ଝାଡ଼ଖଣ୍ଡରୁ ଗିରଫ ହେଲା ସାଇବର ଅପରାଧୀ

ନନ୍ଦିଘୋଷ ବ୍ୟୁରୋ: ଟେଲିଗ୍ରାମ ସାଇବର ଅପରାଧୀ ଝାଡଖଣ୍ଡରୁ ଗିରଫ । ଟେଲିଗ୍ରାମ ଆପ ମାଧ୍ୟମରେ ପ୍ରଲୋଭନ ଦେଖାଇ ଠକୁଥିଲା ଠକ । ଅଭିଯୁକ୍ତ ପଶ୍ଚିମବଙ୍ଗ ଅଫତାବ ଅଲ୍ଲୀକୁ ଗିରଫ କଲା କୋରାପୁଟ ସାଇବର ପୋଲିସ । ଝାଡ଼ଖଣ୍ଡର ସଂପର୍କୀୟଙ୍କ ଘରକୁ ଯାଇଥିବାବେଳେ ମୋବାଇଲକୁ ଟ୍ରାକ କରି ଗିରଫ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ମନୋବ୍ରତା ଶତପଥୀ । କୋରାପୁଟ ରେଲୱେ କଲୋନୀରେ ରହୁଥିବା ଭାରତ ଭୂଷଣ ବାର୍ଗେଙ୍କ ମୋବାଇଲକୁ ଟେଲିଗ୍ରାମ ଆପରୁ ଗୋଟିଏ ଲିଙ୍କ ଆସିଥିଲା । ତାକୁ  କ୍ଲିକ କରିବାରୁ ଆପଲ ଭାକେସନ ନାମକ କମ୍ପାନୀ ତରଫରୁ ଟଙ୍କା ନିବେଶ କଲେ କମିଶନ ଦିଆଯିବ ବଲି ପ୍ରସ୍ତାବ ଦିଆ ଯାଇଥିଲା । ଏଥିରେ ସେ ପ୍ରଲୋଭିତ ହୋଇ ପ୍ରଥମେ ଅଳ୍ପ କିଛି ଟଙ୍କା ନିବେଶ କରି ୫ଶହରୁ ୮ଶହ ଟଙ୍କା କମିଶନ ପାଇଥିଲେ।  ପରବର୍ତ୍ତୀ ସମୟରେ କମ୍ପାନୀ ଅଧିକ ନିବେଶ କରି ଅଧିକ କମିଶନ ପାଇବାକୁ ପ୍ରସ୍ତାବ ଦେଇଥିଲା । ତେବେ  ୧୦ ହଜାର ଟଙ୍କା ନିବେଶ କରି ଆଉ ଫେରସ୍ତ ପାଇଲେନି ଭାରତ । କମ୍ପାନୀ ସହ ଯୋଗାଯୋଗ କରିବା ପରେ ତାଙ୍କୁ ଆହୁରି ଟଙ୍କା ନିବେଶ କରିବାକୁ କୁହାଯାଇଥିଲା । ସେ ମଧ୍ୟ କମ୍ପାନୀ ଉପରେ ଭରସା କରି ବାରମ୍ବାର ଟଙ୍କା ନିବେଶ କରି ଚାଲିଲେ । କିନ୍ତୁ କିଛି କମିଶନ ନ ଆସିବାରୁ ଠକେଇର ଶିକାର ହୋଇଥିବା ଜାଣି କୋରାପୁଟ ସାଇବର ଥାନାରେ ନଭେମ୍ବର୧୧ ରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି କୋରାପୁଟ ସାଇବର ପୋଲିସ ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ସମ୍ପୃକ୍ତ ଥିବା ଅପରାଧୀ ଅଫତାଵ ଅଲ୍ଲୀର ମୋବାଇଲକୁ ଟ୍ରାକ କରି ଗିରଫ କରିବା ସହ ନଗଦ ୨ଲକ୍ଷ ଟଙ୍କା ସହ ଗୋଟିଏ ମୋବାଇଲ ଜବତ କରିଛି ସାଇବର ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ଅତିରିକ୍ତ ଏସପି ମନବ୍ରୋତା ଶତପଥୀ ।