ଆଜି ଚଣ୍ଡିଗଡରେ ବସିବ ମହା ବୈଠକ ; କୃଷକଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର

1 min read

ନନ୍ଦିଘୋଷ ବ୍ୟୁରୋ : ଆଜି ଚଣ୍ଡୀଗଡ଼଼ରେ ଆନ୍ଦୋଳନରତ କୃଷକଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର । ସଂଯୁକ୍ତ କିଷାନ ମୋର୍ଚ୍ଚା ଆନ୍ଦୋଳନକୁ ବର୍ଷେ ପୂରିଥିବା ବେଳେ ଏ ପର୍ଯ୍ୟନ୍ତ ସରକାର ଏମ୍ଏସ୍ପିକୁ ଆଇନଗତ ମାନ୍ୟତା ଦେଇନାହାନ୍ତି । ଆବାହକ ଜଗଜିତ ସିଂ ଦଲେଓ୍ବାଲଙ୍କ ଆମରଣ ଅନଶନ ୭୯ ଦିନରେ ପହଞ୍ଚିଥିଲେ ବି ଫଳ ଶୂନ । ଫଳରେ ୧୨ ଦଫା ଦାବିରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି ।

୩୨ଟି କୃଷକ ସଂଗଠନର ମଞ୍ଚ ସାଜିଥିବା ସଂଯୁକ୍ତ କିଷାନ ମୋର୍ଚ୍ଚାକୁ ସମର୍ଥନ କରିଛି କିଷାନ ମଜଦୂର ମୋର୍ଚ୍ଚା ବା କେଏମଏମ । କେଏମଏମ ନେତା ଶର୍ବଣ ସିଂ ପାନ୍ଧେର କହିଛନ୍ତି- ସଂଯୁକ୍ତି ମୋର୍ଚ୍ଚାର ସମସ୍ତ ଦାବିକୁ କେଏମଏମ ସମର୍ଥନ କରୁଛି । ଗତବର୍ଷ ଫେବୃଆରୀ ୧୨ରୁ ଏମଏସପିର ଆଇନଗତ ଗ୍ଯାରେଣ୍ଟି ସମେତ ବିଭିନ୍ନ ଦାବି ନେଇ ଶଂଭୁ ଓ ଖାନାଉରୀ ସୀମାରେ ଆନ୍ଦୋଳନ କରିଆସୁଛନ୍ତି କେଏମଏମ ଓ ଏସକେଏମ ।

ତେବେ ଆଜି ହେବାକୁ ଥିବା ଆଲୋଚନା ଯଦି ବିଫଳ ହୁଏ ତେବେ ଆସନ୍ତା ୨୫ରେ ୧୦୧ଜଣ ଚାଷୀ ହରିୟାଣା ସୀମା ପାର୍ ହେବା ଲାଗି ଉଦ୍ଯମ କରିବେ । ଗତବର୍ଷ ଫେବୃଆରୀ ୮, ୧୨, ୧୫, ୧୮ରେ ଚାରିଥର କେନ୍ଦ୍ର ସରକାର ଓ ଚାଷୀ ସଂଗଠନ ସହ ଆଲୋଚନା ହୋଇଥିବା ସତ୍ତ୍ବେ ସମାଧାନର ପନ୍ଥା ବାହାରିପାରି ନଥିଲା ।

ନଜର ପକାନ୍ତୁ