ଧାନ ସଂଗ୍ରହକୁ ନେଇ ଜନ ଅସନ୍ତୋଷ ବୃଦ୍ଧି: ଚାଷୀ, ପୋଲିସ ଓ ଜିଲ୍ଲା ପ୍ରଶାସନ ମୁଁହାମୁହିଁ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ତାତିଲେ ଚାଷୀ । ଚାଷୀନେତା ଅକ୍ଷୟ କୁମାରଙ୍କ ନେତୃତ୍ଵରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଟ୍ରାକ୍ଟରରେ ଶହ ଶହ କୁଇଣ୍ଟାଲ ଧାନ ନେଇଯାଉଥିଲେ ଚାଷୀ । ଖେରସ ଛକରୁ ବାହାରିବା ସମୟରେ ନବନିର୍ମାଣ କୃଷକ ସଂଗଠନକୁ ଅଟକାଇଥିଲା ପୋଲିସ । ଚାଷୀ ଓ ପୋଲିସ ପ୍ରଶାସନ ମଧ୍ୟରେ ମୁଁହାମୁହିଁ ପରିସ୍ଥିତି ଉପୁଜିଥିଲା । ଜଣେ ପୋଲିସ ଅଧିକାରୀ ଯୁବ ଚାଷୀଙ୍କ ଠାରୁ ମୋବାଇଲ ଛଡ଼ାଇ ନେବାକୁ ଉଦ୍ୟମ ବେଳେ ଚାଷୀମାନେ ପୋଲିସ ଅଧିକାରୀଙ୍କୁ ଘେରିଯାଇଥିଲେ । ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରତି ବର୍ଷ ଜାନୁଆରୀ ୮ରେ ମଣ୍ଡି ଖୋଲାଯାଉଥିବା ବେଳେ ଚଳିତ ବର୍ଷ ବହୁ ବିଳମ୍ବରେ ମଣ୍ଡି ଖୋଲିଛି । ଜିଲ୍ଲାର ଅନେକ ସ୍ଥାନରେ ଏବେବି ମଣ୍ଡି ଖୋଲିନାହିଁ । ଶେଷରେ ଆଜି ଜଗତସିଂହପୁର ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଶତାଧିକ ଚାଷୀ ନିଜ ନିଜର ଅମଳ ଧାନକୁ ଟ୍ରାକ୍ଟର ଦ୍ୱାରା ଆଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଦାକରିବାର କାର୍ଯ୍ୟକ୍ରମ ରହିଥିଲା । ମଣ୍ଡି ଅବ୍ୟବସ୍ଥା ନେଇ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଧାନ ମଣ୍ଡିକୁ ଯିବା ସମୟରେ ବହୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ବାଧ୍ୟ ହୋଇ କମ୍ ଦାମରେ ବ୍ୟବସାୟୀଙ୍କୁ ଧାନ ବିକ୍ରି କରୁଛନ୍ତି ଚାଷୀ । ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାରେ ଧାନ ସଂଗ୍ରହକୁ ନେଇ ଗାଁ ଗାଁରେ ପ୍ରବଳ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

ନଜର ପକାନ୍ତୁ