାଇବା, ବିଭିନ୍ନ ଖାଦ୍ୟ ସାମଗ୍ରୀ ଫିଙ୍ଗିବା ଓ ଆବର୍ଜନା ପାଣି ଛାଡିବା ଯୋଗୁଁ ଏପରି ସ୍ଥିତି ଉପୁଜିଛି । ସେପଟେ ପୁରୀ ଜିଲ୍ଲାପାଳ କହିଛନ୍ତି, ପୁଷ୍କରିଣୀର ଜଳକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ପଦକ୍ଷେପ ନିଆଯିବ । ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ବାସ ସହ ପୁରୀର ଏହି ପଞ୍ଚ ପୁଷ୍କରିଣୀ ଯୋଡ଼ି ହୋଇ ରଥିବାରୁ ଏହାକୁ ପ୍ରଦୂଷଣମୁକ୍ତ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।