ଉଦ୍ଧବ ଠାକରେଙ୍କୁ ସିନ୍ଦେଙ୍କ ଆଉ ଏକ ଝଟକା, ସିନ୍ଦେଙ୍କ ହାତ ଧରିବେ ରାଜନ ସାଲଭି
![](https://nandighoshatv.com/wp-content/uploads/2025/02/ପୁଣି-ଉଦ୍ଧବଙ୍କୁ-ସିନ୍ଦେଙ୍କ-ଝଟକା-1024x576.jpg)
ନନ୍ଦିଘୋଷ ବ୍ୟୁରୋ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ପରେ, ଉଦ୍ଧବ ଠାକରେଙ୍କ ଗୋଷ୍ଠୀରେ ଫାଟ ଦେଖାଦେବା ଆରମ୍ଭ ହୋଇଛି। ଏକନାଥ ସିନ୍ଦେ ଉଦ୍ଧବ ଠାକରେଙ୍କୁ ଲଗାତାର ଝଟକା ଦେଉଛନ୍ତି । ପ୍ରଥମେ ଦଳ ଭାଙ୍ଗିଲା, ସିନ୍ଦେ ଅସଲି ଶିବସେନାକୁ ଅକ୍ତିଆରରେ ରଖିଲେ ତା’ପରେ ମୁଖ୍ୟମନ୍ତ୍ରୀ ଏବଂ ପରେ ଉପମୁଖ୍ୟମନ୍ତ୍ରୀ ହେଲେ । ତଥାପି ମଧ୍ୟ ମନ ଶାନ୍ତି ହେଇନାହିଁ ଏକନାଥ ସିନ୍ଦେଙ୍କର । ଲଗାତାରସେ ଉଦ୍ଧବ ଗୋଷ୍ଠୀକୁ ଦୁର୍ବଳ କରିବା ପାଇଁ ରଣନୀତି ଉପରେ ନିରନ୍ତର କାମ କରୁଛନ୍ତି । ଶୁଣିବାକୁ ମିଳିଛି ଠାକରେଙ୍କ ଗୋଷ୍ଠୀର ଅନେକ ନେତା, ବର୍ତ୍ତମାନ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ଯୋଗ ଦେବାକୁ ଯାଉଛନ୍ତି । ଏହା ମଧ୍ୟ ଆଲୋଚନା ହେଉଛି ଯେ ଏକନାଥ ସିନ୍ଦେ ଠାକରେଙ୍କୁ ଦମନ କରିବା ପାଇଁ ଅପରେସନ ଟାଇଗର ଚଲାଉଛନ୍ତି । ତେବେ ଏହାରି ଭିତରେ ସିନ୍ଦେ ଉଦ୍ଧବଙ୍କ ଶିବସେନାକୁ ଆଉ ଏକ ବଡ ଝଟକା ଦେଇଛନ୍ତି, କୋଙ୍କଣର ପୂର୍ବତନ ବିଧାୟକ ରାଜନ ସାଲଭି ଉଦ୍ଧବ ସେନାରୁ ଇସ୍ତଫା ଦେଇଛନ୍ତି ।
ଆଜ୍ଞା ହଁ, ମଧ୍ୟରାତ୍ରିରେ ଏକନାଥ ସିନ୍ଦେଙ୍କୁ ଭେଟିବା ପରେ, ରାଜନ ସାଲଭି ଉଦ୍ଧବଙ୍କୁ ଏହି ଝଟକା ଦେଇଛନ୍ତି । ଦଳ ବିଭାଜନ ପରେ, କୋଙ୍କଣରେ ଠାକରେ ଗୋଷ୍ଠୀ ପାଇଁ ଲଢ଼ିଥିବା ନେତା ଏବେ ଉଦ୍ଧବଙ୍କ ହାତ ଛାଡିଦେଇଛନ୍ତି। ରାଜାପୁର ଲାଞ୍ଜା ବିଧାନସଭାର ପୂର୍ବତନ ବିଧାୟକ ରାଜନ ସାଲଭି ମଧ୍ୟରାତ୍ରିରେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିଥିଲେ। ଏହି ବୈଠକ ପରେ, ରାଜନ ସାଲଭେ ପ୍ରତିକ୍ରିୟା ଦେଇ ସ୍ପଷ୍ଟ କରିଛନ୍ତି ଯେ ସେ ଆଜି ସିନ୍ଦେ ଗୋଷ୍ଠୀରେ ଯୋଗଦେବେ । ତେବେ ବିଧାନସଭା ନିର୍ବାଚନରେ ପରାଜୟ ଯୋଗୁଁ ରାଜନ ସାଲଭି ଉଦ୍ଧବ ଗୋଷ୍ଠୀ ଉପରେ କ୍ଷୁବ୍ଧ ଥିଲେ ।
ମଧ୍ୟରାତ୍ରରେ ଖେଳ କରିଦେଲେ ସିନ୍ଦେ
ପାଖାପାଖି ରାତି ପ୍ରାୟ ୨ଟାରେ, ରାଜନ ସାଲଭି ରାଜାପୁର ଲାଞ୍ଜା ବିଧାୟକ କିରଣ ସାମନ୍ତ ଏବଂ ରତ୍ନଗିରି ବିଧାୟକ ଉଦୟ ସାମନ୍ତଙ୍କ ଉପସ୍ଥିତିରେ ଏକନାଥ ସିନ୍ଦେଙ୍କୁ ଭେଟିଥିଲେ। ରାଜନ କହିଥିଲେ ଯେ ଏକନାଥ ସିନ୍ଦେ ଆରମ୍ଭରୁ ମୋର ଗୁରୁ ଥିଲେ। ଗତ ଥର ମୁଁ ସେମାନଙ୍କ ସହିତ ଯାଇପାରିନଥିଲି। କିନ୍ତୁ ଏବେ ମୋତେ ସୁଯୋଗ ମିଳିଯାଇଛି ସେଥିପାଇଁ ଏଠାକୁ ପଳେଇଆସିଲି । ରାଜନ ସାଲଭି ଅଭିଯୋଗ କରିଛନ୍ତି ଯେ ଉଦ୍ଧବ ଠାକରେ ଏବଂ ତାଙ୍କ ଦଳ ତାଙ୍କୁ ନିର୍ବାଚନରେ ସାହାଯ୍ୟ କରି ନଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଉଦୟ ସାମନ୍ତ, କିରଣ ସାମନ୍ତଙ୍କ ସହ ଏକ ବୈଠକ ହୋଇଥିଲା । ନିର୍ବାଚନମଣ୍ଡଳୀ ଜଡିତ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା। ସାମନ୍ତ ବନ୍ଧୁ ଏବଂ ମୁଁ ମଧ୍ୟ ସନ୍ତୁଷ୍ଟ ଅଛୁ। ସାଲଭି ଏହା ମଧ୍ୟ କହିଛନ୍ତି ଯେ ମୁଁ ଗୁରୁବାର ସମସ୍ତଙ୍କ ଉପସ୍ଥିତିରେ ଏକନାଥ ସିନ୍ଦେଙ୍କ ଶିବସେନା ଦଳରେ ଯୋଗଦେବି । ତେବେ ରାଜନ ସାଲଭିଙ୍କ ସିନ୍ଦେ ଗୋଷ୍ଠୀରେ ଯୋଗଦେବା ନିଷ୍ପତ୍ତିକୁ କୋଙ୍କଣରେ ଠାକରେ ଗୋଷ୍ଠୀ ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି ।
ଆଜି ଯୋଗଦେବେ ରାଜନ ସାଲଭି
ରାଜନ ସାଲଭି ସିନ୍ଦେ ଗୋଷ୍ଠୀରେ ଯୋଗଦେବେ ବୋଲି କିଛିଦିନ ଧରି ଚର୍ଚ୍ଚା ଚାଲିଥିବା ବେଳେ ସାଲଭି ବାରମ୍ବାର ଏହାକୁ ଅସ୍ୱୀକାର କରିଆସୁଥିଲେ। କିନ୍ତୁ ଏବେ ଶେଷରେ ଏହା ନିଶ୍ଚିତ ହୋଇଛି ଯେ ରାଜନ ସାଲଭି ସିନ୍ଦେ ଗୋଷ୍ଠୀରେ ଯୋଗଦେବେ। ଗତକାଲି ସେ ଠାକରେ ଗୋଷ୍ଠୀର ଉପନେତା ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ସେ କାଉନସିଲର, ମେୟର, ଜିଲ୍ଲା ମୁଖ୍ୟ, ତିନିଥର ବିଧାୟକ ଏବଂ ବର୍ତ୍ତମାନ ଉପନେତା ସମେତ ବିଭିନ୍ନ ପଦବୀରେ କାର୍ଯ୍ୟ କରିସାରିଛନ୍ତି। ତାଙ୍କୁ ବିଧାନପରିଷଦରେ କାର୍ଯ୍ୟ କରିବାରେ ସୁଯୋଗ ମିଳିପାରେ ବୋଲି ଆଲୋଚନା ହେଉଛି ଏବଂ ଏପରି ପ୍ରତିଶ୍ରୁତି ମଧ୍ୟ ତାଙ୍କୁ ଦିଆଯାଇଛି।