ଡି ଭିଲର୍ସଙ୍କ ରେକର୍ଡ ଭାଙ୍ଗିଲେ ରିକେଲଟନ: ଆଫଗାନିସ୍ତାନକୁ ୩୧୬ ରନର ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା

କରାଚୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଆଜି ଦକ୍ଷିଣ ଆଫ୍ରିକା ପ୍ରତିପକ୍ଷ ଆଫଗାନିସ୍ତାନ ଆଗରେ ଏକ ବଡ଼ ସ୍କୋର ଛିଡ଼ା କରିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ବିକେଟ ହରାଇ ୩୧୫ ରନ୍ ସଂଗ୍ରହ କରିଛି । ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ରାନ ରିକେଲଟନଙ୍କ ୧୦୩ ରନ, ଅଧିନାୟକ ତେମ୍ବା ବାଭୁମାଙ୍କ ୫୮ ରନ, ରସି ଭାନ ଡେର ଡୁସେନଙ୍କ ୫୨ ରନ ଓ ଆଇଦେନ ମର୍କରାମଙ୍କ ଅପରାଜିତ ୫୨ ରନ୍ ସହାୟତାରେ ଦକ୍ଷିଣ ଆଫିକା ଏକ ମଜବୁତ ସ୍ଥିତିରେ ପହଞ୍ଚି ପାରିଥିଲା । ଆଫଗାନିସ୍ତାନର ବୋଲରମାନେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନଙ୍କ ସମ୍ମୁଖରେ ସମ୍ପୂର୍ଣ୍ଣ ଭାବେ ଫିକା ପଡ଼ିଯାଇଥିଲେ । ଓ୍ବିକେଟ ନ ପଡ଼ିବା କାରଣରୁ ଦକ୍ଷିଣ ଆଫ୍ରିକା ଏ ବଡ଼ ସ୍କୋର ଛିଡ଼ା କରିପାରିଥିଲା ।
ଆଜି ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ରିକେଲଟ ୧୦୬ଟି ବଲ ଖେଳି ୧ଟି ଛକା ଓ ୭ଟି ଚୌକା ସହାୟତାରେ ୧୦୩ ରନ୍ ସଂଗ୍ରହ କରିଥିଲେ । ଏହି ଅବସରରେ ରିକେଲଟନ ନିଜ ଦେଶର ପୂର୍ବତନ କ୍ରିକେଟର ତଥା ୩୬୦ ଡିଗ୍ରୀ ରୂପେ ପରିଚିତ ଏବି ଡି ଭିଲର୍ସଙ୍କ ରେକର୍ଡ ଭାଙ୍ଗିଥିଲେ । ଦକ୍ଷିଣ ଆଫ୍ରିକାର ପ୍ରଥମ ଓ୍ବିକେଟ କିପର ଭାବେ ରିକେଲଟନ ଚାମ୍ପିୟନ୍ସ ଟ୍ରଫିରେ ଶତକ ଅର୍ଜନ କରିଥିଲେ । ଏହା ପୂବର୍ରୁ ଗତ ୨୦୧୩ରେ ଡି ଭିଲର୍ସ ଦକ୍ଷିଣ ଆଫ୍ରିକାର ଓ୍ବିକେଟ କିପର ଭାବେ ସର୍ବାଧିକ ୭୦ ରନ୍ ସଂଗ୍ରହ କରିଥିଲେ । ମାତ୍ର ଆଜି ୧୨ ବର୍ଷ ତଳର ଉକ୍ତ ରେକର୍ଡକୁ ଅତିକ୍ରମ କରିଛନ୍ତି ରିକେଲଟନ । ଆଜି ଆଫଗାନିସ୍ତାନ ତରଫରୁ ମହମ୍ମଦ ନବୀ ସର୍ବାଧିକ ୨ଟି ଓ୍ବିକେଟ ଅକ୍ତିଆର କରିଥିଲେ ।