ବାରବାଟୀରେ ବିରାଟଙ୍କୁ ମିଳିପାରେ ସୁଯୋଗ

ନନ୍ଦିଘୋଷ ବ୍ୟୁରୋ: ପ୍ରଥମ ଦିନିକିଆରେ ବିଜୟ ପରେ ଆଜି ଦ୍ବିତୀୟ ଦିନିକିଆ କଟକରେ ଖେଳାଯାଉଛି । ବିରାଟ କୋହଲିଙ୍କ ବହୁ ଫ୍ୟାନ୍ସ ଓଡ଼ିଶାରେ ରହିଛନ୍ତି । ତାଙ୍କର ଟିକେ ଝଲକ ପାଇବା ପାଇଁ ଅଭ୍ୟାସ ସମୟରେ କିଭଳି ଗହଳି ହୋଇଥିଲା ତାହା ଦେଖିବାକୁ ପାଇଥିଲେ । ତେବେ ଆଜିର ମ୍ୟାଚରେ ବିରାଟଙ୍କୁ ମିଳିପାରେ ସୁଯୋଗ । ଯଦି ବିରାଟ କୋହଲି ଦଳରେ ସ୍ଥାନ ପାଆନ୍ତି ତାହେଲେ କିଏ ବସିବେ ତାକୁ ନେଇ ଚର୍ଚ୍ଚା ହେଉଛି । କୁହାଯାଉଛି କି, ଜସସ୍ବୀ ଜୟସ୍ବାଲ ଆଜିର ମ୍ୟାଚରେ ଖେଳି ନପାରନ୍ତି । କାରଣ ଉପଅଧିନାୟକ ଶୁଭମନ ଗିଲ ଗତକାଲି କହିଥିଲେ କି, ବିରାଟ ଏବେ ପୁରା ଫିଟ୍ ଅଛନ୍ତି । ଏଣୁ ବିରାଟଙ୍କୁ ଦଳରେ ସ୍ଥାନ ମିଳିବା ଏକପ୍ରକାର ନିଶ୍ଚିତ ବୋଲି କହିପାରିବା । ତେବେ ବିରାଟ ଖେଳିଲେ ଗିଲ ଏବଂ ରୋହିତ ଓପନିଂ କରିବେ । ବିରାଟ ୩ ନମ୍ବରରେ ଆସିବେ ଏବଂ ଶ୍ରେୟସ ନିଜ ସ୍ଥାନରେ ଚତୁର୍ଥରେ ବ୍ୟାଟିଂ କରିବେ । ନାଗପୁର ଦିନିକିଆରେ ଜୟସ୍ବାଲ ଡେବ୍ୟୁ କରିଥିବାବେଳେ ମାତ୍ର ୧୫ ରନ କରିଥିଲେ ।

ସେପଟେ ବିରାଟଙ୍କ ପ୍ରଦର୍ଶନ ଉପରେ ମଧ୍ୟ ନଜର ରହିବ । କାରଣ ଦୀର୍ଘଦିନ ହେବ ଖରାପ ଫର୍ମ ଦେଇ ଗତି କରୁଛନ୍ତି ବିରାଟ । ଆଗକୁ ଚାମ୍ପିୟନ୍ସ ଟ୍ରଫି ଥିବାବେଳେ କୋହଲିଙ୍କଠାରୁ ବଡ଼ ପାଳିର ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।