ପୁଣେରେ ମହିଳାଙ୍କୁ ଦୁଷ୍କର୍ମ ଘଟଣା : ଅଭିଯୁକ୍ତ ବିରୋଧରେ ସୂଚନା ଦେଲେ ଲକ୍ଷେ ଟଙ୍କା ଦେବ ପୋଲିସ୍
1 min read
ନନ୍ଦିଘୋଷ ବ୍ୟୁରୋ: ପୁଣେରେ ଜଣେ ୨୭ ବର୍ଷ ବୟସ୍କା ମହିଳାଙ୍କୁ ଦୁଷ୍କର୍ମ ଘଟଣାକୁ ନେଇ ମହାରାଷ୍ଟ୍ରରେ ହଇଚଇ। ଅଭିଯୁକ୍ତ ଦତ୍ତାତ୍ରେୟ ରାମଦାସ ଗାଡେଙ୍କ ସମ୍ପର୍କରେ ସୂଚନା ଦେବା ଲାଗି ପୋଲିସ ଘୋଷଣା କରିଛି ୧ ଲକ୍ଷ ଟଙ୍କା। ପୁଣେର ଏକ ପୋଲିସ ଷ୍ଟେସନରୁ ମାତ୍ର ୧୦୦ ମିଟର ଦୂରରେ ଥିବା ସ୍ବରଗେଟ ବସଷ୍ଟାଣ୍ଡରେ ପାର୍କିଂ କରିଥିବା ଏକ ବସରେ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ଦତ୍ତାତ୍ରେୟ ନାମରେ ଆଗରୁ ଚୋରି, ଡକାୟତି, ଚେନ ଲୁଟିବା ଆଦି ଅନେକ ଅପରାଧିକ ରେକର୍ଡ ଥିବା ପୋଲିସ କହିଛି। ୨୦୧୯ରେ ସେ ଜାମିନରେ ଆସିଥିଲା। ତାକୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ପୋଲିସ ରେଡ କରିଛି। ଏହା ସହ କ୍ରାଇମବ୍ରାଞ୍ଚର ୮ ସଦସ୍ୟଙ୍କ ସହ ଏକ ୧୩ ଜଣିଆ ଟିମ ଗଠନ କରାଯାଇଛି। ତେବେ ଅଭିଯୁକ୍ତ ମାସ୍କ ପିନ୍ଧିଥିବାରୁ ତାକୁ ବର୍ତ୍ତମାନ ଚିହ୍ନିବା କଷ୍ଟକର ହୋଇଛି ବୋଲି କହିଛନ୍ତି ପୁଣେ ଡିସିପି ସ୍ମାର୍ତନା ପାଟିଲ। ଗତ ମଙ୍ଗଳବାର ଭୋର ୬ଟାରେ ଏହି ଦୁଷ୍କର୍ମ ଘଟଣା ଘଟିଥିଲା। ମହିଳାଜଣକ ସତାରା ଜିଲ୍ଲାକୁ ଯିବା ଲାଗି ବସକୁ ଅପେକ୍ଷା କରିଥିବାବେଳେ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। କୌଶଳ କ୍ରମେ ମହିଳାଙ୍କୁ ଅଭିଯୁକ୍ତଜଣକ ବସ୍ ଭିତରକୁ ନେଇ ଯାଇ ଗେଟ୍ ବନ୍ଦ କରିଦେଇଥିଲା। ଏହି ଘଟଣା ପରେ ପୋଲିସ ନିକଟରେ ଏଫଆଇଆର ଦେଇଥିଲେ ମହିଳ। ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମର ବସଷ୍ଟାଣ୍ଡରେ ଦୁର୍ବଳ ସୁରକ୍ଷା ବ୍ଯବସ୍ଥା ରହିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କୁ ନ୍ୟାୟ ଦିଆଯିବ ବୋଲି କହିଛନ୍ତ ମହାରାଷ୍ଟ୍ର ଉପମୁଖ୍ଯମନ୍ତ୍ରୀ ଅଜିତ ପାୱାର। ଏହି ଘଟଣାକୁ ନେଇ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ରାଜ୍ଯ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଏନସିପି-ଏସପି ଓ ଏଆଇଏମଆଇଏମ।